ରଥଯାତ୍ରା ସମେତ ଓଡ଼ିଶା ସମ୍ପର୍କିତ ୧୫୦ରୁ ଊର୍ଦ୍ଧ୍ବ ମାମଲାର ଶୁଣାଣି ‌ହୋ‌ଇଛି

Advertisment

କରୋନା କଟକଣା ସତ୍ତ୍ୱେ ଭିଡିଓ କନଫରେନସିଂରେ ୧୫ ହଜାର ମାମଲାର ଶୁଣାଣି କଲେ ସୁପ୍ରିମକୋର୍ଟ

କରୋନା କଟକଣା ସତ୍ତ୍ୱେ ଭିଡିଓ କନଫରେନସିଂରେ ୧୫ ହଜାର ମାମଲାର ଶୁଣାଣି କଲେ ସୁପ୍ରିମକୋର୍ଟ

ମଦ ଦୋକାନ ଲଟେରି ପ୍ରସଙ୍ଗ : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

Image Source: Zee News

ନୂଆଦିଲ୍ଲୀ : କରୋନା କଟକଣା ସତ୍ତ୍ୱେ ସୁପ୍ରିମକୋର୍ଟ ମାର୍ଚ୍ଚ ୨୩ରୁ ଆଜି ସୁଦ୍ଧା ଭିଡିଓ କନଫରେନ୍ସିଂ ଜରିଆରେ ୧୦୦ ଦିନର ଶୁଣାଣି ଶେଷ କରିଛନ୍ତି। ଏହି ଅବଧିରେ ସୁପ୍ରିମକୋର୍ଟ ସର୍ବମୋଟ ୧୫ ହଜାର ମାମଲାର ଶୁଣାଣି କରି ୪୩୦୦ ମାମଲାର ରାୟ ଶୁଣାଇଛନ୍ତି। ଏହି ୧୦୦ ଦିନରେ ମାମଲାଗୁଡ଼ିକର ଶୁଣାଣି ପାଇଁ ୧୦୨୨ ଥର ସୁପ୍ରିମକୋର୍ଟର ବିଭିନ୍ନ ବେଞ୍ଚ୍‌ ବସିଥିଲା। ଏହି ଅବଧିରେ ବିଭିନ୍ନ ବେଞ୍ଚରେ ସର୍ବମୋଟ ୧୫,୬୨୮ ମାମଲାଗୁଡ଼ିକ ପାଇଁ ଉପସ୍ଥାପନା କରାଯାଇଥିବା ବେଳେ ଏଥିରେ ୫୮୮ଟି ପ୍ରମୁଖ ମାମଲା ରହିଥିଲା ତଥା ୪୩୪ଟି ପୁନଃବିଚାର ପିଟିସନ ସାମିଲ ଥିଲା। ଭିଡିଓ କନଫରେନ୍ସିଂ ଜରିଆରେ ସମୁଦାୟ ୧୫ ହଜାର ମାମଲାର ଶୁଣାଣି ହୋଇପାରିଥିଲା ଏବଂ ପାଖାପାଖି ୫୦,୪୭୫ ଓକିଲ ପକ୍ଷ ରଖିଥିଲେ।

ଅପରପକ୍ଷେ ଲକଡାଉନ ପରଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ସମ୍ପର୍କୀତ ୧୫୦ରୁ ଊର୍ଦ୍ଧ୍ବ ମାମଲାର ଶୁଣାଣି ହୋଇଥିବାର ଜଣାପଡ଼ିଛି। ଏହି ଅବଧିରେ ସବୁଠାରୁ ଚର୍ଚ୍ଚିତ ମାମଲା- ପୁରୀ ଜଗନ୍ନାଥ ରଥଯାତ୍ରା ଆୟୋଜନକୁ ନେଇଥିଲା। ବିନା ଭକ୍ତରେ ତଥା ଏକାଧିକ କଟକଣା ସହିତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଅନୁମତି ଦିଆଯାଇଥିଲା। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣିରେ ସୁପ୍ରିମକୋର୍ଟ କୋଭିଡ୍-୧୯ ପରୀକ୍ଷାରେ ନେଗେଟିଭ୍ ରିପୋର୍ଟ ଜଣାପଡ଼ିବା ପରେ ପ୍ରବାସୀ ଓଡ଼ିଆଙ୍କୁ ଆସିବାକୁ ଅନୁମତି ଦେବାକୁ ଓଡ଼ିଶା ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ ଉପରେ ରହିତାଦେଶ ଜାରି କରିଥିଲେ। ଏହି ସମୟ ଅବଧିରେ ଓଡ଼ିଶା ସମ୍ପର୍କିତ ୩୫ରୁ ଅଧିକ ମାମଲାରେ ସୁପ୍ରିମକୋର୍ଟ ରାୟ ଆଦେଶ ଓ ନିର୍ଦ୍ଦେଶ ମଧ୍ୟ ଜାରି କରିଥିଲେ। ଏସ୍‌ସି ଓ ଏସ୍‌ଟି ପଦନ୍ନୋତି ସଂରକ୍ଷଣ ମାମଲାରେ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ। ଅପରାଧିକ ମାମଲାଗୁଡ଼ିକର ତ୍ବରିତ ବିଚାର ପାଇଁ ହାଇକୋର୍ଟଙ୍କଠାରୁ ପ୍ରସ୍ତାବ ଲୋଡ଼ାଯିବା ପରେ ହାଇକୋର୍ଟ ପ୍ରସ୍ତାବ ସୁପ୍ରିମକୋର୍ଟକୁ ପଠାଇଥିଲେ। ଏହି ସମୟ ଅବଧିରେ ବାରିପଦା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ବନାମ ବିମଳା ଲୋଚନ ଦାସ ସମେତ ଦେଶର ବିଭିନ୍ନ ସମବାୟ ବ୍ୟାଙ୍କ ଓ ଋଣ ଖିଲାପକାରୀଙ୍କ ଦ୍ବାରା ଦାଖଲ ୫୦ରୁ ଊର୍ଦ୍ଧ୍ବ ମାମଲାରେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସମବାୟ ବ୍ୟାଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଦ୍ୱାରା ଜବାବ ଦାଖଲରେ ବିଳମ୍ବକୁ ନେଇ କୋର୍ଟ ୫୦ ହଜାର ଟଙ୍କା ଜୋରିମାନା କରିଥିଲେ। ଏହି ସମୟ ଅବଧିରେ ବରଗଡ଼ର ଏକ ଉଚ୍ଛେଦ ସମ୍ପର୍କିତ ମାମଲାର ଆଦେଶ ୩୬ ବର୍ଷରୁ କାର୍ଯ୍ୟକାରୀ ନ ହେବା ନ୍ୟାୟ ବ୍ୟବସ୍ଥା ପ୍ରତି ଧୋକା ବୋଲି ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିଥିଲେ। ୩ ମାସ ଭିତରେ ଉଚ୍ଛେଦ ଆଦେଶକୁ କାର୍ଯ୍ୟକାରୀ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏକ ହତ୍ୟା ମାମଲାର ଶୁଣାଣି କରି ଓଡ଼ିଶାର ଗଜପତି ଜିଲ୍ଲାର ଆଦିବାସୀ ମହିଳାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ। ରାଜ୍ୟର ସବୁ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରସଙ୍ଗରେ ଦାଖଲ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ବାରକାଉନ୍‌ସିଲ ଅଫ୍ ଇଣ୍ଡିଆ ଓ ରାଜ୍ୟ ଆଇନଜୀବୀ ପରିଷଦକୁ ନୋଟିସ ଜାରି କରିଥିଲେ। ଓଏମ୍‌ଡିସିକୁ ମାଇନିଂ ଅପରେସନ ପାଇଁ ମଧ୍ୟ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଥିଲେ।

ଯଦିଓ ସୁପ୍ରିମକୋର୍ଟଙ୍କ ୧୦୦ ଦିନର ଭିଡିଓ କନଫରେନ୍ସିଂରେ ଓଡ଼ିଶା ସମ୍ପର୍କିତ ବିଭିନ୍ନ ମାମଲାର ଶୁଣାଣି କରାଯାଇଥିଲା, ଦୀର୍ଘ ଦିନରୁ ବିଚାରାଧୀନ ଥିବା ପୋଲାଭରମ ଓ ବଂଶଧାରା ଜଳବିବାଦ ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇ ନ ଥିଲା। ଏହି ଦୁଇଟି ଜଳବିବାଦ ସମ୍ପର୍କିତ ମାମଲାର ଫିଜିକାଲ ଶୁଣାଣିର ଆବଶ୍ୟକତା ଥିବା ଯୋଗୁଁ ଭିଡିଓ କନଫରେନ୍ସିଂରେ ଏହାର ଶୁଣାଣିକୁ ଅଗ୍ରାଧିକାର ଦିଆଯାଇ ନାହିଁ ବୋଲି ମାମଲା ପରିଚାଳନା କରୁଥିବା ଆଇନଜୀବୀମାନେ ମତ ବ୍ୟକ୍ତ କରିଛନ୍ତି। ଫିଜିକାଲ ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହେବା ପରେ ଏହି ଦୁଇଟି ଜଳ ବିବାଦ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ତାଲିକାଭୁକ୍ତ କରିପାରନ୍ତି ବୋଲି ପକ୍ଷଭୁକ୍ତ ରାଜ୍ୟର ଆଇନଜୀବୀମାନେ ଆଶା ବ୍ୟକ୍ତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe