Image Courtesy of Mid-day
ନୂଆଦିଲ୍ଲୀ: ‘ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି’ (୨୧୬ ଫୁଟ୍ ଉଚ୍ଚର ବସିଥିବା ରାମାନୁଚାର୍ଯ୍ୟଙ୍କ ମୂର୍ତ୍ତି) ଚୀନ୍ରେ ନିର୍ମିତ ହୋଇଥିବାରୁ ‘ନୂଆ ଭାରତ’ ‘ଚୀନା-ନିର୍ଭର୍’ ବୋଲି ଆଜି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କହିଛନ୍ତି।
ଫେବ୍ରୁଆରି ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ବାରା ଉଦ୍ଘାଟିତ ୧୩୫ କୋଟି ଟଙ୍କାର ଉକ୍ତ ପ୍ରତିମାକୁ ଚୀନ୍ର ଏର୍ସନ୍ କର୍ପୋରେସନ୍ ନିର୍ମାଣ କରିଛି ବୋଲି ପ୍ରକାଶିତ ରିପୋର୍ଟକୁ ଭିତ୍ତି କରି ରାହୁଲ୍ ଏଭଳି ମନ୍ତବ୍ୟ ଦେଇଛନ୍ତି।
ମୂର୍ତ୍ତି ନିର୍ମାଣ ପାଇଁ ୨୦୧୫ ଅଗଷ୍ଟରେ ଠିକା ଦିଆଯାଇଥିଲା। ଉକ୍ତ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଅଧିକାଂଶ କାମ ଚୀନ୍ରେ ହୋଇଥିବା ଉକ୍ତ ମୂର୍ତ୍ତିଟିକୁ ୧,୬୦୦ ଖଣ୍ଡ କରି ଭାରତକୁ ଅଣାଯାଇଥିଲା। ସବୁ ଅଂଶକୁ ଯଥାସ୍ଥାନରେ ସଂଯୋଗ କରିବାକୁ ପ୍ରାୟ ୧୫ ମାସ ଲାଗିଥିଲା। ମୂର୍ତ୍ତି ତିଆରି ପାଇଁ ଏକ ଭାରତୀୟ କମ୍ପାନି ମଧ୍ୟ ଟେଣ୍ଡର୍ ପକାଇଥିଲା।
Image Courtesy of Republic Worldଏହା ହେଉଛି, ବସିଥିବା ମୁଦ୍ରାରେ ବିଶ୍ବର ଦ୍ବିତୀୟ ବୃହତ୍ ମୂର୍ତ୍ତି। ଏହା ‘ପଞ୍ଚଲୋହା’ ଧାତୁରେ ନିର୍ମିତ। ତମ୍ବା, ରୁପା, ସୁନା, ଜିଙ୍କ୍ ଏବଂ ଟାଇଟାନିୟମ୍ ଆଦି ୫ଟି ଧାତୁର ସମିଶ୍ରଣରେ ‘ପଞ୍ଚଲୋହା’ ପ୍ରସ୍ତୁତ ହୋଇଛି।
ଏହା ଚୀନ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲ୍ ଗାନ୍ଧୀ କରିଥିବା ସମାଲୋଚନାକୁ ସୁଦୃଢ଼ କରୁଛି। ସଂସଦରେ ଭାଷଣ ଦେବା ବେଳେ ରାହୁଲ୍ ଗାନ୍ଧୀ କହିଥିଲେ, କରିବାକୁ ଥିବା କୌଣସି କାର୍ଯ୍ୟ ଉପରେ ଚୀନାମାନଙ୍କର ସୁସ୍ପଷ୍ଟ ଦୂରଦୃଷ୍ଟି ଥାଏ। ଭାରତ ହିଁ ଚୀନ୍ ଓ ପାକିସ୍ତାନକୁ ଘନିଷ୍ଠ କରାଇଛି। ଏହା ହେଉଛି ସାଂଘାତିକ ରଣକୌଶଳ ତ୍ରୁଟି।
Follow Us