ଖାର୍ତୁମ: ସୁଦାନରେ ଚାଲିଥିବା ଭୟଙ୍କର ଗୃହଯୁଦ୍ଧ ମଧ୍ୟରେ, ମାନବତାକୁ ଲଜ୍ଜିତ କରୁଥିବା ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଅର୍ଦ୍ଧସାମରିକ ସଂଗଠନ ରାପିଡ୍ ସପୋର୍ଟ ଫୋର୍ସ (ଆର୍‌ଏସ୍‌ଏଫ୍‌) କେନ୍ଦ୍ରୀୟ ସୁଦାନରେ ଏକ ବଡ଼ ଡ୍ରୋନ୍ ଆକ୍ରମଣ କରିଛି। ସେଥିରେ ଆଠ ଜଣ ଶିଶୁଙ୍କ ସମେତ ୨୪ ଜଣ ନିରୀହ ଲୋକଙ୍କ ମୃତ୍ୟୁ ଘଟିଛି। ବିସ୍ଥାପିତ ପରିବାରଗୁଡ଼ିକ ଏକ ଗାଡ଼ିରେ ଜୀବନ ବିକଳରେନିରାପଦ ସ୍ଥାନକୁ ପଳାୟନ କରୁଥିବା ସମୟରେ ଏହି ଆକ୍ରମଣ ଘଟିଥିଲା।

Advertisment

ବିସ୍ଥାପିତ ଲୋକଙ୍କୁ ଟାର୍ଗେଟ କରାଯାଇଥିଲା

ସୂଚନା ଅନୁଯାୟୀ, ଆକ୍ରମଣ ଉତ୍ତର କୋର୍ଡୋଫାନ ପ୍ରଦେଶର ରାହାଦ ସହର ନିକଟରେ ଘଟିଥିଲା। ଟାର୍ଗେଟ କରାଯାଇଥିବା ଗାଡ଼ିଟି ଉତ୍ତର କୋର୍ଡୋଫାନର ଦୁବେଇକର ଅଞ୍ଚଳରୁ ଲୋକଙ୍କୁ ନେଇଯାଉଥିଲା। ସେମାନେ ଯୁଦ୍ଧ ଯୋଗୁ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ମୃତକଙ୍କ ମଧ୍ୟରେ ମହିଳା, ପୁରୁଷ, ଦୁଇ ନବଜାତ ଶିଶୁଙ୍କ ସମେତ ଆଠ ଜଣ ଛୋଟ ପିଲା ଅଛନ୍ତି। ଯୁଦ୍ଧ ପର୍ଯ୍ୟବେକ୍ଷଣ ଗୋଷ୍ଠୀ ଏହି ଆକ୍ରମଣକୁ ଅତ୍ୟନ୍ତ ନିର୍ମମ ଓ ଅନ୍ତର୍ଜାତୀୟ ମାନଦଣ୍ଡର ଉଲ୍ଲଂଘନ ବୋଲି କହିଛି।

ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ଅନୁରୋଧ

ହତ୍ୟାକାଣ୍ଡ ପରେ, ସୁଦାନ ଡକ୍ଟରର୍ସ ନେଟୱାର୍କ ଆନ୍ତର୍ଜାତୀୟ ସମ୍ପ୍ରଦାୟ ଓ ମାନବାଧିକାର ସଂଗଠନଗୁଡ଼ିକୁ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଆହ୍ୱାନ କରିଛି। ଏହି ଉଲ୍ଲଂଘନ ପାଇଁ ଆର୍‌ଏସ୍‌ଏଫ୍ ନେତୃତ୍ୱକୁ ସିଧାସଳଖ ଦାୟୀ କରାଯିବାକୁ ନେଟୱାର୍କ ନିବେଦନ କରିଛି। ତେବେ ଆକ୍ରମଣ ଓ ମୃତ୍ୟୁ ଅଭିଯୋଗ ସମ୍ପର୍କରେ ଆର୍‌ଏସ୍‌ଏଫ୍ ପକ୍ଷରୁ କୌଣସି ସରକାରୀ ବିବୃତି କିମ୍ବା ପ୍ରତିକ୍ରିୟା ଦିଆଯାଇ ନାହିଁ।

୨୦୨୩ ମସିହାରୁ ଗୃହଯୁଦ୍ଧର ନିଆଁରେ ଜଳୁଛି ସୁଦାନ

ସୁଦାନରେ ସଂଘର୍ଷ ଏପ୍ରିଲ ୨୦୨୩ରେ ଆରମ୍ଭ ହୋଇଥିଲା ଯେତେବେଳେ ରାଜଧାନୀ ଖାର୍ତୁମରେ ସୁଦାନୀ ସେନା ଏବଂ ଆର୍‌ଏସ୍‌ଏଫ୍ ମଧ୍ୟରେ ଏକ କ୍ଷମତା ସଂଘର୍ଷ ସଶସ୍ତ୍ର ସଂଘର୍ଷରେ ପରିଣତ ହୋଇଥିଲା। ସେବେଠାରୁ ଦେଶରେ ଅରାଜକତା ଜାରି ରହିଛି। ମିଳିତ ଜାତିସଂଘ ଅନୁଯାୟୀ, ଏହି ବିନାଶକାରୀ ଯୁଦ୍ଧରେ ୪୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଯଦିଓ ସହାୟତା ସଂଗଠନଗୁଡ଼ିକ ଦାବି କରୁଛନ୍ତି ଯେ, ପ୍ରକୃତ ମୃତ୍ୟୁ ସଂଖ୍ୟା ବହୁଗୁଣା ଅଧିକ ହୋଇପାରେ।

ବିଶ୍ୱର ସବୁଠାରୁ ବଡ଼ ମାନବିକ ସଙ୍କଟ

ଗୃହଯୁଦ୍ଧ ଲୋକଙ୍କ ଜୀବନ ନେବା ସହିତ ବିଶ୍ୱର ସବୁଠାରୁ ବଡ଼ ବିସ୍ଥାପନ ସଙ୍କଟ ସୃଷ୍ଟି କରିଛି। ରିପୋର୍ଟ ଅନୁସାରେ ୧୪ ନିୟୁତରୁ ଅଧିକ ଲୋକ ସେମାନଙ୍କ ଭିଟାମାଟି ଛାଡ଼ି ବିସ୍ଥାପିତ ହୋଇଛନ୍ତି । ଦେଶର ଅନେକ ସ୍ଥାନରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରୋଗର ପ୍ରକୋପ ବୃଦ୍ଧି ପାଉଛି। ଖାଦ୍ୟ ଓ ଔଷଧର ଅଭାବ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି।

ଆହୁରି ପଢ଼ନ୍ତୁ: Trump Obama Racist Ai Video Controversy: ବାରାକ ଓବାମାଙ୍କୁ ମାଙ୍କଡ ଭାବରେ ଚିତ୍ରଣ କରୁଥିବା ଜାତିଭେଦ ଭିଡିଓ ସେୟାର କରି ବିବାଦ ଘେରରେ ଟ୍ରମ୍ପ