ସୁପ୍ରିମ୍‌କୋର୍ଟରେ ଅଟକିଛି ୫ ପ୍ରମୁଖ ମାମ‌ଲାର ଶୁଣାଣି

Advertisment
୧୯୧ ଆଇନଜୀବୀଙ୍କୁ ସୁପ୍ରିମକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ

Telegraph India

ନୂଆଦିଲ୍ଲୀ : ଗତବର୍ଷ କରୋନା ପ୍ରାରମ୍ଭ କାଳଠାରୁ ଅଦ୍ୟାବଧି ୧୪ ମାସ ମଧ୍ୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ୨୦୦ଟି ମାମଲାର ଶୁଣାଣି ହୋଇଥିଲା। ଏହି ମାମଲା ଗୁଡ଼ିକ ମଧ୍ୟରୁ ୧୦ଟି ମାମଲାରେ ରାୟ ପ୍ରକାଶ ପାଇଛି। ଆଉ କିଛି ମାମଲାରେ ‌ସର୍ବୋଚ୍ଚ ନ୍ୟାୟାଳୟ କିଛି ଆଦେଶ ଓ ନିର୍ଦ୍ଦେଶ ଜାରି କରିଛନ୍ତି। ହେଲେ ଓଡିଶା ସଂପର୍କିତ ୫ଟି ପ୍ରମୁଖ ମାମଲାର ଶୁଣାଣି ଅଟକି ରହିଛି। ଏହି ୫ଟି ମାମଲା ଗୁଡ଼ିକ ହେଲା, ବହୁଚର୍ଚ୍ଚିତ ପୋଲାଭରମ୍‌ ଓ ବଂଶଧାରା ଜଳବିବାଦ ମାମଲା, ଶ୍ରୀମନ୍ଦିର ସଂସ୍କାର ମାମଲା, ପରୀ ହତ୍ୟାକାଣ୍ଡ ମାମଲା ଓ କୋଟିଆ ମାମଲା।

ପୋଲାଭରମ୍‌ ପ୍ରକଳ୍ପକୁ ବିରୋଧ କରି ଓଡ଼ିଶା ଦ୍ବାରା ୨୦୦୭ରେ ଦାଖଲ କରାଯାଇଥିବା ଅରିଜିନାଲ ସୁଟ୍‌ ତଥା ଏକାଧିକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଏବେ ବି ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ରହିଛି। ଅରିଜିନାଲ ସୁଟ୍ ଓ ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ୨୦୦୮ ଏପ୍ରିଲରୁ ୨୦୨୦ ଫେବ୍ରୁଆରି ମଧ୍ୟରେ ୬୦ଥର ହୋଇଥିବାବେଳେ କୌଣସି ନିଷ୍କର୍ଷ ବାହାରିପାରିନାହିଁ। ଅରିଜିନାଲ ସୁଟ୍‌ର ଶୁଣାଣି ପାଇଁ ୨୦୧୮ ଅଗଷ୍ଟ ୨ରେ ସର୍ବୋଚ୍ଚ ନ୍ୟାୟାଳୟ ୧୪ଟି ପ୍ରସଙ୍ଗ ଧାର୍ଯ୍ୟ କରିଥିଲେ ମଧ୍ୟ ଶୁଣାଣି ଆଜି ସୁଦ୍ଧା ଆରମ୍ଭ ହୋଇପାରିନାହିଁ। କ‌ରୋନାର କୋଳାହଳରେ ଏହି ମ‌ାମଲ‌ା ହଜିଗଲା ଭଳି ଜଣାପଡୁଛି। ପୋଲାଭରମ୍‌ ମାମଲ‌ା‌ର ଶୁଣାଣି କେବେ ହେବ ସେ ସଂପର୍କରେ କିଛି ବି ସୂଚନା ମିଳୁପାରୁ ନ ଥିବାବେଳେ ଆନ୍ଧ୍ରପ୍ରଦେଶ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ତତ୍ପର ଅଛନ୍ତି। ସେହିଭଳି ଓଡିଶା-ଆନ୍ଧ୍ର ମଧ୍ୟରେ ଲାଗିରହିଥିବା ବଂଶଧାରା ଜଳବିବାଦ ମାମଲାର ଶୁଣାଣି କ‌ରୋନା ଯୋଗୁଁ ଅଟକିଛି। ଟ୍ରିବ୍ୟୁନାଲର ସେପ୍ଟେମ୍ବର ୧୩, ୨୦୧୭ର ଚୂଡାନ୍ତ ରାୟକୁ ଚ୍ୟାଲେଞ୍ଜ୍‌ କରି ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଏସ୍‌ଏଲ୍‌ପିର ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଶୁଣାଣି ହୋଇପାରିନାହିଁ। ଅପରପକ୍ଷେ ବଂଶଧାରା ନଦୀ ଉପରେ ଆପୋସ ବୁଝାମଣାରେ ନେରେଡି ବ୍ୟାରେଜ୍ ନିର୍ମାଣ ପାଇଁ ନିକଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।

ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ମଧ୍ୟ ଗତ ୧୬ ମାସ ହେଲା ହୋଇପାରିନାହିଁ। ନଭେମ୍ବର ୪, ୨୦୧୯ରେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟ ୨୨ଟି ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରିଥିଲେ। ନିର୍ଦ୍ଦେଶନାମାରେ ଶ୍ରୀମନ୍ଦିର ସଂସ୍କାର ମାମଲା ଅନ୍ତର୍ଗତ ଶ୍ରୀମନ୍ଦିର ସୁପରିଚାଳନା ଲାଗି ଜଣେ ପୂର୍ଣ୍ଣକାଳୀନ ମୁଖ୍ୟପ୍ରଶାସକ ନିଯୁକ୍ତି କରିବା ଲାଗି ରାଜ୍ୟ ସରକାରଙ୍କୁ ତଥା ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ବିବରଣୀ ପ୍ରଦାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମ‌ାନ ସୁଦ୍ଧ‌ା ଏହି ଦୁଇଟି ନିର୍ଦ୍ଦେଶର କ୍ରିୟାନ୍ବୟନକୁ ନେଇ କୌଣସି ସୂଚନା ମିଳିପାରି ନ ଥିବାବେଳେ ଏହି ମାମଲାର କେବେ ଶୁଣାଣି ହେବ ତାହା ଅସ୍ପଷ୍ଟ ରହିଛି।

ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବି କରି ମାଆ ସୌଦାମିନୀ ସାହୁଙ୍କ ଦ୍ବାରା ଦାଖଲ କରାଯାଇଥିବା ରିଟ୍‌ ଆବେଦନ ର ଶୁଣାଣି ଏବେ ବି ଆରମ୍ଭ ହୋଇନାହିଁ। ଏହି ମାମଲ‌ାରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରି ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ ବୋଲି ଜଣାଇସାରିଛନ୍ତି।

ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରପ୍ରଦେଶ ନର୍ବାଚନ କମିଶନ ପଂଚାୟତ ନିର୍ବାଚନ ପାଇଁ ଘୋଷଣା କରିବାପରେ ଆରମ୍ଭ ‌ହୋଇଥିଲା ବିବାଦୀୟ ପରିସ୍ଥିତି। ରାଜ୍ୟ ସରକାର ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମକଦ୍ଦମା ରୁଜୁ କରିଥିଲେ ସୁପ୍ରିମ୍‌କୋର୍ଟରେ। ଦୁଇ ରାଜ୍ୟ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଜବାବ ପ୍ରତିଜବାବ ଦାଖଲ ହୋଇସାରିଥିଲେ ମଧ୍ୟ କରୋନାର ପ୍ରକୋପ ପାଇଁ ମାମଲାର ବିସ୍ତୃତ ଶୁଣାଣି ହୋଇପାରିନାହିଁ।

ଅପରପକ୍ଷେ, ସୁପ୍ରିମ୍‌କୋର୍ଟରେ ଏସବୁ ମ‌ାମଲା ପରିଚାଳନା କରୁଥିବା ଆଇନଜୀବୀମାନଙ୍କର କହିବା କଥା ହେଉଛି କରୋନା କାଳରେ ଭର୍ଚୁଆଲ ମୋଡରେ ଏସବୁ ଗୁରୁତ୍ବପୂର୍ଣ୍ଣ ମାମଲାର ବିସ୍ତୃତ ଶୁଣାଣି ଅସମ୍ଭବ, କାରଣ ମାମଲାଗୁଡିକର ସମ୍ଭେଦନଶୀଳତା ଦୁଷ୍ଟିରୁ ଶୁଣାଣି ବେଳେ ଏକାଧିକ ନଥିପତ୍ର ଉପସ୍ଥାପନ କରିବାକୁ ପଡିଥାଏ, ଯାହା କେବଳ ଫିଜିକାଲ ଶୁଣାଣିରେ ସମ୍ଭବ। ଅତଏବ କୋର୍ଟ ସ୍ବାଭବିକ ହେବାପରେ ହିଁ ଏସବୁ ମାମଲାର ଶୁଣାଣିରେ ଗତି ଧରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe