ନୂଆଦିଲ୍ଲୀ: ପୁଅର ମୃତ୍ୟୁ ପାଇଁ ପ୍ରାର୍ଥନା କରିବା ଏବଂ ଜୀବନ ଫେରିବା ପାଇଁ ଅପେକ୍ଷା କରିବା... ହୁଏତ ବାପାମା’ଙ୍କ ପାଇଁ ଏହାଠାରୁ ବଡ଼ ଦୁଃଖ ଆଉ କିଛି ହୋଇପାରେନା। ଜଣେ ମାଆ, ଯିଏ ଦିନେ ନିଜ ପୁଅର ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରୁଥିଲା, ଏବେ ସେ ପୁଅ ପାଇଁ ଶାନ୍ତିପୂର୍ଣ୍ଣ ମୃତ୍ୟୁ ପାଇଁ ନିବେଦନ କରୁଛି। ୧୨ବର୍ଷ ହେଲା ପୁଅ ଉଠି ବସିବ, ଆଉ ବାପାମା’ ଡାକିବ ବୋଲି ଅନାଇ ବସିଛନ୍ତି ମାତାପିତା। ହେଲେ ସେମାନଙ୍କ ଅପେକ୍ଷାର ଅନ୍ତ ଏପର୍ଯ୍ୟନ୍ତ ହୋଇନାହିଁ। ‌୧୨ବର୍ଷ ହେଲା କେବଳ ପୁଅର ନିଶ୍ବାସ ଚାଲିଛି। ନା ସେ ଚାହୁଁଛି, ନା ସେ କିଛି କହୁଛି। ପୁଅର ଏକଷ୍ଟକୁ ଦେଖିନପାରି ଏବେ ମାତାପିତା ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି।

Advertisment

ଜାନୁଆରି ୧୩ତାରିଖରେ ହେବ ଶୁଣାଣି

ଜାନୁଆରି ୧୩ ତାରିଖରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ, ସୁପ୍ରିମକୋର୍ଟ ଇଚ୍ଛାମୃତ୍ୟୁ ଆବେଦନ ଉପରେ ରାୟ ଶୁଣାଇବେ। ଯୁବକଙ୍କୁ ତାଙ୍କ ଯନ୍ତ୍ରଣାଦାୟକ ଜୀବନରୁ ମୁକ୍ତି ମିଳିବ ନା ତାଙ୍କୁ ଏଭଳି ଆଉ କିଛି ଦିନ ମୃତ୍ୟୁକୁ ଅପେକ୍ଷା କରିବାକୁ ହେବ ତାହା କିଛି ଦିନ ପରେ ଜଣାପଡ଼ିବ।

୨୦୧୩ରୁ କୋମାରେ ହରିଶ

ଦିଲ୍ଲୀ ସଂଲଗ୍ନ ଗାଜିଆବାଦର ବାସିନ୍ଦା ହରିଶ ରାଣାଙ୍କ ବୟସ ପ୍ରାୟ ୩୨ ବର୍ଷ। ୨୦୧୩ ମସିହାରେ, ଇଞ୍ଜିନିୟରିଂ ପଢ଼ୁଥିବା ସମୟରେ, ସେ ଚଣ୍ଡିଗଡ଼ରେ ତାଙ୍କ ପିଜିର ଚତୁର୍ଥ ମହଲା ବାଲକୋନିରୁ ଖସି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା ​​ଏବଂ ସେବେଠାରୁ ସେ ଆଉ ଚେତା ଫେରି ପାଇ ନାହାଁନ୍ତି।

ସୁସ୍ଥ ହେବେ ବୋଲି ଆଶା ନାହିଁ

ହରିଶ ଆଜି ପର୍ଯ୍ୟନ୍ତ ବିଛଣାରେ ପଡ଼ି ରହିଛନ୍ତି। ନା ସେ କଥା କହୁଛନ୍ତି ନା ଚାଲିପାରୁଛନ୍ତି। କ’ଣ ଅନୁଭବ କରୁଛନ୍ତି, ତାହା ମଧ୍ୟ ସେ କହିପାରୁନାହାନ୍ତି। ଏବେ ତାଙ୍କର ନିଶ୍ବାସ ଚାଲିଛି ସତ, ହେଲେ ସୁସ୍ଥ ହେବାର ସବୁ ଆଶା ହରାଇ ବସିଛନ୍ତି ହରିଶ।

ବୋଝ ପାଲଟିଛି ଚିକିତ୍ସା ଖର୍ଚ୍ଚ

ପୁଅର ଚିକିତ୍ସା ପାଇଁ ବାପା ଅଶୋକ ରାଣା ତାଙ୍କ ଘର ବିକ୍ରି କରିଦେଲେ ଏବଂ ଚାକିରି ହରାଇଲେ। ଏବେ ମାତ୍ର ତିନି ହଜାର ଟଙ୍କା ପେନସନରେ ସେ ଘର ଚଳାଉଛନ୍ତି। ପରିବାର ପ୍ରତିପୋଷଣ ପାଇଁ ସେ ସାଣ୍ଡୱିଚ୍ ଏବଂ ସ୍ପ୍ରାଉଟ୍ ବିକ୍ରି କରିବା ଆରମ୍ଭ କଲେ। ଯେତେବେଳେ ଜଣେ ନର୍ସଙ୍କ ଖର୍ଚ୍ଚ ବହନ କରିବା ଅସମ୍ଭବ ହୋଇଗଲା, ବାପାମାଆ ନିଜେ ତାଙ୍କ ପୁଅର ଯତ୍ନ ନେବା ଆରମ୍ଭ କଲେ।

ଆହୁରି ପଢ଼ନ୍ତୁ: Half Burnt Dead Body Old Woman ଘର ଭିତରୁ ବୃଦ୍ଧାଙ୍କ ଅର୍ଦ୍ଧ ଦଗ୍ଧ ମୃତଶରୀର ଉଦ୍ଧାର,  ମୃତ୍ୟୁର କାରଣ ଅସ୍ପଷ୍ଟ

ଦୁଇଥର ଇଚ୍ଛାମୃତ୍ୟୁ ଅନୁରୋଧକୁ ଖାରଜ କରିଛନ୍ତି କୋର୍ଟ

୨୦୧୮ ଏବଂ ୨୦୨୩ ମସିହାରେ, ହରିଶଙ୍କ ପିତାମାତା ସୁପ୍ରିମକୋର୍ଟରେ ଇଚ୍ଛାମୃତ୍ୟୁ (ନିଷ୍କ୍ରିୟ ଇଚ୍ଛାମୃତ୍ୟୁ) ପାଇଁ ଅନୁମତି ମାଗିଥିଲେ। କିନ୍ତୁ ଦୁଇ ଥର କୋର୍ଟ ମନା କରିଦେଇଥିଲେ। ଏଥର, ସୁପ୍ରିମକୋର୍ଟ AIIMSରୁ ଏକ ନୂତନ ଡାକ୍ତରୀ ରିପୋର୍ଟ ମାଗିଥିଲେ। ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଥିଲା ଯେ, ହରିଶଙ୍କ ଅବସ୍ଥାରେ ଉନ୍ନତି ହେବାର ସମ୍ଭାବନା ନାହିଁ।

ଆହୁରି ପଢ଼ନ୍ତୁ: Young Man Jumped From Bridge ବ୍ରିଜ ଉପରୁ ଡେଇଁ ଯୁବକଙ୍କର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ