ଅମରାବତୀ: ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାରେ ଏକ ଘରୋଇ କଲେଜର ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ର ପ୍ରକୋଷ୍ଠରେ ପାଠ ପଢ଼ାଯାଉଥିବା ବେଳେ ହଠାତ୍ ବାହାରି ତିନି ମହଲାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସିସିଟିଭିରେ ଉତ୍ତୋଳିତ ହୋଇଥିବା ଭିଡିଓ ବେଶ୍ ଭାଇରାଲ୍ ହୋଇଛି। ଅନନ୍ତପୁର ଗ୍ରାମାଞ୍ଚଳ ଉପଖଣ୍ଡ ପୁଲିସ ଅଧିକାରୀ ଡି ଭେଙ୍କେଟେଶ୍ବରୁଲୁ କହିଛନ୍ତି, ସଂକ୍ରାନ୍ତି ଛୁଟି ବିତେଇବା ପରେ ଛାତ୍ର ଜଣକ ଆଜି ପୂର୍ବାହ୍ଣ ସାଢ଼େ ୯ଟାରେ ବିଦ୍ୟାଳୟକୁ ଆସିଥିଲା। ପାଠପଢ଼ା ଚାଲିଥିବା ବେଳେ, ପୂର୍ବାହ୍ନ ୧୧ଟା ୫୫ ମିନିଟ୍ରେ ହଠାତ୍ ଶ୍ରେଣୀ ପ୍ରକୋଷ୍ଠରୁ ବାହାରି ତିନି ମହଲା କୋଠା ଉପରୁ ଡେଇଁ ପଡ଼ିଥିଲା।
ଗୁରୁତର ଅବସ୍ଥାରେ କଲେଜ କର୍ତ୍ତୃପକ୍ଷ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ରଜଣକ ଯୁକ୍ତ ଦୁଇ ପ୍ରଥମ ବର୍ଷର । ତାଙ୍କ ଘର ଶ୍ରୀସତ୍ୟସାଇ ଜିଲ୍ଲାର ବାଥେନାପଲି ମଣ୍ଡଳ ଅନ୍ତର୍ଗତ ରାମପୁରମ୍ରେ। ଏନେଇ ଛାତ୍ରଙ୍କ ପିତାମାତା ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆତ୍ମହତ୍ୟାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
Follow Us