Image Courtesy of India Today
ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ଅଭିଯାନ ବେଳେ ରାଜନୈତିକ ଦଳମାନେ ମାଗଣାରେ ବିଭିନ୍ନ ସାମଗ୍ରୀ ଦେବା ପାଇଁ ଦେଉଥିବା ପ୍ରତିଶ୍ରୁତି ସବୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେ ବିଷୟରେ ପରାମର୍ଶ ଦେବା ପାଇଁ ଏକ କମିଟି ଗଠନ କରାଯିବା ଆବଶ୍ୟକ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି।
ଏହି କମିଟିରେ ନୀତି ଆୟୋଗ, ଅର୍ଥ କମିସନ୍, ଶାସକ ଓ ବିରୋଧୀ ଦଳ, ରିଜର୍ଭ ବ୍ୟାଙ୍କ୍ ଏବଂ ନିର୍ବାଚନରେ ସଂଶ୍ଳିଷ୍ଟ ହେଉଥିବା ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକର ସଦସ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି।
ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ବିଭିନ୍ନ ସାମଗ୍ରୀ ମାଗଣାରେ ଦେବେ ବୋଲି ଦେଉଥିବା ପ୍ରତିଶ୍ରୁତିକୁ ବିରୋଧ କରି ସୁପ୍ରିମ୍ କୋର୍ଟରେ ଫାଇଲ୍ ହୋଇଥିବା ପିଟିସନ୍ର ଶୁଣାଣି ବେଳେ ସୁପ୍ରିମ୍ କୋର୍ଟ ଉପରୋକ୍ତ କଥା କହିଛନ୍ତି।
ପ୍ରଧାନ ବିଚାରପତି ଏନ୍.ଭି. ରମନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ମାଗଣା ସାମଗ୍ରୀ ଯୋଗାଣ ଅର୍ଥନୀତି ଉପରେ ଉଲ୍ଲେଖନୀୟ ପ୍ରଭାବ ପକାଉଥିବାରୁ ଉକ୍ତ କମିଟି ଏହାର ସପକ୍ଷ ଓ ବିପକ୍ଷରେ ମତ ଉପସ୍ଥାପନ କରିବା ଆବଶ୍ୟକ। ମାଗଣା ସାମଗ୍ରୀ ବଣ୍ଟନକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ତାହା ପ୍ରସ୍ତାବିତ କମିଟି ପରୀକ୍ଷାନିରୀକ୍ଷା କରି କେନ୍ଦ୍ର ସରକାର, ନିର୍ବାଚନ କମିସନ୍ ଏବଂ ସୁପ୍ରିମ୍ କୋର୍ଟଙ୍କୁ ରିପୋର୍ଟ ଦେବେ।
Image Courtesy of The Hinduବିଶେଷଜ୍ଞ କମିଟି ଗଠନ ସଂକ୍ରାନ୍ତରେ ୭ ଦିନ ମଧ୍ୟରେ ପ୍ରସ୍ତାବ ଦାଖଲ କରିବା ଲାଗି କେନ୍ଦ୍ର ସରକାର, ନିର୍ବାଚନ କମିସନ୍, ବରିଷ୍ଠ ଆଡ୍ଭୋକେଟ୍ ତଥା ରାଜ୍ୟସଭା ସଦସ୍ୟ କପିଲ ସିବଲ ଏବଂ ଆବେଦନକାରୀଙ୍କୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।
ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା ମଧ୍ୟ କହିଛନ୍ତି ଯେ, ନିର୍ବିଚାରରେ ଯୋଗାଣ କରାଯାଉଥିବା ମାଗଣା ସାମଗ୍ରୀ ଭାରତର ଆର୍ଥିକ ବିପର୍ଯ୍ୟୟ ଆଡ଼କୁ ନେଇଯିବ।
ସୁପ୍ରିମ୍ କୋର୍ଟ ମଧ୍ୟ କହିଛନ୍ତି ଯେ, ନିର୍ବାଚନ କମିସନ୍ଙ୍କ ନିଷ୍କ୍ରିୟତା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି। ଏହାର ଉତ୍ତର ଦେଇ ନିର୍ବାଚନ କମିସନ୍ କହିଲା ଯେ, ମାଗଣା ସାମଗ୍ରୀ ବଣ୍ଟନ ଉପରେ ଅଦାଲତଙ୍କ ରାୟ ତାଙ୍କ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିଛି। ଏହାର ଉତ୍ତର ଦେଇ ୩ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ କହିଲେ, ପ୍ରୟୋଜନ ହେଲେ, ରାୟର ପୁନର୍ବିଚାର ହେବ।
Follow Us