ବ୍ୟବସାୟ ସାମ୍ରାଜ୍ୟ ବଞ୍ଚାଇବାକୁ ସୁଭାଷଙ୍କ ସଂଘର୍ଷ

Advertisment

ପୁଅ ପୁନିତଙ୍କ ସିଇଓ ପଦ ବି ବିପଦରେ

ପୁଅ ପୁନିତଙ୍କ ସିଇଓ ପଦ ବି ବିପଦରେ

ବ୍ୟବସାୟ ସାମ୍ରାଜ୍ୟ ବଞ୍ଚାଇବାକୁ ସୁଭାଷଙ୍କ ସଂଘର୍ଷ

Business Standard

ନୂଆଦିଲ୍ଲୀ : ଦିନ ଥିଲା ତାଙ୍କୁ ଟିଭି ମନୋରଞ୍ଜନ ଜଗତର ସମ୍ରାଟ କୁହାଯାଉଥିଲା। ଏବେ ସେ ନିଜ ବ୍ୟବସାୟ ସାମ୍ରାଜ୍ୟ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ସେ ହେଉଛନ୍ତି ଏସେଲ୍ ଗ୍ରୁପ୍‌ର ମୁଖ୍ୟ ସୁଭାଷ ଚନ୍ଦ୍ରା। ନିଜ କ୍ଷମତାଠାରୁ ଅଧିକ ଋଣ ଆଣିଲେ କ’ଣ ହୁଏ ତାହାର ସଦ୍ୟତମ ଉଦାହରଣ ହେଉଛନ୍ତି ସୁଭାଷ। ମୂଳ ବ୍ୟବସାୟ ଉପରୁ ଧ୍ୟାନ ହଟାଇ ଅନ୍ୟ ବ୍ୟବସାୟ କ୍ଷେତ୍ରରେ ପାଦ ଦେବା ଓ ସେଥିରେ ବିଫଳ ହେବା ଯୋଗୁଁ ଋଣ ଶୁଝିବା ଚାପରେ ନିଜ ମୂଲ୍ୟବାନ ସଂସ୍ଥାର ସେୟାରକୁ ବିକ୍ରି କରିବାକୁ ସେ ବାଧ୍ୟ ହୋଇଥିଲେ। ଏବେ ତାଙ୍କ ପ୍ରମୁଖ ସଂସ୍ଥା ଜୀ ଏଣ୍ଟରନେଟ୍‌ମେଣ୍ଟ୍‌ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ ଉପରୁ ସେ ନିୟନ୍ତ୍ରଣ ହରାଇବା ଭଳି ସ୍ଥିତି ଦେଇ ଗତି କରୁଛନ୍ତି। ତାଙ୍କ ୩୦ ହଜାର କୋଟି ଟଙ୍କା (୪ ବିଲିଅନ ଡଲାର) ବ୍ୟବସାୟ ସାମ୍ରାଜ୍ୟ ଉପରେ ଏକ ବିଦେଶୀ କଂପାନି ଆଖି ପକାଇଛି।

ଜୀ’କୁ ବଡ଼ କଂପାନିରେ ପରିଣତ କରିବା ଲାଗି ସେ ନିୟମିତ ବ୍ୟବଧାନରେ ନିଜର ସେୟାରକୁ ଅନ୍ୟ ନିବେଶକମାନଙ୍କୁ ବିକ୍ରି କରି ପାଣ୍ଠି ଯୋଗାଡ଼ କରିଥିଲେ। ସେହି ପାଣ୍ଠି ବଳରେ ସେ ଜୀ’ର ବହୁ ଚ୍ୟାନେଲ୍‌ ଖୋଲିଥିଲେ ଓ ଦେଶର ଘରେ ଘରେ ପହଞ୍ଚିଥିଲେ। ସମୟ ଏଭଳି ଆସିଲା ଯେ ପାଣ୍ଠି ଯୋଗାଡ଼ କରିବା ଲାଗି ନିୟମିତ ବ୍ୟବଧାନରେ ଅଂଶଧନ ବିକ୍ରି କରିବା ଯୋଗୁଁ ଏବେ ଜୀ’ରେ ତାଙ୍କ ନିଜ ସେୟାର ପରିମାଣର ୪%ରୁ କମ୍‌ ରହିଛି। ଆମେରିକାର ଏକ ମ୍ୟୁଚୁଆଲ୍ ଫଣ୍ଡ୍‌ ସଂସ୍ଥା ‘ଇନ୍‌ଭୋସ୍କୋ’ ପାଖରେ କଂପାନିର ସର୍ବାଧିକ ୧୮% ଅଂଶଧନ ରହିଛି। ଏବେ ସେହି ସଂସ୍ଥା ଜୀ’କୁ ନିଜ ନିୟନ୍ତ୍ରଣକୁ ଆଣିବା ଲାଗି ଜୋରଦାର ଉଦ୍ୟମ କରୁଛି।

ଜୀ’ ଏଣ୍ଟରଟେନ୍‌ମେଣ୍ଟ୍ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ରେ ସୁଭାଷଙ୍କ ପୁଅ ପୁନିତ ଗୋଏଙ୍କା ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ପଦରୁ ହଟାଇବା ଲାଗି ଇନ୍‌ଭେସ୍କୋ ଚାହୁଛି। ଏଥି ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ସହ ମିଶ୍ରଣ କରିବାକୁ ମଧ୍ୟ ସେହି ବିଦେଶୀ ସଂସ୍ଥା ଉଦ୍ୟମ କରୁଛି। ‌ନି‌ଜ ବାପା ଗଢ଼ିଥିବା ସଂସ୍ଥାକୁ କୌଣସି ପରିସ୍ଥିତିରେ ଦୁର୍ଦ୍ଦଶା ମଧ୍ୟକୁ ଠେଲିବାକୁ ଚାହୁନାହାନ୍ତି ପୁନିତ। ସେ ସୋନି ସହିତ ଜୀ’ର ମିଶ୍ରଣ କରିବା ଲାଗି ଘୋଷଣା କରିଛନ୍ତି। ସେହି ମିଶ୍ରଣ ହେଲେ ଆଶାନୁରୂପ ଲାଭ ମିଳିବ ନାହିଁ ବୋଲି ଇନ୍‌ଭେସ୍କୋ ଭାବୁଛି। ତେଣୁ ପ୍ରସ୍ତାବିତ ମିଶ୍ରଣକୁ ଭଣ୍ଡୁର କରିବା ଲାଗି ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏବେ ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି।

୭୦ ବର୍ଷ ବୟସର ସୁଭାଷଙ୍କ ପାଇଁ ଏହି ସଂଘର୍ଷ ନୂଆ ନୁହେଁ। ୩୦ ବର୍ଷ ତଳେ ମଧ୍ୟ ସେ ଏଭଳି ଏକ ସଙ୍କଟ ସାମ୍ନା କରିଥିଲେ। ଆମେରିକାର ଧନୀ ବ୍ୟକ୍ତି ରୁପେଟ୍ ‌ମୁ‌ର୍ଦୋଚ୍‌ ପ୍ରଥମେ କଂପାନି ଜୀ’ରେ ପୁଞ୍ଜିନିବେଶ କରିବା ପରେ କଂପାନିକୁ ବଳପୂର୍ବକ ନିଜ ନିୟନ୍ତ୍ରଣକୁ ନେବା ଲାଗି ଉଦ୍ୟମ କରିଥିଲେ। ଅବଶ୍ୟ ମୁର୍ଦୋଚ୍ ସେଥିରେ ବିଫଳ ହୋଇଥିଲେ। ସେହି ସମୟରେ ଜୀ’ ନିବେଶକମାନଙ୍କ ଲାଗି ବେଶ ଆକର୍ଷଣୀୟ ଥିଲା। କାରଣ ଟିଭି ମନୋରଞ୍ଜନର ଅନ୍ୟ କୌଣସି ବଳିଷ୍ଠ ବିକଳ୍ପ ନଥିଲା। ଏବେ କିନ୍ତୁ ସ୍ଥିତି ଭିନ୍ନ ରହିଛି। ନେଟ୍‌ଫ୍ଲିକ୍ସ ଓ ଆମାଜନ୍ ପ୍ରାଇମ୍ ଭଳି ଓଟିଟି ପ୍ଲାଟଫର୍ମ ଆସିବା ଓ ମହାମାରୀ ପରେ ସୁଟିଂ ଉପରେ କଟକଣା ଲଗାଯିବା ପରେ ଟିଭି ମନୋରଞ୍ଜନ ଏକପ୍ରକାର ଚମକହୀନ ହୋଇପଡ଼ିଛି। ପରିବର୍ତ୍ତିତ ପରିସ୍ଥିତିରେ ନିଜ ବ୍ୟବସାୟ ସାମ୍ରାଜ୍ୟକୁ ବଞ୍ଚାଇବା ସୁଭାଷଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe