ଊଚ୍ଛେଦ ଆଦେଶ ୩୬ ବର୍ଷ କାର୍ଯ୍ୟକାରୀ ନ ହେବା ନ୍ୟାୟବ୍ୟବସ୍ଥା ପ୍ରତି ଧୋକା: ସୁପ୍ରିମକୋର୍ଟ

ଅଣ୍ଡର ସେକ୍ରେଟେରୀ ପଦକୁ ପଦନ୍ନୋତି ମାମଲା : ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଏସ୍ଏଲ୍‌ପି ଖାରଜ

The Hindu

ଭଡ଼ା ନ ଦେଇ ଦୋକାନ ଘର ମାଡ଼ି ବସିଥିଲେ ବ୍ୟବସାୟୀ
୧୯୮୪ରୁ କୋର୍ଟ ଆଦେଶ ଥିଲା, କିନ୍ତୁ କାର୍ଯ୍ୟକାରୀ ହେଉ ନ ଥିଲା
୩ ମାସ ଭିତରେ ଘର ଖାଲି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଉଚ୍ଛେଦ ଆଦେଶକୁ ୩୬ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ କରିବା ନ୍ୟାୟିକ ବ୍ୟବସ୍ଥା ପ୍ରତି ଧୋକା। ବରଗଡ଼ ସହରର ଧରମ ଦାସ ସିନ୍ଧି ବନାମ ପୁରୁଷୋତ୍ତମ ସାହୁ ମାମଲାର ଶୁଣାଣି‌ ବେଳେ ଏଭଳି କଡ଼ା ଟିପ୍ପଣୀ କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି ଅଶୋକ ଭୂଷଣ, ବିଚାରପତି ସଂଜୟ କିଷନ କୌଲ ଓ ବିଚାରପତି ଏମ୍‌.ଆର. ଶାହାଙ୍କ ଖଣ୍ଡପୀଠ।

ଉଲ୍ଲେଖଯୋଗ୍ୟ, ପଶ୍ଚିମ ଓଡ଼ିଶାର ବରଗଡ଼ ସହରକୁ ୧୯୬୧ରୁ ଧରମଦାସ ସିନ୍ଧି ଆସିଥିଲେ ଏବଂ ପୁରୁଷୋତ୍ତମ ସାହୁ ବାପାଙ୍କ ମାଲିକାନାରେ ଥିବା ଦୋକାନ ଘରେ ମାସିକ ୧୦୦ ଟଙ୍କା ଭଡ଼ା ଦେଇ ରହୁଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ଭଡ଼ା ନ ଦେବାରୁ ପୁରୁଷୋତ୍ତମ ସାହୁ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ୧୯୮୪ରେ ଏହି ଆବେଦନର ବିଚାର କରି କୋର୍ଟ ଧରମଦାସ ସିନ୍ଧିଙ୍କୁ ଭଡ଼ା ଘରୁ ଉଚ୍ଛେଦ ପାଇଁ ଆଦେଶ ଦେଇଥିଲେ। କିନ୍ତୁ ଉଚ୍ଛେଦ ଆଦେଶ ବିରୋଧରେ ପ୍ରଥମେ ଧରମଦାସ ଓ ତା’ପରେ ତାଙ୍କର ଚାରି ପୁଅ ପୁରୁ ଷୋତ୍ତମ ସାହୁଙ୍କ ବାପାଙ୍କ ଘରର ସ୍ବତ୍ତ୍ବ ଉପରେ ସନ୍ଦେହ ପ୍ରକାଶ କରି ମାମଲା ରୁଜୁ କରିଥିଲେ ଏବଂ ମାମଲାକୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନେଇ ଆସିଥିଲେ। ୧୯୯୨ରେ ସୁପ୍ରିମ କୋର୍ଟ ସେମାନଙ୍କ ମାମଲାକୁ ଖାରଜ କରିଦେବା ସହ ୧୮ ମାସ ଭିତରେ ଭଡ଼ା ଦୋକାନ ଘର ପରିସରକୁ ଖାଲି କରିଦେବା ପାଇଁ ଆଦେଶ ଜାରି କରିଥିଲେ। ହେଲେ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରାଗଲା ନାହିଁ। ସିନ୍ଧି ପରିବାରଙ୍କ ଦ୍ବାରା ଅତିରିକ୍ତ ମୋକଦ୍ଦମା ଆରମ୍ଭ କରାଗଲା। ଏହାପରେ ଓଡ଼ିଶା ହାଇକୋର୍ଟର ୨୦୧୮ ମସିହା ଅଗଷ୍ଟ ୨୧ ତାରିଖର ରାୟକୁ ବିରୋଧ କରି ଧରମଦାସ ସିନ୍ଧି ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍‌ ପିଟିସନ୍‌ ଦାଖଲ କରିଥିଲେ।

ଗତକାଲି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଧରମଦାସ ସିନ୍ଧିଙ୍କ ଦ୍ବାରା ଦାଖଲ କରାଯାଇଥିବା ଏହି ଏସ୍‌ଏଲ୍‌ପିକୁ ଖାରଜ କରିଦେବା ସହ ଉଚ୍ଛେଦ ଆଦେଶକୁ କାର୍ଯ୍ୟକାରୀ କରିବାରେ ବିଳମ୍ବକୁ ନେଇ କଡ଼ା ଭାଷାରେ ଟିପ୍ପଣୀ କରିଥିଲେ। ଖଣ୍ଡପୀଠ କହିଥିଲେ ୧୯୮୪ରୁ ଏକାଧିକ ମୋକଦ୍ଦମାରେ ସଂପୃକ୍ତ ହୋଇ ଉଚ୍ଛେଦ ଆଦେଶକୁ କାର୍ଯ୍ୟକାରୀ କରାଯାଇ ନାହିଁ। ୩୬ ବର୍ଷ ତଳେ ଉଚ୍ଛେଦ ଆଦେଶ ସତ୍ତ୍ବେ ଆବେଦନକାରୀଙ୍କୁ ନିରାଶ କରି ଦିଆଯାଇଛି। ତେଣୁ ଏଭଳି ବିଳମ୍ବକୁ ନେଇ କାହିଁକି ଦୃଷ୍ଟାନ୍ତମୂଳକ ଜୋରିମାନା ଆଦାୟ କରାଯିବ ନାହିଁ ବୋଲି ସୁପ୍ରିମ କୋର୍ଟ ପ୍ରଶ୍ନ କରିଛନ୍ତି। ଏଭଳି ପ୍ରସଂଗ ନ୍ୟାୟିକ ବ୍ୟବସ୍ଥାର ଆତ୍ମାକୁ ଦୁଃଖ ଓ କଷ୍ଟ ପହଞ୍ଚାଉଛି ଏବଂ ନ୍ୟାୟିକ ପ୍ରକ୍ରିୟା ପ୍ରତି ଏହା ଗୋଟିଏ ବଡ଼ ଧୋକା ବୋଲି କୋର୍ଟ କହିଛନ୍ତି।

ତିନି ଜଣିଆ ଖଣ୍ଡପୀଠ ଉଚ୍ଛେଦ ଆଦେଶକୁ କାର୍ଯ୍ୟକାରୀ ନ କରିବାକୁ ମକଦ୍ଦମା ଦାୟରକୁ ଅସ୍ତ୍ର ରୂପେ ବ୍ୟବହାର କରି ଟାଳଟୁଳ ନୀତି ଆପଣାଇଥିବାକୁ ହୃଦବୋଧ କରି ଧରମଦାସ ସିନ୍ଧିଙ୍କ ନ୍ୟାୟିକ ଉତ୍ତରାଧିକାରୀଙ୍କୁ ତୁରନ୍ତ ଭଡ଼ା ଘର ଖାଲି କରି ଏହାର ପଜେସନ୍‌ ପୁରୁଷୋତ୍ତମ ସାହୁଙ୍କୁ ହସ୍ତଗତ କରିବା ପାଇଁ ଆଦେଶ ଦେଇଛନ୍ତି। କରୋନା ସ୍ଥିତି ଯୋଗୁଁ ଭଡ଼ାଘରକୁ ଖାଲି କରିବା ପାଇଁ ଅତି କମ୍‌ରେ ଛଅ ମାସ ସମୟ ପ୍ରଦାନ କରିବା ପାଇଁ ଧରମଦାସଙ୍କ ଓକିଲ ଖଣ୍ଡପୀଠଙ୍କ ନିକଟରେ ପ୍ରାର୍ଥନା କରିଥିଲେ ମଧ୍ୟ ଖଣ୍ଡପୀଠ ଅନୁରୋଧକୁ ଅଗ୍ରାହ୍ୟ କରି ତିନି ମାସ ଭିତରେ ଭଡ଼ା ଘର ଖାଲି କରିବା ପାଇଁ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଯଦି ତିନି ମାସରେ ଭଡ଼ା ଘର ଖାଲି କରାନଯାଏ ତାହେଲେ ଟ୍ରାଏଲ କୋର୍ଟ ପଜେସନ୍‌ର ୱାରେଣ୍ଟ ଜାରି କରି ପୁଲିସ ଫୋର୍ସ ସହାୟତାରେ ଆବେଦନକାରୀଙ୍କଠାରୁ ଫିଜିକାଲ ପଜେସନ୍‌ ନେବେ। ଉଚ୍ଛେଦ ଆଦେଶ ଜାରି ହେବା ପରଠାରୁ ପଜେସନ୍‌ ହାସଲ ହେବା ପର୍ଯ୍ୟନ୍ତ କ୍ଷତିପୂରଣ ବାବଦରେ ଆବେଦନକାରୀଙ୍କଠାରୁ ଅର୍ଥ ଆଦାୟ କରାଯିବାର ପରିମାଣକୁ ଧାର୍ଯ୍ୟ କରିବା ପାଇଁ ଟ୍ରାଏଲ କୋର୍ଟକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୁରୁଷୋତ୍ତମ ସାହୁଙ୍କ ପକ୍ଷରୁ ସୁପ୍ରିମକୋର୍ଟର ଆଡଭୋକେଟ୍‌ ଅନ୍‌ ରେକର୍ଡ ଦୀପନ୍ବିତା ପ୍ରିୟଙ୍କା ଓ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆର.କେ. ମେହେଟ୍ଟା ସୁପ୍ରିମ କୋର୍ଟରେ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe