Image Courtesy of The Financial Express
ଓ୍ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଜି ସଂସଦର ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍( ପ୍ରତିନିଧି ସଭା)ରେ ଗୃହୀତ ହୋଇଯାଇଛି। ଦୀର୍ଘ ୧୦ ଘଣ୍ଟାର ଐତିହାସିକ ବିତର୍କ ପରେ ଭୋଟ୍ ଗ୍ରହଣ ହୋଇଥିଲା ଏବଂ ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୨୩୧ ଜଣ ସାଂସଦ ଭୋଟ୍ ଦେଇଥିବା ବେଳେ ପ୍ରସ୍ତାବ ବିରୋଧରେ ୧୯୭ ସାଂସଦ ଭୋଟ୍ ଦେଇଥିଲେ। କାର୍ଯ୍ୟକାଳ ସରିବା ପରେ ଏଭଳି ମହାଭିଯୋଗର ସମ୍ମୁଖୀନ ହେବାରେ ଟ୍ରମ୍ପ୍ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି। ସଂଖ୍ୟାଗରିଷ୍ଠ ଥିବା ଡେମୋକ୍ରାଟ୍ ଦଳ ପକ୍ଷରୁ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବକୁ ୧୦ ଜଣ ରିପବ୍ଲିକାନ ସଦସ୍ୟ ମଧ୍ୟ ସମର୍ଥନ କରିବା ଟ୍ରମ୍ପ୍ ଏବଂ ତାଙ୍କ ଦଳ ପାଇଁ ବଡ଼ ଝଟ୍କା ହୋଇଛି। ଟ୍ରମ୍ପ୍ଙ୍କ କାର୍ଯ୍ୟ ଦେଶ ବିରୋଧୀ ଏବଂ ସଂସଦ ଭବନ ପରିସରରେ ହୋଇଥିବା ଦଙ୍ଗା ପାଇଁ ଟ୍ରମ୍ପ୍ ହିଁ ସଂପୂର୍ଣ୍ଣ ଦାୟୀ ବୋଲି ଡେମୋକ୍ରାଟ ସାଂସଦମାନେ କହିଥିଲେ।
ତେବେ ଅନେକ ବରିଷ୍ଠ ରିପବ୍ଲିକାନ୍ ସାଂସଦ କହିଥିଲେ ଯେ କାର୍ଯ୍ୟକାଳ ସରିଥିବା ରାଷ୍ଟ୍ରପତିଙ୍କ ବିରୋଧରେ ଏଭଳି ମହାଭିଯୋଗ ପ୍ରସ୍ତାବ ଅପ୍ରାସଙ୍ଗିକ ଏବଂ ଏହା ଦେଶରେ ଅଧିକ ବିଭାଜନ ସୃଷ୍ଟି କରିବ। ବାଚସ୍ପତି ନାନ୍ସି ପେଲୋସି ଏହାର ଜବାବରେ କହିଥିଲେ ଯେ ଟ୍ରମ୍ପ୍ଙ୍କ କାର୍ଯ୍ୟ ଆମେରିକା ପାଇଁ କଳଙ୍କ ଆଣିଛି ଏବଂ ଆମେରିକାର ଗଣତନ୍ତ୍ରକୁ ବିପଦରେ ପକାଇ ଦେଇଛି। ମହାଭିଯୋଗ ବିତର୍କରେ ଅଧିକାଂଶ ସାଂସଦ କ୍ୟାପିଟଲ ହିଂସା ପାଇଁ ଟ୍ରମ୍ପ୍ଙ୍କୁ ସିଧାସଳଖ ଦାୟୀ କରିଥିଲେ ଏବଂ ସେ ଗୋଟିଏ ମୁହୂର୍ତ୍ତ ବି କ୍ଷମତାରେ ରହିବା ଉଚିତ ନୁହେଁ ବୋଲି କହିଥିଲେ। ଆଜି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ରେ ଗୃହୀତ ହୋଇଥିବା ମହାଭିଯୋଗ ପ୍ରସ୍ତାବକୁ ତତ୍କାଳ ସିନେଟ୍କୁ ପଠାଯିବା ବ୍ୟବସ୍ଥା ହେଉଛି। ତେବେ ସିନେଟ୍ର ଅଧିବେଶନ କେବେ ଆରମ୍ଭ ହେବ ତାହା ଧାର୍ଯ୍ୟ ହୋଇନଥିବାରୁ ଟ୍ରମ୍ପ୍ ଏଥିରୁ ବର୍ତ୍ତିଯିବା ସମ୍ଭାବନା ଅଧିକ ବୋଲି କୁହାଯାଉଛି। ୨୦୧୯ ଡିସେମ୍ବର ୧୮ରେ ମଧ୍ୟ ଟ୍ରମ୍ପ୍ଙ୍କ ବିରୋଧରେ ପ୍ରତିନିଧି ସଭାରେ ମହାଭିଯୋଗ ଗୃହୀତ ହୋଇଥିଲା ଏବଂ ପରେ ଏହା ସିନେଟ୍ରେ କାଟ ଖାଇଥିଲା।
ଗତ ବୁଧବାର ନିଜ ସମର୍ଥକମାନଙ୍କୁ ଟ୍ରମ୍ପ୍ ଉସୁକାଇ ସଂସଦ ଭବନ ସମେତ ରାଜଧାନୀରେ ବ୍ୟାପକ ଭଙ୍ଗାରୁଜା ସହ ଅପ୍ରତ୍ୟାଶିତ ହିଂସାତ୍ମକ ଦଙ୍ଗା ଭିଆଇଥିଲେ। ଏଥିଯୋଗୁଁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଗଣତି ଚାଲିଥିବା ଇଲେକ୍ଟୋରାଲ ଭୋଟ ପ୍ରକ୍ରିୟାରେ ସାମୟିକ ଭାବେ ବାଧା ଉପୁଜିବା ସହ ଜଣେ ପୁଲିସ ଅଧିକାରୀଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଅସ୍ଥିରତା ସୃଷ୍ଟି ପାଇଁ ଭାଷଣ ମାଧ୍ୟମରେ ଟ୍ରମ୍ପ୍ ନିଜ ସମର୍ଥକମାନଙ୍କୁ ଏଭଳି ଉସୁକାଇଥିଲେ ବୋଲି ଅଭିଯୋଗ ଆଣି ଡେମୋକ୍ରାଟ୍ ଦଳ ପକ୍ଷରୁ ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଥିଲା। ଅପରପକ୍ଷେ, ୨୦ ତାରିଖରେ ଜୋ ବାଇଡେନ୍ଙ୍କ ଶପଥ ଗ୍ରହଣ ପୂର୍ବରୁ ସିନେଟ୍ରେ ମହାଭିଯୋଗ ପ୍ରସ୍ତାବ ଉପରେ ଭୋଟଗ୍ରହଣ ହୋଇପାରିବ ନାହିଁ ବୋଲି ସିନେଟ୍ର ସଂଖ୍ୟାଗରିଷ୍ଠ ରିପବ୍ଳିକାନ ଦଳ ନେତା ମିଚ୍ ମ୍ୟାକନେଲ କହିଛନ୍ତି।
Follow Us