ସାବତ ମାଆଙ୍କ ଠାରୁ ହୀରା ମୁକୁଟ ଉଧାର ଆଣି ଚିତ୍ତାକର୍ଷକ ଉତ୍ସବରେ ବାହାହେଲେ ବ୍ରୁନେଇ ସୁଲ୍‌ତାନ୍‌ଙ୍କ ଝିଅ

Advertisment
ସାବତ ମାଆଙ୍କ ଠାରୁ ହୀରା ମୁକୁଟ ଉଧାର ଆଣି ଚିତ୍ତାକର୍ଷକ ଉତ୍ସବରେ ବାହାହେଲେ ବ୍ରୁନେଇ ସୁଲ୍‌ତାନ୍‌ଙ୍କ ଝିଅ

Image Courtesy of NDTV

ନୂଆଦିଲ୍ଲୀ: ୭ ଦିନ ବ୍ୟାପୀ ଅନୁଷ୍ଠିତ ଚିତ୍ତାକର୍ଷକ ତଥା ମହାଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ବ୍ରୁନେଇର ସୁଲ୍‌ତାନ୍‌ଙ୍କ ଜେମା ଫଦ୍‌ଜିଲ୍ଲା ଲୁବାବୁଲ୍‌ ବିବାହ କରିଛନ୍ତି। ସୁଲ୍‌ତାନ୍‌ଙ୍କ ଆର୍ଶୀବାଦ ସହ ଜାନୁଆରି ୧୬ ତାରିଖରେ ଆରମ୍ଭ ହୋଇଥିବା ଉକ୍ତ ବାହାଘରର ଧାର୍ମିକ ରୀତିନୀତି ଗୁରୁବାର ଦିନ ‘ଓମାର୍‌ ଅଲି ସୈଫୁଦିନ୍‌ ମସ୍‌ଜିଦ୍‌’ରେ ୧୭ଟି ତୋପ ସଲାମୀ ସହ ସମ୍ପାଦିତ ହୋଇଥିଲା।

‘ହୋଲା ନିଉଜ୍‌’ ରିପୋର୍ଟ ଅନୁସାରେ, ସୁଲ୍‌ତାନ୍‌ଙ୍କ ସରକାରୀ ବାସଭବନ ‘ଇସ୍ତାନ୍‌ ନୁରୁଲ୍‌ ଇମାନ୍‌’ରେ ଉକ୍ତ ବାହାଘର ଅନୁଷ୍ଠିତ ହୋଇଥିଲା। ଏହା ହେଉଛି ବିଶ୍ବର ଅନ୍ୟତମ ବୃହଦ୍‌କାୟ ରାଜପ୍ରାସାଦ, ଯେଉଁଥିରେ ୧୭୦୦ କୋଠରି ଏବଂ ୫୦୦୦ ଲୋକ ଧରିବା ଭଳି ଭୋଜିସଭା ଗୃହଟିଏ ରହିଛି। ରବିବାର ଦିନ ରାଜପ୍ରାସାଦରେ ‘ଇସ୍ତିଦାତ୍‌ ବେର୍ସାନ୍ଦିଙ୍ଗ୍‌ ପେଙ୍ଗାଣ୍ଟିନ୍‌ ଦିରାଜ୍‌’ ଉତ୍ସବରେ ଭୋଜି ଆୟୋଜନ କରାଯାଇ ଏହି ବିବାହ ନିମନ୍ତେ ଆପ୍ୟାୟନ ଉତ୍ସବ କରାଯାଇଥିଲା।

କିନ୍ତୁ, ରାଜଜେମାଙ୍କ ନୂଆ ସ୍ବାମୀଙ୍କ ସମ୍ପର୍କରେ କାହାକୁ ବିଶେଷ କିଛି ଜଣାନାହିଁ। ତାଙ୍କ ସ୍ବାମୀ ଅୱଙ୍ଗ୍‌ ଅବ୍ଦୁଲ୍ଲା ନବିଲ୍‌ ମହମଦ୍‌ ଅଲ୍‌-ହାଶିମିଙ୍କୁ ଆଞ୍ଚଳିକ ଗଣମାଧ୍ୟମ ‘ହ୍ୟାଣ୍ଡ୍‌ସମ୍‌ ଫରେନର୍‌’ ବୋଲି ଲେଖିଛନ୍ତି। ସେ ଜଣେ ଇରାକୀ ଏବଂ ସମ୍ପ୍ରତି କାନଡାରେ ବାସ କରୁଛନ୍ତି ବୋଲି ଶୁଣାଯାଉଛି।

publive-image Image Courtesy of Alter

ବାହାଘରରେ ପିନ୍ଧିବା ପାଇଁ ରାଜଜେମା ଫଦ୍‌ଜିଲ୍ଲା ଲୁବାବୁଲ୍‌ ତାଙ୍କର ସାବତ ମାଆ ଅର୍ଥାତ୍‌ ସୁଲ୍‌ତାନ୍‌ଙ୍କ ପ୍ରଥମ ପତ୍ନୀଙ୍କ (ବ୍ରୁନେଇର ରାଣୀ) ଠାରୁ ହୀରା ମୁକୁଟ ଏବଂ ମୋତି-ହୀରା ଗଳାହାର ସମେତ ବହୁ ମୂଲ୍ୟବାନ୍‌ ଅଳଙ୍କାର ଉଧାର ଆଣିଥିଲେ। ଏହି ମୁକୁଟରେ ବଡ଼ ମୋତି ଆକୃତିର ହୀରାଖଣ୍ଡମାନ ଖଚିତ ହୋଇଛି । ତାଙ୍କ ବାହଘର ପୋଷାକ ପ୍ରସ୍ତୁତ କରିଥିଲେ ମାଲେସୀୟ ଡିଜାଇନର୍‌ ବର୍ଣ୍ଣାଡ୍‌ ଚନ୍ଦ୍ରନ୍।

ଜୀବାଶ୍ମ ତୈଳ ସମୃଦ୍ଧ ବ୍ରୁନେଇର ମୁଖ୍ୟ ସୁଲ୍‌ତାନ୍‌ ହସନାଲ୍‌ ବୋଲ୍‌କିଆ ହେଉଛନ୍ତି ବିଶ୍ବର ଅନ୍ୟତମ ଧନଶାଳୀ ରାଜବଂଶଜ। ‘ଫୋର୍ବସ୍‌’ ପତ୍ରିକା ରିପୋର୍ଟ ଅନୁସାରେ, ତାଙ୍କ ସମ୍ପତ୍ତିର ମୂଲ୍ୟ ୨୦ ବିଲିୟନ୍‌ ଡଲାର୍‌ରୁ ଅଧିକ ହେବ।

‘କିଙ୍ଗ୍‌ଷ୍ଟନ୍‌ ୟୁନିଭର୍ସିଟି’ରୁ ସ୍ନାତକ ହାସଲ କରିଥିବା ‘ସ୍ପୋର୍ଟି ପ୍ରିନ୍‌ସେସ୍‌’ ଭାବେ ସୁପରିଚିତ ୩୬ ବର୍ଷୀୟ ରାଜଜେମା ଫଦଜିଲ୍ଲା ହେଉଛନ୍ତି ସୁଲ୍‌ତାନଙ୍କ ୧୨ଜଣ ସନ୍ତାନଙ୍କ ମଧ୍ୟରେ ୯ମ। ସେ ହେଉଛନ୍ତି ସୁଲ୍‌ତାନ୍‌ଙ୍କ ଦ୍ବିତୀୟ ପତ୍ନୀଙ୍କ ଝିଅ। ଦ୍ବିତୀୟ ପତ୍ନୀ ହାଜା ମରିୟମ୍‌ଙ୍କୁ ୨୦୦୩ରେ ସୁଲ୍‌ତାନ୍‌ ଛାଡ଼ପତ୍ର ଦେଇଥିଲେ। ଫଦ୍‌ଜିଲ୍ଲାଙ୍କୁ ମିଶାଇ ସୁଲ୍‌ତାନ୍‌ଙ୍କ ଔରସରୁ ତାଙ୍କର ୪ଟି ସନ୍ତାନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe