ଟିକା ମୂଲ୍ୟନୀତି ବଦଳାଇବାକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ

ଛାଡ଼ପତ୍ର ପାଇଁ ସହମତ ଦମ୍ପତିଙ୍କ ଲାଗି ୬ ମାସ ବାଧ୍ୟତାମୂଳକ ପ୍ରତୀକ୍ଷା ସର୍ତ୍ତ ଅନାବଶ୍ୟକ

Image Courtesy of India Today

ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ସଂକ୍ରମଣ ବୃଦ୍ଧି ମାମଲା ଏବେ ଘୋର ଉଦ୍‌ବେଗର କାରଣ ହୋଇଛି। ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଗୁରୁତ୍ବ ଦେଉଛନ୍ତି। ଏଭଳି ସ୍ଥିତିରେ ଟିକା ଅଭାବ ଏବଂ ଟିକାର ଭିନ୍ନ ଭିନ୍ନ ମୂଲ୍ୟକୁ ନେଇ ମଧ୍ୟ ସମସ୍ୟା ଉପୁଜିଛି। ଏହି ମାମଲାରେ ସୁପ୍ରିମ୍‌ କୋର୍ଟ ହସ୍ତକ୍ଷେପ କରି ସରକାରଙ୍କ ସାଂପ୍ରତିକ ଟିକା ମୂଲ୍ୟ ନୀତିକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇବା ସହ ଏଥିରେ ପରିବର୍ତ୍ତନ ଆଣିବାକୁ କହିଛନ୍ତି। କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ବର୍ତ୍ତମାନର କରୋନା ଟିକା ନୀତି ଦେଶରେ ଅସମାନତା ଓ ଭେଦଭାବ ସୃଷ୍ଟି କରିବା ଆଶଙ୍କା ଦେଖାଦେଇଛି। ଜନସାଧାରଣଙ୍କ ସ୍ବାସ୍ଥ୍ୟ ଅଧିକାର ପ୍ରତି ମଧ୍ୟ ଏହି ନୀତି କ୍ଷତି ପହଞ୍ଚାଇବ ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଏଲ୍‌ ନାଗେଶ୍ବର ରାଓ ଏବଂ ଜଷ୍ଟିସ୍‌ ଏସ୍‌ ରବିନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଟିକା ନିର୍ମାତାମାନେ ଯେଭଳି ଭାବେ ଭିନ୍ନ ଭିନ୍ନ ମୂଲ୍ୟ ପ୍ରସ୍ତାବ ଦେଇଛନ୍ତି ତାହା ଚିନ୍ତାଜନକ। ଏବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପାଇଁ ଟିକା ମୂଲ୍ୟ ଭିନ୍ନ ଥିବା ବେଳେ ରାଜ୍ୟମାନଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିବ। ରାଜ୍ୟମାନଙ୍କ ଦ୍ବାରା ଟିକା ସଂଗ୍ରହକୁ ନେଇ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯିବ ଏବଂ ନୂଆ ଟିକା ନିର୍ମାତାଙ୍କୁ ପ୍ରୋତ୍ସାହନ ଦେବା ବାହାନରେ ଭିନ୍ନ ସ୍ଥିତି ସୃଷ୍ଟି ହେବ। ଏହା ଦ୍ବାରା ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକାକରଣ କ୍ଷେତ୍ରରେ ବଡ଼ ସମସ୍ୟାା ଉପୁଜିବ। ଏହି ବର୍ଗରେ ବି ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଘରୋଇ କେନ୍ଦ୍ରରେ ପଇସା ଦେଇ ଟିକା ନେଇପାରିବେ ନାହିଁ। ଦଳିତ ଓ ବଞ୍ଚିତମାନେ ଏହି ନୀତି ଦ୍ବାରା ଅନ୍ୟାୟର ଶିକାର ହେବେ ବୋଲି ଅଦାଲତ କହିଛନ୍ତି। ଟିକାକରଣ ଲୋକଙ୍କ ମଙ୍ଗଳ ପାଇଁ କରାଯାଉଥିବାରୁ ନାଗରିକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କଲା ଭଳି ନୀତି କଦାପି ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

କୋର୍ଟ କହିଛନ୍ତି, କେନ୍ଦ୍ର ସରକାର ୪୫ ବର୍ଷରୁ ଅଧିକ ବୟସ ବର୍ଗର ଲୋକଙ୍କୁ ମାଗଣା ଟିକା ପ୍ରଦାନ କରନ୍ତୁ ଏବଂ ରାଜ୍ୟ ସରକାର ୧୮ରୁ ୪୪ ଆୟୁ ର୍ବଗର ଟିକା ଦାୟିତ୍ବ ନିର୍ବାହ ପାଇଁ ସୁଚିନ୍ତିତ ଯୋଜନା କରନ୍ତୁ। ବର୍ତ୍ତମାନର ଟିକା ‌ନୀତି ସମ୍ବିଧାନର ଧାରା ୨୧ ଅଧୀନରେ ଥିବା ଜନସ୍ବାସ୍ଥ୍ୟ ଅଧିକାର ପାଇଁ ହାନିକାରକ ପରିଣାମ ସୃଷ୍ଟି କରିବ। ସମ୍ବିଧାନର ଧାରା ୧୪ ( ଆଇନ ଆଗରେ ସମସ୍ତେ ସମାନ) ଏବଂ ଧାରା ୨୧ (ଜୀବନର ସୁରକ୍ଷା ଏବଂ ବ୍ୟକ୍ତି ସ୍ବାଧୀନତା)ର ପାଳନ ସହିତ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନର ଟିକା ନୀତିର ପୁନଃ ସମୀକ୍ଷା କରି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe