Image Courtesy of India Today
ନୂଆଦିଲ୍ଲୀ: ଡିଜିଟାଲ୍ ମିଡିଆ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ଏହା ସମାଜରେ ବିଷାକ୍ତ ଓ ଘୃଣାର ବାତାବରଣ ବ୍ୟାପକ ମାତ୍ରାରେ ପ୍ରସାର କରୁଛି ବୋଲି କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଜଣାଇଛନ୍ତି। ପ୍ରଥମେ ସୁପ୍ରିମ୍ କୋର୍ଟ ଡିଜିଟାଲ୍ ମିଡିଆ ଉପରେ ନିୟନ୍ତ୍ରଣ ଆଣନ୍ତୁ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ସତ୍ୟପାଠ ଦାଖଲ କରିଛି। ସୁଦର୍ଶନ ଟିଭି ସୋ’ ବିବାଦ ଅବସରରେ କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ ଏହା କହିଛନ୍ତି। ସୁପ୍ରିମ୍ କୋର୍ଟ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମର କାର୍ଯ୍ୟକଳାପ ପ୍ରତି ବ୍ୟସ୍ତ ନ ହୋଇ ବରଂ ଡଜିଟାଲ୍ ମିଡିଆ ପାଇଁ ଉଚିତ୍ ପଦକ୍ଷେପ ନିଅନ୍ତୁ ବୋଲି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସତ୍ୟପାଠ ମାଧ୍ୟମରେ କୁହାଯାଇଛି।
ଡିଜିଟାଲ୍ ମିଡ଼ିଆ ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ଏବଂ ସମାଜରେ ମିଥ୍ୟା, ଘୃଣାସୂଚକ ଖବର ପ୍ରସାର କରୁଛି ଯାହା କି ହିଂସା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନେଉଛି ବୋଲି କେନ୍ଦ୍ର ସରକାର ଏଥିରେ ଉଲ୍ଲେଖ କରିଛନ୍ତି। ବୈଦ୍ୟୁତିକ ଗଣମାଧ୍ୟମ ଉପରେ ନିୟନ୍ତ୍ରଣ ପାଇଁ କୌଣସି ନିୟମାବଳି ପ୍ରସ୍ତୁତିର ଆବଶ୍ୟକତା ନାହିଁ। ଯଦି ବୈଦ୍ୟୁତିକ ଗଣମାଧ୍ୟମ ଉପରେ ନିୟନ୍ତ୍ରଣ ପାଇଁ କୌଣସି ନିୟମାବଳିର ଆବଶ୍ୟକତା ଅନୁଭବ କରୁଥାନ୍ତି, ତେବେ ତାହାକୁ ବ୍ୟବସ୍ଥାପକ ଉପରେ ଛାଡ଼ି ଦିଆଯାଉ ବୋଲି ସରକାର କହିଛନ୍ତି। ସୂଚନାଯୋଗ୍ୟ, ସୁଦର୍ଶନ ଟିଭି ‘ବିନ୍ଦାସ ବୋଲ୍’କାର୍ଯ୍ୟକ୍ରମ ଜରିଆରେ ସଂଖ୍ୟାଲଘୁ ମୁସ୍ଲିମ୍ ସମ୍ପ୍ରଦାୟକୁ ଟାର୍ଗେଟ୍ କରାଯାଇଥିଲା। ସଂଖ୍ୟାଲଘୁ ମୁସ୍ଲିମମାନେ ୟୁପିଏସ୍ସି ପରୀକ୍ଷା ମାଧ୍ୟମରେ ସରକାରୀ ଚାକିରିରେ ଅନୁପ୍ରବେଶ କରୁଛନ୍ତି ବୋଲି କାର୍ଯ୍ୟକ୍ରମରେ ପ୍ରଚାର କରାଯାଉଥିଲା। ଏହି ଟିଭି ଏହାକୁ ‘ୟୁପିଏସ୍ସି ଜିହାଦ’ ନାମରେ ପ୍ରଚାର କରୁଥିଲା। ତେବେ ନିକଟ ଅତୀତରେ ସୁପ୍ରିମ କୋର୍ଟ ଏହି ଟିଭି କାର୍ଯ୍ୟକ୍ରମକୁ ନିଷିଦ୍ଧ ଘୋଷଣା କରିଛନ୍ତି।
Follow Us