Image Courtesy of Zee News
ଇଡୁକ୍କି: ସ୍ବାମୀଙ୍କୁ ଭିଡିଓ କଲ୍ କରୁଥିବା ବେଳେ ଇସ୍ରାଏଲ୍ରେ କାର୍ଯ୍ୟରତା ଜଣେ କେରଳୀ ମହିଳା ମଙ୍ଗଳବାର ଦିନ ପାଲେଷ୍ଟାଇନୀୟ ରକେଟ୍ ଆକ୍ରମଣରେ ସରବ୍ୟ ହୋଇ ନିହତ ହୋଇଥିବା କଥା ତାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି।
ସେମାନେ କହୁଛନ୍ତି, କେରଳରେ ଥିବା ସ୍ବାମୀ ସନ୍ତୋଷଙ୍କ ସହ ଗତ ସନ୍ଧ୍ୟାରେ ୩୧ ବର୍ଷୀୟ ସୌମ୍ୟା ଭିଡିଓ କଲ୍ ଜରିଆରେ କଥାବାର୍ତ୍ତା କରୁଥିବା ବେଳେ ଆସ୍ଖେଲନ୍ ସହର ଅନ୍ତର୍ଗତ ତାଙ୍କ ଘର ଉପରେ ଗୋଟାଏ ରକେଟ୍ ଖସିପଡ଼ିଲା।
ଗଣମାଧ୍ୟମକୁ ସନ୍ତୋଷଙ୍କ ଭାଇ ସାଜି କହିଛନ୍ତି, ଭିଡିଓ କଲ୍ ବେଳେ ଭାଇ ଗୋଟାଏ ପ୍ରଚଣ୍ଡ ଶବ୍ଦ ଶୁଣିଲେ। ହଠାତ୍ ଫୋନ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ଅବିଳମ୍ବେ ଆମେ ତାଙ୍କ ପରିଚିତ କିଛି ମାଲୟାଲୀୟମାନଙ୍କୁ ଫୋନ୍ କଲୁ। ତା’ପରେ ଆମେ ଘଟଣା ସଂକ୍ରାନ୍ତରେ ଅବଗତ ହେଲୁ।
ଆତ୍ମୀୟମାନଙ୍କ କହିବା ଅନୁସାରେ, କେରଳର ଇଡୁକ୍କି ଜିଲ୍ଲାବାସିନୀ ସୌମ୍ୟା ଗତ ସାତ ବର୍ଷ ହେବ ଇସ୍ରାଏଲ୍ରେ ଗୃହ-ସହାୟିକା ଭାବେ କାର୍ଯ୍ୟ କରିଆସୁଥିଲେ। କିନ୍ତୁ, ଘଟଣା ସଂକ୍ରାନ୍ତରେ ସରକାରୀସୂତ୍ରରୁ କୌଣସି ସୁନିଶ୍ଚିତ ସୂଚନା ମିଳିନାହିଁ।
Image Courtesy of India Todayସଦ୍ୟତମ ସୂଚନା ଅନୁସାରେ, ଗତରାତିରେ ଇସ୍ରାଏଲୀୟ ଏବଂ ହମାସମାନଙ୍କ ମଧ୍ୟରେ ବିବାଦ ତେଜିବାରୁ ରକେଟ୍ ଆକ୍ରମଣ ତୀବ୍ରତର ହୋଇଥିଲା। ଫଳରେ, ଗାଜାରେ ୩୫ଜଣ ପାଲେଷ୍ଟିନୀୟ ଏବଂ ଇସ୍ରାଏଲ୍ରେ ୩ଜଣଙ୍କର ମୃତ୍ୟୁ ଘଟିଛି।
ତେଲ୍ ଆଭିଭା ଏବଂ ବୀର୍ଶେବା ଉପରେ ଇସ୍ଲାମୀୟ ସଙ୍ଗଠନ ଏବଂ ପାଲେଷ୍ଟାଇନୀୟ ଆତଙ୍କବାଦୀ ସଙ୍ଗଠନ ସବୁ ଏକାଧିକ ରକେଟ୍ ନିକ୍ଷେପ କରିବାରୁ ବୁଧବାର ପ୍ରତ୍ୟୁଷ ପର୍ଯ୍ୟନ୍ତ ଇସ୍ରାଏଲ୍ ଗାଜା ଉପରକୁ ଶହ ଶହ ରକେଟ୍ ନିକ୍ଷେପ କରିଥିଲା।
ଏକାଧିକ ଥର ଇସ୍ରାଏଲୀୟ ରକେଟ୍ ନିକ୍ଷେପ କାରଣରୁ ଗାଜାରେ ଗୋଟାଏ ବହୁତଳ ଆବାସିକ ଭବନ ଧ୍ବଂସ ହୋଇଯାଇଛି ଏବଂ ଆଉ ଗୋଟିଏ ଖୁବ୍ କ୍ଷତିଗ୍ରସ୍ତ ହୋଇଛି। ଗୁଇନ୍ଦା କେନ୍ଦ୍ର ସହ ରକେଟ୍ ଉତ୍କ୍ଷେପଣସ୍ଥଳୀ ସମେତ ହମାସମାନଙ୍କ ଆଡ୍ଡା ଉପରେ ଏହି ଆକ୍ରମଣ କରିଥିବା କଥା ଇସ୍ରାଏଲ୍ ସ୍ବୀକାର କରିଛି।
ଏଭଳି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଜାତିସଂଘର ମଧ୍ୟପ୍ରାଚ୍ୟ ଶାନ୍ତିଦୂତ ଟର୍ ୱେନେସ୍ଲାଣ୍ଡ୍ ବୁଧବାର ସକାଳେ ଟୁଇଟ୍ କରିଛନ୍ତି, ତୁରନ୍ତ ରକେଟ୍ ଉତ୍କ୍ଷେପଣ ବନ୍ଦ କର। ଆମେ ଭୟଙ୍କର ଯୁଦ୍ଧ ଆଡ଼କୁ ମୁହାଁଇଲେଣି। ଉତ୍ତେଜନା ପ୍ରଶମନ ପାଇଁ ଉଭୟ ପକ୍ଷର ନେତୃବର୍ଗ ଦାୟିତ୍ବ ନେବା ଉଚିତ।
Follow Us