Image Courtesy of India Today
ନୂଆଦିଲ୍ଲୀ : ଦୀପକ ମିଶ୍ରଙ୍କୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଭାବେ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଦୁଇଜଣ ବ୍ୟକ୍ତି ସୁପ୍ରିମ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଜଣେ ଆବେଦନକାରୀ ପ୍ରଧାନ ବିଚାରପତିଙ୍କ ଦ୍ବାରା ରାଷ୍ଟ୍ରପତିଙ୍କ ନିକଟକୁ ତାଙ୍କ ଉତ୍ତରାଧିକାରୀ ଚୟନ ସୁପାରିସ ଉପରେ ଏଥିରେ ପ୍ରଶ୍ନ ଉଠାଇଥିଲେ। ୨୦୧୭ ମସିହାରେ ରୁଜୁ ହୋଇଥିବା ଏହି ମାମଲା ଉଦ୍ଦେଶ୍ୟ ପ୍ରଣୋଦିତ ହୋଇଥିବାରୁ ତାଙ୍କଠାରୁ ୫ ଲକ୍ଷ ଟଙ୍କାର ଜରିମାନା ସଂଗ୍ରହ ପାଇଁ ସର୍ବୋଚ୍ଚ ଅଦାଲତ ଆଜି ନିର୍ଦ୍ଦେଶ ଦେଇଛନ୍ତି। ସ୍ବାମୀ ଓମ୍ (ବର୍ତ୍ତମାନ ମୃତ) ଏବଂ ମୁକେଶ ଜୈନ ନାମକ ଦୁଇଜଣ ବ୍ୟକ୍ତି ୨୦୧୭ରେ ଏହି ମାମଲା କରିଥିଲେ। ଏମାନଙ୍କ ମଧ୍ୟରୁ ସ୍ବାମୀ ଓମ୍ ଗତବର୍ଷ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ମୁକେଶ ଜୈନ ଅନ୍ୟ ଏକ ମାମଲାରେ ଏବେ ବାଲେଶ୍ବର ଜେଲ୍ରେ ଅଛନ୍ତି।
ଜୈନଙ୍କ ପକ୍ଷରୁ ଜରିମାନା ରାଶି ହ୍ରାସ ପାଇଁ କରାଯାଇଥିବା ଦରଖାସ୍ତ ଉପରେ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଏମ ଆର ଶାହ ଶୁଣାଣି କରିଥିଲେ। ଉପଯୁକ୍ତ କର୍ତ୍ତୃପକ୍ଷ ଜୈନଙ୍କ ଜମିରୁ ଉକ୍ତ ରାଶି ଆଦାୟ କରିବା ପାଇଁ ଅଦାଲତ କହିଛନ୍ତି। ରାଶିକୁ ହ୍ରାସ କରିବା ପାଇଁ ଯେଉଁ ଆବେଦନ ହୋଇଥିଲା ତାହାକୁ ବିଚାରପତି ଖାରଜ କରିଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି ଯେ ୨୦୧୭ରେ ୧୦ ଲକ୍ଷ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତବର୍ଷ ଏହାକୁ ୫ ଲକ୍ଷ ଟଙ୍କାକୁ କମାଇ ଦିଆଯାଇଥିଲା।
ଜୈନଙ୍କ ପକ୍ଷରୁ ଆଇନଜୀବୀ ଏ ପି ସିଂହ କହିଛନ୍ତି, ତାଙ୍କର କୌଣସି ଜମି ନାହିଁ। ଅନ୍ୟ ମାମଲାରେ ଜାମିନ ପାଇବା ମାତ୍ରେ ତାଙ୍କୁ ଅଦାଲତରେ ହାଜର ହେବା ପାଇଁ କୁହାଯିବା ଆବଶ୍ୟକ। ଜୈନ ଗୋଟିଏ ମାମଲାରେ ଜାମିନ ପାଇଥିଲେ ମଧ୍ୟ ତାଙ୍କ ବିରୋଧରେ ଆଉ ଦୁଇଟି ମାମଲା ଓଡ଼ିଶାରେ ରହିଛି। ପୁରୀ ରଥଯାତ୍ରା ସଂପର୍କିତ ଏକ ହ୍ବାଟ୍ସଆପ ମେସେଜ୍ ପ୍ରସାର ମାମଲାରେ ତାଙ୍କ ନାମରେ ମାମଲା ହୋଇଛି। ତାଙ୍କ ନାମରେ ୩ଟି ମାମଲା ରୁଜୁ ହୋଇଛି। ତେବେ ଉକ୍ତ ମାମଲାର ଶୁଣାଣିକୁ ସ୍ଥଗିତ ରଖିବାକୁ ଖଣ୍ଡପୀଠ ମନା କରିବା ସହିତ ଅର୍ଥ ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ମାମଲାରେ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାରତୀ ମତ ରଖି ଜରିମାନା ହ୍ରାସ ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିବା ସହିତ ଜୈନଙ୍କ ଠାରୁ ଏହି ରାଶି ଆଦାୟ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଯୁକ୍ତି ରଖିଥିଲେ।
୨୦୧୭ ଅଗଷ୍ଟ ୨୪ରେ ସୁପ୍ରିମ କୋର୍ଟ କହିଥିଲେ ଯେ ଏହି ଦୁଇ ବ୍ୟକ୍ତିଙ୍କ ଠାରୁ ଦୃଷ୍ଟାନ୍ତମୂଳକ ରାଶି ଆଦାୟ କରାଯିବାର ଆବଶ୍ୟକତା ରହିଛି। ଏହାହେଲେ ଏଭଳି ମାନସିକତା ରଖୁଥିବା ଲୋକ ପିଆଇଏଲ ରୁଜୁରୁ ବିରତ ରହିବେ। ସ୍ବାମୀ ଓମ୍ ଏବଂ ଶ୍ରୀ ଜୈନ ସେମାନଙ୍କ ୨୦୧୭ ମସିହାର ପିଆଇଏଲରେ ତତ୍କାଳୀନ ନବନିଯୁକ୍ତ ପ୍ରଧାନ ବିଚାରପତି (ଦୀପକ ମିଶ୍ର)ଙ୍କ ବିରୋଧରେ କିଛି ଅଭିଯୋଗ ରଖି ନଥିଲେ। ବରଂ ପ୍ରଧାନ ବିଚାରପତି ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତିର ସାମ୍ବିଧାନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ଜଣେ ପ୍ରଧାନ ବିଚାରପତି ତାଙ୍କର ଉତ୍ତରାଧିକାରୀ ଚୟନ କରିବା ପ୍ରକ୍ରିୟା ସମ୍ବିଧାନର ବିରୋଧାଭାଷ ବୋଲି ସେମାନେ ଆବେଦନରେ ଦର୍ଶାଇଥିଲେ। ସେତେବେଳେ ସର୍ବୋଚ୍ଚ ମାସକ ଭିତରେ ଜରିମାନାକୁ ଜମା କରିବା ଓ ତାହାକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଠାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ।
Follow Us