ଅଧଘଣ୍ଟା ପରେ ଗୁରୁପୂର୍ଣ୍ଣିମା ପାଇଁ ଦେଇଥାନ୍ତେ ଭାଷଣ, ହୃଦଘାତରେ ଚାଲିଗଲା ଛାତ୍ରଙ୍କ ଜୀବନ

Advertisment
ଅଧଘଣ୍ଟା ପରେ ଗୁରୁପୂର୍ଣ୍ଣିମା ପାଇଁ ଦେଇଥାନ୍ତେ ଭାଷଣ, ହୃଦଘାତରେ ଚାଲିଗଲା ଛାତ୍ରଙ୍କ ଜୀବନ

ଅହମଦାବାଦ: ଆଉ ଅଧଘଣ୍ଟା ପରେ ଗୁରୁପୂର୍ଣ୍ଣିମା ପାଇଁ ଭାଷଣ ଦେଇଥାନ୍ତେ | ଜୀବନରେ ଗୁରୁଙ୍କ ମହତ୍ତ୍ୱ କଣ, ଗୁରୁଙ୍କ ଭୂମିକାର ଗୁରୁତ୍ୱ ବୁଝାଇଥାନ୍ତେ, କିନ୍ତୁ ଏହା ପୂର୍ବରୁ ହୃଦଘାତରେ ଚାଲିଯାଇଛି ଜଣେ ଛାତ୍ରଙ୍କ ଜୀବନ | ବୟସ ବି ସେତେ ବେଶୀ ହୋଇନଥିଲା, ମାତ୍ର ୧୫ ବର୍ଷ | ପାଠପଢା ସହ ବକୃତା ଦେବାରେ ରୁଚି ରଖୁଥିବା ଛାତ୍ରର ଅକାଳ ବିୟୋଗରେ ଏବେ ସ୍କୁଲ ଗୁମୁରି ଗୁମୁରି କାନ୍ଦୁଥିବାବେଳେ ଏକମାତ୍ର ପୁଅକୁ ହରାଇ ବାପା-ମା ଏକଦମ ନିର୍ବାକ | ଗୁଜୁରାଟର ରାଜକୋଟ ଜିଲ୍ଲାର ଗୋଣ୍ଡାଲରେ ଥିବା ସ୍ୱାମୀ ନାରାୟଣ ଗୁରୁକୁଲରେ ଆଜି ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଏହି ଛାତ୍ରଙ୍କ ନାମ ହେଉଛି ଦେବାଂଶ ବଙ୍କୁଭାଇ ଭୟାନି | ଗୁରୁପୁର୍ଣ୍ଣିମା ପାଇଁ ଆଜି ବିଦ୍ୟାଳୟରେ ପ୍ରାୟ ୫୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ କାର୍ଯ୍ୟକ୍ରମ ହେବାର ଥିଲା | ସକାଳ ନଅଟା ବେଳେ ସେ ଭାଷଣ ଦେଇଥାନ୍ତେ |

ତେବେ ସକାଳ ପ୍ରାୟ ୮ଟା ୩୦ ସମୟରେ ଦେବାଂଶଙ୍କୁ ହୃଦଘାତ ହୋଇଥିଲା। ଏହାପରେ କାର୍ଯ୍ୟକ୍ରମକୁ ବାତିଲ କରାଯାଇ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତରଖାନାରେ ଉପସ୍ଥିତ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଦେବାଂଶଙ୍କ ବାପା-ମା କହିଛନ୍ତି ଗୁରୁପୂର୍ଣ୍ଣିମା କାର୍ଯ୍ୟକ୍ରମରେ ଭାଷଣ ଦେବା ପାଇଁ ପୁଅ ଅନେକ ପ୍ରସ୍ତୁତି କରିଥିଲେ। ଏହି କାର୍ଯ୍ୟକ୍ରମ ପୂର୍ବରୁ ଦେବାଂଶ ତାଙ୍କ ପିତାଙ୍କ ନିକଟକୁ ଏକ ଫଟୋ ପଠାଇ କଥା ହୋଇଥିଲେ। ଏହି ଫଟୋରେ ବାପା ସଫଳ ହୁଅ ବୋଲି ମଧ୍ୟ ମେସେଜ ପଠାଇଥିଲେ | କିନ୍ତୁ ମେସେଜ ପଠାଇବାର ୧୦ ମିନିଟ ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପୁଅ ଆଉ ଦୁନିଆରେ ନାହାଁନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe