ବିଦ୍ୟାର୍ଥୀଙ୍କୁ ଆଶ୍ୱସ୍ତି: ଅଧା ହେବ ଏନ୍‌ସିଇଆର୍‌ଟି ପାଠ୍ୟକ୍ରମ

Advertisment
ବିଦ୍ୟାର୍ଥୀଙ୍କୁ ଆଶ୍ୱସ୍ତି: ଅଧା ହେବ ଏନ୍‌ସିଇଆର୍‌ଟି ପାଠ୍ୟକ୍ରମ

ନୂଆଦିଲ୍ଲୀ: ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଶିକ୍ଷାବର୍ଷରୁ ଆଶ୍ୱସ୍ତି ମିଳିବ। ଭାରୀ ବହିବସ୍ତାନି ବୋହିବା ଯନ୍ତ୍ରଣା ଅଧାଅଧି କମିଯିବ। ୨୦୧୯ ଶିକ୍ଷାବର୍ଷରୁ ଏନ୍‌ସିଇଆର୍‌ଟି ତାହାର ପାଠ୍ୟକ୍ରମକୁ ଅଧା କରିଦେଉଥିବାରୁ ବିଦ୍ୟାର୍ଥୀମାନଙ୍କୁ ଆଉ ନୟାନ୍ତ ହେବାକୁ ପଡ଼ିବନି ବୋଲି ଜଣାଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଜାଭଡ଼େକରଙ୍କ କହିବା ଅନୁଯାୟୀ, ସମ୍ପ୍ରତି ଏନ୍‌ସିଇଆର୍‌ଟିର ଚାଲୁ ରହିଥିବା ବିଦ୍ୟାଳୟ ପାଠ୍ୟକ୍ରମ ସାଧାରଣ ଭାବେ ବିଶ୍ୱବିଦ୍ୟାଳୟସ୍ତରର ସ୍ନାତକ ପାଠ୍ୟକ୍ରମ ପରି ବହୁଳ ଓ ବ୍ୟାପକ ପରିମାଣର ରହିଛି। ଫଳରେ ଛାତ୍ରଛାତ୍ରୀମାନେ କେବଳ ପାଠମନସ୍କ ହେବାରେ ସମୟ ସରିଯାଉଛି। ସେମାନଙ୍କୁ ଅନ୍ୟାନ୍ୟ ରୁଚି ସମ୍ବଳିତ କାର୍ଯ୍ୟକଳାପର ସାମଗ୍ରିକ ବିକାଶ ପାଇଁ ଫୁରୁସତ ମିଳୁନି। ତେଣୁ ବିଦ୍ୟାର୍ଥୀମାନଙ୍କୁ ବିଦ୍ୟାଳୟ ସ୍ତରରୁ ସ୍ୱୟଂସମ୍ପୂର୍ଣ୍ଣ କରି ଗଢ଼ିତୋଳିବା ପାଇଁ ସେମାନଙ୍କୁ ସ୍ୱାଧୀନତା ମିଳିବା ଜରୁରୀ। ତେଣୁ ଆସନ୍ତା ବର୍ଷରୁ ଏନ୍‌ସିଇଆର୍‌ଟି ତାହାର ପାଠ୍ୟକ୍ରମକୁ ପୂରା ଅଧା କରିଦେବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ବାର୍ଷିକ ପରୀକ୍ଷାରେ ଅସଫଳ ଛାତ୍ରଛାତ୍ରୀଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ନହେବାର ପୁରୁଣା ପ୍ରଥାକୁ ମଧ୍ୟ ପୁଣି ଥରେ ଲାଗୁ କରାଯିବା ପାଇଁ ବିଚାର କରାଯାଉଛି। କାରଣ ପରୀକ୍ଷାର ଗୁରୁତ୍ୱ ନରହିଲେ ପ୍ରତିଯୋଗିତା ମନୋଭାବ ରହିବନି ଏବଂ ଭବିଷ୍ୟତ ଲକ୍ଷ୍ୟ ହାସଲ ହୋଇପାରିବନି ବୋଲି ଜାଭଡ଼େକର ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe