ଦିଲ୍ଲୀ ଜନ୍ମିତ ଏମ୍‌ଆଇଟି ସ୍ନାତକଙ୍କ ସଫଳତା: ଟାଇମ୍ସର ଶ୍ରେଷ୍ଠ ୧୦୦ ଉଦ୍ଭାବନ ତାଲିକାରେ ଅର୍ଣ୍ଣବଙ୍କ ହେଡସେଟ୍‌

Advertisment
ଦିଲ୍ଲୀ ଜନ୍ମିତ ଏମ୍‌ଆଇଟି ସ୍ନାତକଙ୍କ ସଫଳତା: ଟାଇମ୍ସର ଶ୍ରେଷ୍ଠ ୧୦୦ ଉଦ୍ଭାବନ ତାଲିକାରେ ଅର୍ଣ୍ଣବଙ୍କ ହେଡସେଟ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଜନ୍ମିତ ଏବଂ ଆମେରିକାର ମାସାଚ୍ୟୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଏମ୍‌ଆଇଟି)ରେ ଶିକ୍ଷା ଲାଭ କରିଥିବା ଛାତ୍ର ଅର୍ଣ୍ଣବ କପୁର ଏବେ ଚର୍ଚ୍ଚାରେ। ଅର୍ଣ୍ଣବ ଏକ ଅତ୍ୟାଧୁନିକ ହେଡସେଟ୍‌ର ଡିଜାଇନ କରିଛନ୍ତି। ଉକ୍ତ ହେଡସେଟ୍‌ର ନାମ ଅଲ୍ଟରଇଗୋ ରଖାଯାଇଛି। ଉକ୍ତ ହେଡସେଟ୍‌ ଡିଜାଇନ୍‌ଟି ଟାଇମ୍ସ ପତ୍ରିକାର ୨୦୨୦ ମସିହା ପାଇଁ ପ୍ରସ୍ତୁତ ଶ୍ରେଷ୍ଠ ୧୦୦ ଉଦ୍ଭାବନ ମଧ୍ୟରେ ସ୍ଥାନ ପାଇଛି।

୨୫ ବର୍ଷୀୟ ଛାତ୍ର ଅର୍ଣ୍ଣବ ଏବେ ଏମଆଇଟିର ପୋଷ୍ଟ ଡକ୍ଟରାଲ ସ୍କଲାର ରହିଛନ୍ତି। କୃତ୍ରିମ ବୃଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ପ୍ରୟୋଗ କରି ସେ ବିକାଶ କରିଥିବା ହେଡସେଟ୍‌ଟି ମନକୁ ପଢ଼ିପାରୁଛି ବୋଲି କୁହାଯାଉଛି। ଅର୍ଣ୍ଣବ ତାଙ୍କ ଭାଇ ଶ୍ରେୟସ ଓ ଏମ୍‌ଆଇଟିର ଅନ୍ୟ ସହଯୋଗୀ ଗବେଷକମାନଙ୍କ ସହ ମିଶି ଉକ୍ତ ଅତ୍ୟାଧୁନିକ ହେଡସେଟ୍‌କୁ ଏମ୍‌ଆଇଟି ମିଡିଆ ଲାବ୍‌ରେ ବିକାଶ କରିଛନ୍ତି। ମସ୍ତିଷ୍କ ପକ୍ଷାଘାତ ଏବଂ ଏଏଲ୍‌ଏସ୍‌ ରୋଗରେ ପୀଡ଼ିତ ବ୍ୟକ୍ତି କିମ୍ବା ଯୋଗାଯୋଗ ସମସ୍ୟା ଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ହେଡ୍‌ସେଟ୍ ବିଶେଷ ସହାୟକ ହେବ ବୋଲି ଆଶା ରଖାଯାଇଛି। ‌ଏହି ବର୍ଗର ବ୍ୟକ୍ତିମାନେ କୌଣସି ପଦଟିଏ କଥା ନକହି ମଧ୍ୟ କମ୍ପ୍ୟୁଟର ସହ ଯୋଗାଯୋଗ ସ୍ଥାପନ କରିପାରିବେ। କେବଳ ମନରେ ଚିନ୍ତା କରୁଥିଲେ ସେମାନଙ୍କ ଯୋଗାଯୋଗ ସମ୍ଭବ ହୋଇଯିବ। ଅସ୍ଥି ପରିବାହୀ ସ୍ପିକର ମାଧ୍ୟମରେ ସଂପୃକ୍ତ ବ୍ୟକ୍ତିଙ୍କୁ ସୂଚନା ମିଳିପାରିବ। ଲୋକଙ୍କ ମନକୁ ବୁଝିବାରେ ଏହି ଯନ୍ତ୍ରାଂଶର ସଠିକତା ୯୨ ପ୍ରତିଶତ ରହିଛି। ଏହି ପ୍ରଯୁକ୍ତି କିଭଳି କାର୍ଯ୍ୟ କରୁଛି ତାହାର ପ୍ରଦର୍ଶନ ମଧ୍ୟ ଅର୍ଣ୍ଣବ କରିଛନ୍ତି। ପଦୁଟିଏ ମଧ୍ୟ ଉଚ୍ଚାରଣ ନକରି ସେ ସ୍ମାର୍ଟ ଟିଭି ଖୋଜିବା, ସମୟ ଜାଣିବା, ଗ୍ରୋସରି ଦୋକାନରେ କେତେ ଖର୍ଚ୍ଚ କରିଛନ୍ତି ଆଦିର ସୂଚନା ପାଇପାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe