ମୁମ୍ବାଇ: ମାଲେଗାଓଁ ମାମଲାରେ ୧୭ ବର୍ଷ ପରେ ଯେତେବେଳେ ରାୟ ଆସିଛି ଆଉ ସମସ୍ତ ଅଭିଯୁକ୍ତଙ୍କୁ ଯେତେବେଳେ ଏନଆଇଏର ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସେତେବେଳେ କଣ ଥିଲା ମାଲେଗାଓଁ ବିସ୍ଫୋରଣ ମାମଲା ? କେମିତି ହୋଇଥିଲା ବିସ୍ଫୋରଣ ? କଣ ଥିଲା ସେ ଘଟଣାକ୍ରମ- ୨୦୦୮ରୁ ୨୦୨୫ ଯାଏଁ ଚୁମ୍ବକରେ ଜାଣିବାକୁ ସମସ୍ତେ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ଜାଣନ୍ତୁ
ମାଲେଗାଓଁ ମାମଲାର ଘଟଣାକ୍ରମ..
-୨୯ ସେପ୍ଟେମ୍ବର ୨୦୦୮ରେ ହୋଇଥିଲା ମାଲେଗାଓଁ ବିସ୍ଫୋରଣ । ମହାରାଷ୍ଟ୍ର ମାଲେଗାଓଁର ଭିକୁ ଚୌକରେ ହୋଇଥିଲା ବିସ୍ଫୋରଣ ।
-ବାଇକରେ ବୋମା ରଖି କରାଯାଇଥିଲା ବିସ୍ଫୋରଣ । ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୧ ଜଣ ଆହତ ହୋଇଥିଲେ
-ବାଇକଟି ପୂର୍ବତନ ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ଠାକୁରଙ୍କ ନାଁରେ ଥିଲା
-ମହାରାଷ୍ଟ୍ରର ଏଟିଏସ ପ୍ରଥମେ ଘଟଣାର ଯାଞ୍ଚ କରିଥିଲେ
-୨୩ ଅକ୍ଟୋବର ୨୦୦୮ରେ ପ୍ରଜ୍ଞା ଠାକୁରଙ୍କୁ ଗିରଫ କରାଯାଇଥିଲା । ନଭେମ୍ବର ସୁଦ୍ଧା ୧୧ ଜଣଙ୍କୁ ଗିରଫ କରାଯାଇସାରିଥିଲା ।
-ମାମଲାରେ ବିବାଦ ବଢିବାରୁ ୨୦୧୧ରେ ଏନଆଇଏକୁ ତଦନ୍ତର ଭାର ହସ୍ତାନ୍ତର କରାଗଲା
-୨୦୧୬ରେ ଚାର୍ଜସିଟ୍ ଦାଖଲ କରିଥିଲା ଏନଆଇଏ
-ଯେଉଁଥିରେ ସାଧ୍ବୀ ପ୍ରଜ୍ଞା, କର୍ଣ୍ଣେଲ ପ୍ରସାଦଙ୍କ ସମେତ ୭ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା
- ଡିସେମ୍ବର ୨୦୧୮ରେ ବିଚାର ଆରମ୍ଭ ହୋଇଥିଲା । ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ବିସ୍ଫୋରଣ ଘଟଣା ବିଷୟରେ ପ୍ରଶ୍ନ ଉଠାଇଥିଲେ, ଯାହା ଯୋଗୁଁ ମାଲେଗାଓଁର ଅନେକ ଆହତ ବ୍ୟକ୍ତି ମୁମ୍ବାଇ ଯାଇ ସାକ୍ଷ୍ୟ ଦେବାକୁ ବାଧ୍ୟ ହୋଇଥିଲେ।
-୨୦୨୫ ମେ ୮ ତାରିଖରେ ରାୟ ଆସିବାର ଥିଲା, ମାତ୍ର ଏହା ଆଜି ହିଁ ଆସିଛି ଆଉ ୭ ଜଣ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି ।
ରାୟ ପରେ ସାଧ୍ବୀ ପ୍ରଜ୍ଞା ଏନଆଇଏ କୋର୍ଟଙ୍କ ଆଗରେ କହିଛନ୍ତି- ଗୋଟିଏ ଘଟଣା କେମିତି ତାଙ୍କ ପୂରା ଜୀବନକୁ ବର୍ବାଦ କରିଦେଲା ସେକଥା ସେ କହିଛନ୍ତି । ଏନଆଇକୁ ପ୍ରତିକ୍ରିୟା ଦେଇ ସାଧ୍ବୀ କହିଛନ୍ତି- ମୁଁ ଆରମ୍ଭରୁ କହିଥିଲି ଯେ ଯେଉଁମାନଙ୍କୁ ତଦନ୍ତ ପାଇଁ ଡକାଯାଉଛି ସେମାନଙ୍କର ପଛରେ କିଛି ନା କିଛି ଆଧାର ରହିବା ଦରକାର । ମାତ୍ର ସେମାନେ ମୋତେ ତଦନ୍ତ ପାଇଁ ଡାକିଲେ । ମତେ ଗିରଫ କରାଗଲା ଏବଂ ନିର୍ଯାତନା ବି ଦିଆଗଲା । ଯାହା ମୋର ସାରା ଜୀବନକୁ ନଷ୍ଟ ଭ୍ରଷ୍ଟ କରିଦେଲା । ମୁଁ ଜଣେ ସନ୍ନ୍ୟାସୀର ଜୀବନ ବଞ୍ଚୁଥିଲି କିନ୍ତୁ ମୋତେ ଅଭିଯୁକ୍ତ କରିଦିଆଗଲା । ସେତେବେଳେ କେହି ବି ମୋ ପାଖରେ ଛିଡ଼ା ହୋଇ ନଥିଲେ । ମୁଁ ଆଜି ଯଦି ବଞ୍ଚିଛି କେବଳ ଜଣେ ସନ୍ୟାସୀ ବୋଲି.. ସେମାନେ ଏକ ଷଡ଼ଯନ୍ତ୍ର କରି ଗେରୁଆକୁ ବଦନାମ କରିଥିଲେ । ହେଲେ ଆଜି ଗେରୁଆର ବିଜୟ ହୋଇଛି, ହିନ୍ଦୁତ୍ୱର ବିଜୟ ହୋଇଛି । ଯେଉଁମାନେ ଦୋଷୀ ସେମାନଙ୍କୁ ଭଗବାନ ଦଣ୍ଡ ଦେବେ ବୋଲି ସାଧ୍ବୀ କହିଛନ୍ତି ।
ସେହିପରି ଲେଫ୍ଟାନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତ ବି କୋର୍ଟଙ୍କ ସାମ୍ନାରେ କହିଛନ୍ତି-ମାଲେଗାଓଁ ବିସ୍ଫୋରଣ ମାମଲାରେ ଫସିବା ପୂର୍ବରୁ ମୁଁ ଯେଉଁ ଦୃଢ଼ ବିଶ୍ୱାସ ସହିତ ମୋ ଦେଶ ଏବଂ ମୋ ସଂଗଠନର ସେବା କରିବାକୁ ସୁଯୋଗ ପାଇଛି ସେଥିପାଇଁ ଧନ୍ୟବାଦ । ଏସବୁ ଘଟଣା ପାଇଁ ମୁଁ କୌଣସି ସଂଗଠନକୁ ଦୋଷ ଦେଉନାହିଁ । ଏହା ତଦନ୍ତକାରୀ ସଂସ୍ଥାର ଭୁଲ ନୁହେଁ ମାତ୍ର ସଂଗଠନ ଭିତରେ ଥିବା ଲୋକମାନେ ହିଁ ଭୁଲ କରିଛନ୍ତି । ସାଧାରଣ ଲୋକଙ୍କ ବିଶ୍ୱାସକୁ ପୁଣି ଥରେ ବ୍ୟବସ୍ଥା ଉପରେ ଫେରାଇ ଆଣିବା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି ।
ଅଧିକ ପଢନ୍ତୁ-
ମାଲେଗାଓଁ ରାୟ: କିଏ ସେହି ୭ ଅଭିଯୁକ୍ତ ? ଯେଉଁମାନେ ୧୭ ବର୍ଷ ପରେ ହେଲେ ଦୋଷମୁକ୍ତ