ଘୃଣା ଭାଷଣ ନେଇ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ: ରାଜ୍ୟମାନଙ୍କର ନିଷ୍କ୍ରିୟତା ସମସ୍ୟାକୁ ଜଟିଳ କରୁଛି

ରାଜନୀତିରୁ ଧର୍ମ ଅଲଗା ହେବା ଜରୁରୀ

ନୂଆଦିଲ୍ଲୀ : ଘୃଣା ଭାଷଣ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ଆଜି ସୁପ୍ରିମ୍‌କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଅଦାଲତ କହିଛନ୍ତି ଯେ ଯେଉଁ ମୁହୂର୍ତ୍ତରେ ରାଜନୀତି ଓ ଧର୍ମ ଅଲଗା ହୋଇଯିବ ଏବଂ ନେତାମାନେ ରାଜନୀତିରେ ଧର୍ମର ବ୍ୟବହାର ବନ୍ଦ କରିଦେବେ, ସେତେବେଳେ ଘୃଣା ଭାଷଣର ପରିସମାପ୍ତି ଘଟିବ। ଦେଶରେ ସାଂପ୍ରଦାୟିକ ସଦ୍‌ଭାବ କାଏମ ରଖିବା ପାଇଁ ରାଜନୀତିରୁ ଧର୍ମ ଅଲଗା ହେବା ଜରୁରୀ ବୋଲି କୋର୍ଟ କହିଛନ୍ତି। କେତେକ ବ୍ୟକ୍ତି ଲଗାତାର ଘୃଣା ଭାଷଣ ଦେଇଚାଲିଥିବା ଦେଖିବାକୁ ମିଳିଛି ଏବଂ ଏ କ୍ଷେତ୍ରରେ ଲୋକଙ୍କୁ ସଂଯମ ରକ୍ଷା କରିବାକୁ ପଡ଼ିବ ବୋଲି ଶୀର୍ଷ ଅଦାଲତ କହିଛନ୍ତି। ରାଜ୍ୟମାନେ ଘୃଣା ଭାଷଣ ରୋକିବା ଦିଗରେ କାର୍ଯ୍ୟାନୁଷ୍ଠାନ ନେଇ ନିଷ୍କ୍ରିୟତା ଦେଖାଉଛନ୍ତି ଏବଂ ଏଭଳି ସ୍ଥିତି ସବୁଠି ଘୃଣାର ବାତାବରଣ ବଢ଼ାଉଛି ବୋଲି ଜଷ୍ଟିସ୍‌ କେ.ଏମ୍‌. ଯୋଶେଫ୍‌ ଏବଂ ଜଷ୍ଟିସ୍‌ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି।

ପୂର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣକୁ ଉଦ୍ଧାର କରି ଖଣ୍ଡପୀଠ କହିଛନ୍ତି ଯେ ସେମାନଙ୍କ ଭାଷଣ ଶୁଣିବା ପାଇଁ ଲୋକେ ଦୂରଦୂରାନ୍ତରୁ ଆସି ସମବେତ ହେଉଥିଲେ। ଏବେ ଭାଷଣରେ ଘୃଣାର ମାତ୍ରା ବଢ଼ିଯାଇଛି ଏବଂ ଏଭଳି ସ୍ଥିତିରେ ଅଦାଲତ କେତେ ଲୋକଙ୍କ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି। ଭାରତର ନାଗରିକ କୌଣସି ସଂପ୍ରଦାୟକୁ ଅପମାନିତ ନ କରିବା ପାଇଁ କାହିକି ସଂକଳ୍ପ ନେଇପାରିବେ ନାହିଁ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ପ୍ରତିଦିନ କିଛି ଅବାଞ୍ଛିତ ଲୋକ ଟିଭି ଓ ଅନ୍ୟ ସାର୍ବଜନୀନ ମଞ୍ଚରେ ଆସି ଅନ୍ୟମାନଙ୍କୁ ବଦନାମ କରୁଛନ୍ତି ଏବଂ ଘୃଣା ଭାଷଣର ପ୍ରତିଯୋଗିତା ହେଉଛି । ଏହା ଉପରେ ଅଙ୍କୁଶ ଲାଗିବା ଉପରେ ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି।

ଘୃଣା ଭାଷଣ ଦେଉଥିବା ଲୋକଙ୍କ ବିରୋଧରେ ଏଫ୍‌ଆଇର୍‌ ଦାଖଲରେ ବିଫଳ ରହିବା କାରଣ ପାଇଁ ବିଭିନ୍ନ ରାଜ୍ୟ ପ୍ରାଧିକରଣ ବିରୋଧରେ ଅବମାନନା ମାମଲା ଉପରେ ଶୁଣାଣି କରି ଆଜି ଖଣ୍ଡପୀଠ ଏଭଳି ଟିପ୍ପଣୀ ଦେଇଛନ୍ତି। କୋର୍ଟ ଏହି ମାମଲାରେ ଏପ୍ରିଲ ୨୮ରେ ପରବର୍ତ୍ତୀ ଶୁଣାଣି କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe