ନୂଆଦିଲ୍ଲୀ: ନଭେମ୍ବର ୧୭ରେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଅବସର ଗ୍ରହଣ କରିବେ। ଅବସର ଗ୍ରହଣ ପୂର୍ବରୁ ଆସନ୍ତାକାଲିଠାରୁ ୧୫ ତାରିଖ ମଧ୍ୟରେ ଆଉ ୪ଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ଘୋଷଣା କରିବେ। ଏହିସବୁ ରାୟକୁ ସମଗ୍ର ଦେଶ ଆଗ୍ରହର ସହ ଅପେକ୍ଷା କରିଛି। କେରଳର ସବରିମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶାଧିକାର ନେଇ ସୁପ୍ରିମ୍ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠ ପ୍ରଦାନ କରିଥିବା ରାୟର ସମୀକ୍ଷା ମାମଲାଟି ସମଗ୍ର ଦେଶ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ୨୦୧୮ ସେପ୍ଟେମ୍ବର ମାସରେ ସୁପ୍ରିମ୍ କୋର୍ଟଙ୍କ ଏହି ରାୟକୁ ବିରୋଧ କରି ଏକ ରିଭ୍ୟୁ ପିଟିସନ୍ ଆଗତ ହୋଇଥିଲା। ଯାହାର ଶୁଣାଣି ପ୍ରଧାନ ବିଚାରପତି ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ବିଚାରପତି ଆର୍. ଏଫ୍. ନରିମାନ୍, ବିଚାରପତି ଏ. ଏମ୍. ଖାନ୍ୱିଲ୍କର, ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ ଓ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଶେଷ ହେବା ପରେ ରାୟ ସଂରକ୍ଷିତ ରହିଛି। ଅବସର ଗ୍ରହଣ ପୂର୍ବରୁ ପ୍ରଧାନ ବିଚାରପତି ଏହି ରାୟକୁ ଘୋଷଣା କରିବେ।
ସେହିଭଳି ଚଳିତ ସପ୍ତାହରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ରୂପେ ବିବେଚିତ ହେଉଥିବା ରାଫେଲ୍ ରାୟର ସମୀକ୍ଷା ନେଇ ରାୟ ଆସିବାର ଅଛନ୍ତି। ୨୦୧୮ ଡିସେମ୍ବରରେ ସୁପ୍ରିମ୍ କୋର୍ଟ ରାଫେଲ ଜେଟ୍ କିଣା ପ୍ରସଙ୍ଗ ଉପରେ ପ୍ରଦାନ କରିଥିବା ଏକ ରାୟର ସମୀକ୍ଷା ପାଇଁ ଆଗତ ହୋଇଥିବା ମାମଲାର ରାୟ ପ୍ରକାଶ କରିବାକୁ ଯାଉଛନ୍ତି। ରାଫେଲ୍ ଜେଟ୍ ପ୍ରସଙ୍ଗରେ କଂଗ୍ରେସର ତତ୍କାଳୀନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ନିର୍ବାଚନୀ ସ୍ଲୋଗାନ୍ ‘ଚୌକିଦାର ଚୋର୍ ହୈ’କୁ ସୁପ୍ରିମ୍ କୋର୍ଟ ରାୟ ସହ ଯୋଡ଼ିବା ଘଟଣା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ରାହୁଲଙ୍କ ବିରୋଧରେ ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଶେଷ କରି ରାୟକୁ ସଂରକ୍ଷିତ ରଖିଛନ୍ତି। ଏହା ମଧ୍ୟ ପ୍ରକାଶ ପାଇବ। ସେହିଭଳି ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନ୍ର ପରିସରଭୁକ୍ତ ହେବ ନା ନାହିଁ, ଏ ସମ୍ପର୍କିତ ରାୟ ମଧ୍ୟ ଆସିବାର ଅଛି।
ନୂଆଦିଲ୍ଲୀ : ସୂଚନା ଅଧିକାର ଆଇନ ପରିସରରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ରହିବା ସଂକ୍ରାନ୍ତରେ ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ରାୟ ଆସିବ। ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ୫ ଜଣିଆ ସମ୍ବିଧାନ ପୀଠ ଆସନ୍ତାକାଲି ଅପରାହ୍ନ ୨ଟାରେ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇବେ। ଉଲ୍ଲେଖଯୋଗ୍ୟ ସୂଚନା ଅଧିକାର ଆଇନ ଅଧୀନରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ରହିବା ସଂକ୍ରାନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ୨୦୧୦ରେ ସୁପ୍ରିମକୋର୍ଟର ମହାସଚିବ ଏବଂ ଏହାର କେନ୍ଦ୍ରୀୟ ଜନ ସୂଚନା ଅଧିକାରୀଙ୍କ ଦ୍ବାରା ହୋଇଥିବା ଆବେଦନ ଉପରେ ଶୁଣାଣି କରି ସମ୍ବିଧାନ ପୀଠ ଗତ ଏପ୍ରିଲ ୪ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ଆସନ୍ତାକାଲି ଏହି ମାମଲାରେ ରାୟ ଆସିବ। ୨୦୧୦, ଜାନୁଆରି ୧୦ ତାରିଖରେ ଦିଲ୍ଲୀ ହାଇକୋର୍ଟ ଏକ ଐତିହାସିକ ରାୟ ଦେଇ କହିଥିଲେ ଯେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନ ପରିସରରେ ଆସୁଛି। ନ୍ୟାୟପାଳିକାର ସ୍ବାଧୀନତା କେବଳ ବିଚାରପତିଙ୍କ ଅଧିକାର ମଧ୍ୟରେ ସୀମିତ ନୁହେଁ ବରଂ ଏଦିଗରେ ବହୁ ଗୁରୁଦାୟିତ୍ବ ସମ୍ପାଦନ କରିବାକୁ ପଡ଼ିବ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ। ଦିଲ୍ଲୀ ହାଇକୋର୍ଟଙ୍କର ଏହି ୮୮ ପୃଷ୍ଠାର ରାୟ ସେତେବେଳେ ନ୍ୟାୟିକ ବ୍ୟବସ୍ଥାରେ ଝଡ଼ ସୃଷ୍ଟି କରିଥିଲା।
Follow Us