ଜୟପୁର: ସପ୍ତାହେ ତଳେ ରାଜସ୍ଥାନର କୋଟା ଅନ୍ତର୍ଗତ ନାନ୍ତା ମହଲ ସରକାରୀ ବିଦ୍ୟାଳୟରେ ପ୍ରବେଶ କରିଥିବା ଗୋଟାଏ କଲରାପତ୍ରିଆ ପୁରୁଣା କୋଠା ଭିତରେ ରହିଥିବାରୁ ପିଲାଏ ପାଠ ପଢ଼ିବାକୁ ଯାଇ ପାରୁ ନ ଥିବା ରିପୋର୍ଟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି।
ଅନୁପ୍ରବେଶକାରୀ କଲରାପତ୍ରିଆକୁ ‘ଟ୍ରାଙ୍କ୍ୟୁଲାଇଜ୍’ (ଅଚେତନ) କରି ଧରିବାକୁ ମଙ୍ଗଳବାର ଦିନ ରାଥୋମ୍ବର୍ ଜାତୀୟ ଉଦ୍ୟାନରୁ ଏକ ଟିମ୍ କୋଟା ଆସିଥିଲେ। କିନ୍ତୁ, ରାତି ପର୍ଯ୍ୟନ୍ତ କଲରାପତ୍ରିଆକୁ ଠାବ କରି ନ ପାରିବାରୁ ସେମାନେ ବିଫଳପ୍ରଯତ୍ନ ହୋଇଥିଲେ। ବନ ବିଭାଗର ଜଣେ କର୍ମଚାରୀ କହିଛନ୍ତି, ରାତିରେ ମଧ୍ୟ ତାଙ୍କ ଟିମ୍ ତଲାସ ଜାରି ରଖିବ ଓ ସ୍କୁଲ୍ କୋଠା ବାହାରେ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯିବ।
Image Courtesy of Times of Indiaଏହାଛଡ଼ା, ବନ ବିଭାଗ କଲରାପତ୍ରିଆର ଗତିବିଧି ରେକର୍ଡ କରିବା ପାଇଁ ଟ୍ରାପ୍ କ୍ୟାମେରା ଲଗାଇବା ସହିତ ତାକୁ ଧରିବା ପାଇଁ ଯନ୍ତା ବି ବସାଇଥିଲେ। କିନ୍ତୁ, ସେ ଯନ୍ତାରେ ନ ପଡ଼ିବାରୁ ତାକୁ ‘ଟ୍ରାଙ୍କ୍ୟୁଲାଇଜ୍’ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କଲରାପତ୍ରିଆଟି ମାଈ ହୋଇ ଥିବାରୁ ତାକୁ ‘ଟ୍ରାଙ୍କ୍ୟୁଲାଇଜ୍’ କରିବାକୁ ବନ ବିଭାଗ ଚାହୁଁ ନ ଥିଲା। ସମ୍ଭବତଃ ସେ ଅନ୍ତଃସତ୍ତ୍ବା ଥାଇପାରେ।
Image Courtesy of Dainik Bhaskerବନ କର୍ମଚାରୀଜଣ କହିଛନ୍ତି, ଯନ୍ତାଗୁଡ଼ିକର ଅବସ୍ଥିତି ପରିବର୍ତ୍ତନ କରାଯାଇଛି। କିନ୍ତୁ, କଲରାପତ୍ରିଆଟି ଲଜ୍ଜାଶୀଳ ଓ ବୁଦ୍ଧିମାନ ହୋଇଥିବାରୁ ଯନ୍ତାରେ ପ୍ରବେଶ କରୁନାହିଁ। ଏବେ ଏକମାତ୍ର ଉପାୟ ହେଉଛି ‘ଟ୍ରାଙ୍କ୍ୟୁଲାଇଜ୍’ ମାରି ଅଚେତନ କରି ଧରିବା।
ଆଉ ଏକ ଅସୁବିଧା ହେଉଛି, ଐତିହ୍ୟ ମାନ୍ୟତା ପ୍ରାପ୍ତ ପୁରାତନ କୋଠାଟି ଅତି ବିଶାଳ। ଯଦି ବନ ବିଭାଗର ଲକ୍ଷ୍ୟଚ୍ୟୁତି ଘଟେ, ତେବେ କଲରାପତ୍ରିଆକୁ ଖୋଜି ବାହାର କରିବା କାଠିକର ପାଠ ହୋଇ ପଡ଼ିବ।
ତେଣେ, କଲରାପତ୍ରିଆ ଭୟରେ ପିଲାଏ ସ୍କୁଲ୍ ଆସୁ ନ ଥିବାରୁ ପ୍ରଶାସନ କମ୍ୟୁନିଟି ସେଣ୍ଟର୍ମାନଙ୍କରେ ସେମାନଙ୍କ ପାଠପଢ଼ା ପାଇଁ ବ୍ୟବସ୍ଥା କରିଛି।
Follow Us