ଅନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ କଡ଼ା ନଜର; ଚଣ୍ଡିଗଡ଼ରେ ୨, ମହାରାଷ୍ଟ୍ରରେ ୬ ଆଫ୍ରିକା ଫେରନ୍ତାଙ୍କୁ କରୋନା

Advertisment

୧୫ ଦିନରେ ମୁମ୍ବାଇକୁ ୧୦୦୦ ଜଣ ଆଫ୍ରିକୀୟ ରାଷ୍ଟ୍ରରୁ ଫେରିଛନ୍ତି

୧୫ ଦିନରେ ମୁମ୍ବାଇକୁ ୧୦୦୦ ଜଣ ଆଫ୍ରିକୀୟ ରାଷ୍ଟ୍ରରୁ ଫେରିଛନ୍ତି

ଅନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ କଡ଼ା ନଜର; ଚଣ୍ଡିଗଡ଼ରେ ୨, ମହାରାଷ୍ଟ୍ରରେ ୬ ଆଫ୍ରିକା ଫେରନ୍ତାଙ୍କୁ କରୋନା

ଚଣ୍ଡିଗଡ଼: କୋଭିଡ୍‌ର ନୂଆ ଘାତକ ପ୍ରଜାତି ‘ଓମିକ୍ରନ୍‌’କୁ ନେଇ ଏବେ ବିଶ୍ବବ୍ୟାପୀ ଭୟ ଓ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି। ସମଗ୍ର ଏସିଆ, ୟୁରୋପ, ଆମେରିକା ଏବଂ ଆଫ୍ରିକାରେ ଏବେ ସତର୍କତା ପଦକ୍ଷେପ ବଢ଼ାଇ ଦିଆଯାଇଛି। ଭାରତର ବ୍ୟସ୍ତବହୁଳ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମଦାବାଦ, ଚେନ୍ନାଇ, କୋଲକାତା, କୋଚିନ ଏବଂ ପୁନେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଦେଶରୁ ପହଞ୍ଚୁଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ଏବଂ ସ୍ବତନ୍ତ୍ର କଟକଣା ଲାଗୁ ହୋଇଛି।

ପୂର୍ବରୁ ଜାରି ନିର୍ଦ୍ଦେଶ ମୁତାବକ ଯାତ୍ରୀମାନଙ୍କୁ ୧୪ ଦିନର ଭ୍ରମଣ ରିପୋର୍ଟ ତଥ୍ୟ ସାଂଗକୁ ଆର୍‌ଟି-ପିସିଆର୍‌ ଯାଞ୍ଚ ରିପୋର୍ଟ ଅପଲୋଡ୍‌ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଭାରତରେ ଏବେ ଆଫ୍ରିକାରୁ ଫେରିଥିବା କିଛି ଯାତ୍ରୀଙ୍କ କ୍ଷେତ୍ରରେ ନୂଆ ସଂକ୍ରମଣ ମାମଲା ଚିନ୍ତାଜନକ ହୋଇଛି। ଗତକାଲି ଦକ୍ଷିଣ ଆଫ୍ରିକାରୁ କର୍ଣ୍ଣାଟକକୁ ଫେରିଥିବା ୨ ଜଣ ଯାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ନମୁନା ଡେଲ୍‌ଟାଠାରୁ ଭିନ୍ନ ଥିବା ଜଣାପଡ଼ିଛି। ସେହିପରି ଦକ୍ଷିଣ ଆଫ୍ରିକାରୁ ଚଣ୍ଡିଗଡ଼କୁ ଫେରିଥିବା ଜଣେ ୩୯ ବର୍ଷୀୟ ଯୁବକ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୨ ଜଣ ସଂକ୍ରମିତ ହୋଇଛନ୍ତି। ଚଣ୍ଡିଗଡ଼ରେ ଉକ୍ତ ଯୁବକଙ୍କ ପରିବାର ସଦସ୍ୟ ଏବଂ ତାଙ୍କ ଘରୋଇ ସହାୟକ କରୋନା ସଂକ୍ରମିତ ହୋଇଛନ୍ତି। ଉକ୍ତ ନମୁନାର ଜିନେମ୍‌ ସିକ୍ବେନ୍ସିଂ ପାଇଁ ଦିଲ୍ଲୀ ପଠାଯାଇଛି।

ଅନ୍ୟପକ୍ଷରେ ଗତ ୧୫ ଦିନ ମଧ୍ୟରେ ଆଫ୍ରିକୀୟ ରାଷ୍ଟ୍ରରୁ ଅତି କମ୍‌‌ରେ ୧୦୦୦ ଜଣ ଯାତ୍ରୀ ମୁମ୍ବାଇକୁ ଫେରିଛନ୍ତି। କିନ୍ତୁ ବିଏମ୍‌ସି ପାଖରେ ଏଯାବତ୍‌ ୪୬୬ ଜଣଙ୍କ ତାଲିକା ଅଛି। ଏଥିମଧ୍ୟରୁ ୧୦୦ ଯାତ୍ରୀଙ୍କର ନମୁନା ପରୀକ୍ଷା କରାଯାଇଛି। ୬ ଜଣ ଯାତ୍ରୀଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସମସ୍ତଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଛି ଏବଂ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଓମିକ୍ରନ୍‌କୁ ନେଇ ଭୟ ବଢ଼ିବାରୁ ବିଭିନ୍ନ ରାଜ୍ୟ କଟକଣା କଡ଼ାକଡ଼ି କରିଛନ୍ତି।

କେରଳରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ପକ୍ଷରୁ ଆଜି କୁହାଯାଇଛି ଯେ ଯେଉଁମ‌ାନେ କରୋନା ସୁରକ୍ଷା ପଦକ୍ଷେପରେ ସହଯୋଗ କରିବେନି ସେମାନଙ୍କୁ ମାଗଣା ଚିକିତ୍ସା ମିଳିବ ନାହିଁ। ଟିକା‌ ନନେଇ କାର୍ଯ୍ୟ କରୁଥିବା ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନେ ସାପ୍ତାହିକ ଟେଷ୍ଟ୍‌ ରିପୋର୍ଟ ଦାଖଲ କରିବେ। କର୍ଣ୍ଣାଟକରେ ମଧ୍ୟ କଟକଣା କଡ଼ାକଡ଼ି ହୋଇଛି। କର୍ଣ୍ଣାଟକରେ ପହଞ୍ଚୁଥିବା ଅନ୍ତର୍ଜାତୀୟ ଯାତ୍ରୀମାନେ ବାଧ୍ୟତାମୂଳକ ଆର୍‌ଟିପିସିଆର ଟେଷ୍ଟ୍‌ କରିବେ ଏବଂ ୭ ଦିନ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିବେ। ରାଜସ୍ଥାନରେ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe