ନୂଆଦିଲ୍ଲୀ: ଭାରତ ମହାସାଗରରେ ଚୀନ୍ର ଦାଦାଗିରିରେ ଲଗାମ ଲଗାଇବାକୁ ଭାରତ ଏବେ ଜାପାନ ସହଯୋଗରେ ବିଶାଳ ଯୋଜନା ପ୍ରସ୍ତୁତ କରିଛି। ଖୁବ୍ଶୀଘ୍ର ଭାରତ-ଜାପାନ ମଧ୍ୟରେ ଏ ବାବଦ ସାମରିକ ବୁଝାମଣା ହେବ ଏବଂ ଉଭୟ ରାଷ୍ଟ୍ର ପରସ୍ପରର ନୌସେନା ଘାଟି ବ୍ୟବହାର କରିପାରିବେ ବୋଲି ଜଣାପଡ଼ିଛି। ଇନ୍ଧନ ଏବଂ ଅନ୍ୟ ପ୍ରତିରକ୍ଷା ସାମଗ୍ରୀ ପରିବହନ କ୍ଷେତ୍ରରେ ମଧ୍ୟ ଦୁଇ ଦେଶ ହାତ ମିଳାଇ କାମ କରିବେ ବୋଲି ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ କହିଛନ୍ତି। ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତରେ ଯିବେ ଏବଂ ଏ ବାବଦ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବେ।
ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ କହିଛନ୍ତି ଯେ ଭାରତ-ଜାପାନ ସେମାନଙ୍କ ନୌସେନା ଶକ୍ତିକୁ ମିଳିତ ଭାବେ ଭାରତ ମହାସାଗରରେ ପ୍ରଦର୍ଶନ କରିବେ ଏବଂ ଏହା କେବଳ ଶାନ୍ତି ଓ ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଏହି ଚୁକ୍ତି ସ୍ବାକ୍ଷର ହେଲେ ଆଣ୍ଡାମାନ ଏବଂ ନିକୋବର ଦ୍ବୀପରେ ଥିବା ଭାରତୀୟ ନୌସେନା ଘାଟିରୁ ଜାପାନ ଇନ୍ଧନ ଓ ଅନ୍ୟ ସାମଗ୍ରୀ ନେଇପାରିବ ବୋଲି ବ୍ୟବସ୍ଥା ରହିଛି। ଭାରତ ମହାସାଗରରେ ଏବେ ଚୀନ୍କୁ ଟକ୍କର ଦେଇ ଭାରତ ତା’ର ସାମରିକ ସ୍ଥିତି କାଏମ ରଖିଥିବା ବେଳେ ଏ କ୍ଷେତ୍ରରେ ଜାପାନର ସହଯୋଗ ଭାରତର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଭାରତ ଓ ଜାପାନର ଏଭଳି ପଦକ୍ଷେପକୁ ଆମେରିକା ସ୍ବାଗତ କରିଛି।
ଭାରତ ମହାସାଗରରେ ଶକ୍ତି ପ୍ରଦର୍ଶନ:ଜାପାନ ସହାୟତାରେ ଚୀନ୍କୁ ଘେରିବ ଭାରତ
Advertisment
Follow Us