Image Courtesy of Zee News
ନୂଆଦିଲ୍ଲୀ: ଦେଶରେ ହେଉଥିବା ଦୁଷ୍କର୍ମ ଉପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍ ଦେଇଥିବା ଟିପ୍ପଣୀକୁ ରବିବାର ଦିନ ଦିଲ୍ଲୀ ମହିଳା କମିସନ୍ ତୀବ୍ର ସମାଲୋଚନା କରି କହିଛି ଯେ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦୁଷ୍କର୍ମକାରୀଙ୍କ ଭାଷା କୁହନ୍ତୁ ନାହିଁ।
ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଦରଦାମ ଓ ବେକାରୀ ସମସ୍ୟା ବିରୋଧରେ କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସ ନେତାମାନେ ଦେଶବ୍ୟାପୀ ପ୍ରତିବାଦ ଚଳାଇଥିବା ବେଳେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ଯେବେଠାରୁ ଆଇନ କାର୍ଯ୍ୟକାରୀ ହେଲା, ସେବେଠାରୁ ଦେଶରେ ନରହତ୍ୟା ଓ ଦୁଷ୍କର୍ମ ବୃଦ୍ଧି ପାଇଛି। ସେ ଆହୁରି ମଧ୍ୟ କହିଥିଲେ କି, ନିର୍ଭୟା ମାମଲା ପରେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ପାଇଁ ଦାବି ଯୋର୍ ଧରିଲା ଏବଂ ତା’ପରେ ଆଇନ କାର୍ଯ୍ୟକାରୀ କରାଗଲା। ସେବେଠାରୁ ଦେଶରେ ମହିଳାମାନଙ୍କ ସହିତ ଦୁଷ୍କର୍ମ କରାଯିବା ସହ ସେମାନଙ୍କୁ ହତ୍ୟା କରାଯାଉଥିବା ଘଟଣା ବୃଦ୍ଧି ପାଇଛି।
Image Courtesy of NDTVଗେହ୍ଲଟ୍ଙ୍କ ଏତାଦୃଶ ଟିପ୍ପଣୀକୁ ବିରୋଧ କରି ଦିଲ୍ଲୀ ମହିଳା କମିସନ୍ କହିଛି ଯେ, ନିର୍ଭୟାଙ୍କ ଉପରେ ଗେହଲ୍ଟ୍ଙ୍କ ମନ୍ତବ୍ୟ ହିତାହିତ ଜ୍ଞାନରହିତ ଏବଂ ତାହା ଦୁଷ୍କର୍ମ ପୀଡ଼ିତାମାନଙ୍କ ଭାବାବେଗକୁ ଆଘାତ ଦେଉଛି।
ଗଣମାଧ୍ୟମକୁ ଦିଲ୍ଲୀ ମହିଳା କମିସନ୍ର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ୍ କହିଛନ୍ତି, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍ ଦୁଷ୍କର୍ମକାରୀଙ୍କ ଭାଷା କହିବା ଅନୁଚିତ। ନିର୍ଭୟାଙ୍କୁ ସେ ଯେଭଳି ଉପହାସ କଲେ ତାହା ଦୁଷ୍କର୍ମ ପୀଡ଼ିତାଙ୍କ ଭାବାବେଗକୁ ଆଘାତ ଦେଇଛି। ସାନ ପିଲାମାନଙ୍କ ସହିତ ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କୁ ଫାଶୀ ଦେବା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଆମକୁ ଖୁବ୍ ସଂଗ୍ରାମ କରିବାକୁ ପଡ଼ିଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜସ୍ଥାନରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଗେହ୍ଲଟ୍ ନିଜ ରାଜ୍ୟରେ ଏହି ଆଇନକୁ ନିଷ୍ଠାର ସହ ପ୍ରଣୟନ କରିବା ଉଚିତ।
Follow Us