ସଂସଦ ଅଭିମୁଖେ ସିଏଏ ବିରୋଧୀ, ପୁଲିସ-ଛାତ୍ର ମୁହାଁମୁହିଁ

ଡାକ୍ତରଖାନାରେ ଭର୍ତ୍ତି ହେଲେ ୧୦ରୁ ଅଧିକ ଛାତ୍ରଛାତ୍ରୀ

ସଂସଦ ଅଭିମୁଖେ ସିଏଏ ବିରୋଧୀ, ପୁଲିସ-ଛାତ୍ର ମୁହାଁମୁହିଁ

India Today

ନୂଆଦିଲ୍ଲୀ: ସଂସଦ ଆଡ଼କୁ ସିଏଏ ବିରୋଧୀ ଆନ୍ଦୋଳନ ଯାତ୍ରାରେ ଯାଉଥିବା ସମୟ‌ରେ ଆଜି ଦିଲ୍ଲୀ ପୁଲିସ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଜାମିଆ ମିଲିଆ ଛାତ୍ରଙ୍କ ସମେତ ଜାମିଆ ଅଞ୍ଚଳର ଅନେକ ସଂଖ୍ୟାରେ ଆନ୍ଦୋଳନକାରୀ ଆଜି ସିଏଏ ବିରୋଧରେ ଆନ୍ଦୋଳନ କରିଥିଲେ। ସେମାନେ ଜାମିଆ ବିଶ୍ବବିଦ୍ୟାଳୟ ନିକଟରୁ ସଂସଦ ଅଭିମୁଖେ ବାହାରିଥିଲେ। ତେବେ ପୁଲିସ ଆନ୍ଦୋଳକାରୀଙ୍କୁ ଓଖ୍‌ଲାର ହୋଲି ଫ୍ୟାମିଲି ହସ୍ପିଟାଲ୍‌ ନିକଟରେ ଅଟକାଇଥିଲା। କିନ୍ତୁ ଆନ୍ଦୋଳନକାରୀମାନେ ପୁଲିସକୁ ବିରୋଧ କରିଥିଲେ। ସେମାନେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ ଏବଂ ବ୍ୟାରିକେଡ୍‌ ଡେଇଁ ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ। ପୁଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିଲା। ପୁଲିସ ଆନ୍ଦୋଳନକାରୀଙ୍କ ଉପରକୁ ଲାଠି ମାଡ଼ କରିଥିବା ଜଣାପଡ଼ିଛି। ପୁଲିସ ମଧ୍ୟ କିଛି ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି। ଉଲ୍ଲେଖଯୋଗ୍ୟ ଜାମିଆ ଛାତ୍ର ଏବଂ ପୂର୍ବତନ ଛାତ୍ରଙ୍କୁ ନେଇ ଗଠିତ ଏକ କମିଟି ଜେସିସି (ଜାମିଆ ସମବାୟ କମିଟି) ଦ୍ବାରା ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଜାମିଆ ନଗରର ଅନେକ ଲୋକ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ। ଜାମିଆର ଗେଟ୍‌ ନମ୍ବର ୭ରୁ ଆନ୍ଦୋଳନ ଯାତ୍ରା ଆରମ୍ଭ ହୋଇଥିଲା। ତେବେ ପୁଲିସ ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନ ବନ୍ଦ କରିବାପାଇଁ କହିଥିଲା। ସଂସଦକୁ ଆନ୍ଦୋଳନ ପାଇଁ ଅନୁମତି ନାହିଁ ବୋଲି ପୁଲିସ କହିଥିଲେ ସୁଦ୍ଧା ଆନ୍ଦୋଳନକାରୀ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ଆନ୍ଦୋଳନକାରୀମାନେ କହିଥିଲେ, ସଂସଦକୁ ଆନ୍ଦୋଳନ ଯାତ୍ରା ପାଇଁ ସେମାନଙ୍କ ଅଧିକାର ଅଛି ଏବଂ ସେମାନେ ଏହା ଜାରି ରଖିବେ। ତେବେ ଆଜିର ଆନ୍ଦୋଳନ ସମୟରେ ଅନେକ ସଂଖ୍ୟାରେ ଆନ୍ଦୋଳନକାରୀ ପୁଲିସ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।

ଆନ୍ଦୋଳନରେ ଛାତ୍ରୀମାନେ ମଧ୍ୟ ସାମିଲ ଥିଲେ। ପ୍ରାୟ ୧୦ରୁ ଅଧିକ ଛାତ୍ରଛାତ୍ରୀ ଏବେ ପୁଲିସ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ସେମାନଙ୍କ ଗୁପ୍ତାଙ୍ଗରେ ଆଘାତ ଲାଗିଛି ଏବଂ ସେମାନେ ଏବେ ଜାମିଆ ‌ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। କିଛି ପୁରୁଷ ଛାତ୍ର ମଧ୍ୟ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି ଏବଂ କେତେଜଣ ମଧ୍ୟ ଏମର୍ଜେନ୍ସି ୱାର୍ଡରେ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe