ଲାସ୍ ଏଂଜେଲ୍ସ: ବାଗ୍ଦାଦରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ଇରାନ୍ର ମେଜର୍ ଜେନେରାଲ କ୍ବାସିମ୍ ସୁଲେମାନୀ ନିହତ ହେବା ପରେ ଏବେ ଯେଭଳି ସ୍ଥିତି ଉପୁ୍ଜିଛି ତାହା ମଧ୍ୟପ୍ରାଚ୍ୟରେ ଭାରତର ସମସ୍ୟାକୁ ବଢ଼ାଇ ଦେଇଛି। ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ପ୍ରାୟ ୮୦ ଲକ୍ଷ ଭାରତୀୟ ରହୁଥିବା ବେଳେ ଯୁଦ୍ଧ ଭଳି ସ୍ଥିତିରେ ଏହାର ତତ୍କାଳ ପ୍ରଭାବ ଭାରତୀୟଙ୍କ ଉପରେ ପଡ଼ିବ। ଅନ୍ୟପକ୍ଷରେ ଇରାନ୍ କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀ ଦିଲ୍ଲୀରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ବୟାନ ଦେଇ ଭାରତର ଅଡ଼ୁଆ ବଢ଼ାଇଛନ୍ତି। ସୁଲେମାନୀଙ୍କ ବିରୋଧରେ ଏହି ଚାଂଚଲ୍ୟକର ଅଭିଯୋଗ ଆଣି ଟ୍ରମ୍ପ୍ କହିଛନ୍ତି ଯେ ସୁଲେମାନୀ ବିଶ୍ବବ୍ୟାପୀ ନିରୀହ ଲୋକଙ୍କୁ ହତ୍ୟା କରିବା ସହ ଦିଲ୍ଲୀ ଏବଂ ଲଣ୍ଡନରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିଲେ। ତେବେ ଦିଲ୍ଲୀରେ କେବେ ଏବଂ କେଉଁ ଆକ୍ରମଣ ଯୋଜନାରେ ସୁଲେମାନୀ ସାମିଲ ଥିଲେ ସେ ନେଇ ଟ୍ରମ୍ପ୍ ନିର୍ଦ୍ଦିଷ୍ଟ ଭାବେ କିଛି କହିନାହାନ୍ତି।
କୁହାଯାଉଛି ଯେ ୨୦୧୨ରେ ଭାରତରେ ଇସ୍ରାଏଲ କୂଟନୀତିଜ୍ଞଙ୍କ ପତ୍ନୀଙ୍କ କାର୍ ଉପରେ ହୋଇଥିବା ବୋମା ଆକ୍ରମଣ ପଛରେ ସୁଲେମାନୀଙ୍କ ହାତ ଥିଲା । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ୍ ନେତାନ୍ୟାହୁ ମଧ୍ୟ ଏହି ଆକ୍ରମଣ ପଛରେ ଇରାନ୍ର ହାତ ଥିବା କହିଥିଲେ। ତେବେ ଭାରତ ପକ୍ଷରୁ ଆଜି ପର୍ଯ୍ୟନ୍ତ ଏହି ଆକ୍ରମଣ ପଛରେ ଇରାନ୍ର ହାତ ଥିବା କୁହାଯାଇନାହିଁ। ଇରାନ୍ର ତେହରାନରେ ଜଣେ ପରମାଣୁ ବୈଜ୍ଞାନିକ ମୁସ୍ତଫା ଅହମଦୀଙ୍କୁ ହତ୍ୟା କରାଯିବା ପରେ ଇସ୍ରାଏଲ କୂଟନୀତିଜ୍ଞଙ୍କ ପରିବାର ଉପରେ ଭାରତରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ସାମିଲ ଥିବା ୫ ଜଣ ବ୍ୟକ୍ତି ଇରାନ୍ର ଇସ୍ଲାମିକ ରିଭୋଲ୍ୟୁସନାରି ଗାର୍ଡର ସଦସ୍ୟ ଥିଲେ ବୋଲି କେତେକ ପ୍ରମାଣ ମିଳିଥିଲା। ତେବେ ଦିଲ୍ଲୀ ପୁଲିସ ସେମାନଙ୍କୁ ଗିରଫ କରିନଥିଲା କି ଭାରତ ସରକାର ଏଥିପାଇଁ ଇରାନକୁ ଦାୟୀ କରିନାହାନ୍ତି। ଏଭଳି ସ୍ଥିତିରେ ଟ୍ରମ୍ପ୍ଙ୍କ ଏହି ବୟାନ ଇରାନ୍ ଏବଂ ଭାରତ ମଧ୍ୟରେ ତିକ୍ତତା ବଢ଼ାଇବ ବୋଲି କୁହାଯାଉଛି। ସୁଲେମାନୀଙ୍କୁ ନିପାତ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସଂପର୍କରେ ଟ୍ରମ୍ପ୍ କହିଛନ୍ତି ଯେ ସୁଲେମାନୀ ଜଣେ ଆତଙ୍କବାଦୀ ବୋଲି ବହୁ ପୂର୍ବରୁ ପ୍ରମାଣ ସହ ଘୋଷଣା ହୋଇଥିବାରୁ ଏହା ଏକ ସ୍ବାଭାବିକ ପଦକ୍ଷେପ ଥିଲା।
  
 Follow Us