Image Courtesy of TOI
ଦିଲ୍ଲୀ: ବୁଧବାର ଦିନ ସକାଳ ସାଢ଼େ ନଅଟାବେଳେ ଭାରତୀୟ ଉପମହାଦେଶର ପ୍ରାୟ ୨୦୦୦ କିଲୋମିଟର ଅଞ୍ଚଳକୁ ଗ୍ରାସ କରିଥିଲା ‘ସୁପର୍ ଫଗ୍’ ବା ଅଖଣ୍ଡ ଘନ କୁହୁଡ଼ି। ପଶ୍ଚିମରେ କେନ୍ଦ୍ରୀୟ ପାକିସ୍ତାନରୁ ଆରମ୍ଭ ହୋଇ ଇଣ୍ଡୋ-ଗାଙ୍ଗେଟିକ୍ ସମତଳ ଅଞ୍ଚଳ ମଧ୍ୟ ଦେଇ ଏହି ଘନ କୁହୁଡ଼ି ତ୍ରିପୁରା ଯାଏଁ ମାଡ଼ି ଯାଇଥିଲା। କୁହୁଡ଼ି କବଳିତ ଅଞ୍ଚଳକୁ ଅନୁଧ୍ୟାନ କରି ବିଶେଷଜ୍ଞମାନେ କହନ୍ତି ଯେ ଏତେ ବଡ଼ ଅଞ୍ଚଳକୁ ଖଣ୍ଡେ ମାତ୍ର କୁହୁଡ଼ି ଆଚ୍ଛାଦିତ କରିବା ଘଟଣା ହେଉଛି ପୃଥିବୀରେ ପ୍ରଥମ।
ଇନ୍ସାଟ୍ ଥ୍ରିଡି ଉଠାଇଥିବା ଫଟୋ ଚିତ୍ରରୁ ଜଣାପଡ଼ିଛି ଯେ ଏହି କୁହୁଡ଼ି ଭାରତ, ପାକିସ୍ତାନ, ନେପାଳ ଏବଂ ବାଂଲାଦେଶ ଆଦି ଅନ୍ୟୂନ ଚାରିଟି ଦେଶକୁ ଆଚ୍ଛାଦିତ କରିଥିଲା। ବଡ଼ଦିନ ଦିନ ପୂର୍ବ ଉତ୍ତର ପ୍ରଦେଶ ଏବଂ ବିହାରରେ ପ୍ରକୃତ କୁହୁଡ଼ି ଆରମ୍ଭ ହୋଇଥିଲା। ଗତ ବର୍ଷମାନଙ୍କରେ ଏ ଭଳି ଖଣ୍ଡିକିଆ କୁହୁଡ଼ି କେବଳ ଏହି ଅଞ୍ଚଳରୁ ସୃଷ୍ଟି ହୋଇଥାଏ।
Image Courtesy of TOIଦିଲ୍ଲିସ୍ଥିତ ଆଇଜିଆଇ ବିମାନ ବନ୍ଦର ଠାରେ ଥିବା ପାଣିପାଗ କାର୍ଯ୍ୟାଳୟ ବିଭାଗର ମୁଖ୍ୟ ଆର୍ କେ ଜେନାମଣି କହନ୍ତି: ବୁଧବାର ଦିନ ଘୋଟିଥିବା କୁହୁଡ଼ି ଖଣ୍ଡ ଚୀନ୍, ଇତାଲି କିଂବା କାଲିଫର୍ଣ୍ଣିଆ ଉପତ୍ୟକାରେ ହେଉଥିବା କୁହୁଡ଼ି ଠାରୁ ଥିଲା ବୃହତ୍ତର। ବଡ଼ଦିନ ଦିନ ପୂର୍ବ ଉତ୍ତର ପ୍ରଦେଶ ଏବଂ ବିହାରକୁ ଆଚ୍ଛାଦିତ କରିବା ପରେ ଡିସେମ୍ବର ୩୧ ତାରିଖ ଦିନ ଏହା ଦିଲ୍ଲୀ ସମେତ ପଶ୍ଚିମ ପଟର ଅଧିକ ଅଞ୍ଚଳରେ ଘୋଟିବାକୁ ଲାଗିଲା। ଜାନୁଆରି ୨ ତାରିଖ ସୁଦ୍ଧା ଏହା ପଞ୍ଜାବକୁ ଆଚ୍ଛାଦିତ କରି ପଶ୍ଚିମ ଆଡ଼କୁ ମାଡ଼ି ପାକିସ୍ତାନକୁ ଚାଲି ଯାଇଥିଲା। ଏହା ଯୋଗୁଁ ବିମାନ, ରେଳ ଏବଂ ରାସ୍ତା ପରିବହନ ବାଧା ପାଇବା ସହ ଏ ସବୁ ଅଞ୍ଚଳରେ ଦିନର ତାପମାତ୍ରା କମାଇ ଦେଇଛି।
କୌତୂହଳର କଥା ହେଲା, ବୁଧବାର ସକାଳ ସାଢ଼େ ନଅଟାରେ ଘନ କୁହୁଡ଼ି ଘୋଟିଥିଲେ ମଧ୍ୟ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ସମେତ ଉତ୍ତର ଭାରତ ଅନେକ ଅଞ୍ଚଳରେ ଦୃଶ୍ୟତା ଗତ ଦୁଇ ଦିନ ତୁଳନାରେ ଭଲ ଥିଲା। ଏହି କୁହୁଡ଼ି ଭୂପୃଷ୍ଠରୁ ବାହାରି ବାୟୁମଣ୍ଡଳର ଅଳ୍ପ କେତେ ଶହ କିଲୋମିଟର ଉପରକୁ ଉଠିଥିଲା। ସାଟେଲାଇଟ୍ ଚିତ୍ରରୁ ଏହା ତଳକୁ ଖସି ଆସିଥିବା ବଉଦ ଖଣ୍ଡ ପରି ଦିଶୁଥିଲା।
Follow Us