ନୂଆଦିଲ୍ଲୀ: ୨୦୦୬ ମୁମ୍ବାଇ ଟ୍ରେନ୍ ବୋମା ବିସ୍ଫୋରଣ ମାମଲାରେ ସମସ୍ତ ୧୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ବମ୍ବେ ହାଇକୋର୍ଟ। ଆଜି ଏହି ରାୟ ଉପରେ ଗୁରୁବାର ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ବିଚାରପତି ଏମ୍ ଏମ୍ ସୁନ୍ଦରେଶ ଏବଂ ଏନ୍ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏନେଇ ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରାଯାଇଛି। ରାୟ ଉପରେ ରୋକ୍ ଲଗାଯାଇଥିଲେ ବି କୋର୍ଟ ଅଭିଯୁକ୍ତଙ୍କୁ ଜେଲରୁ ମୁକ୍ତ କରିବା ଉପରେ ରୋକ ଲଗାଇ ନାହାଁନ୍ତି।
ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ଆବେଦନର ଶୁଣାଣି କରୁଥିବା ସମୟରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି।
୧୧ ଜୁଲାଇ ୨୦୦୬ ସନ୍ଧ୍ୟାରେ, ମୁମ୍ବାଇ ଲୋକାଲ୍ ଟ୍ରେନରେ ମାତ୍ର ୧୧ମିନିଟ୍ ମଧ୍ୟରେ ସାତଟି ଭିନ୍ନ ଭିିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ୧୮୯ଜଣ ପ୍ରାଣ ହରାଇଥିଲେ। ଏହା ସହ ୮୨୭ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ୧୧ ଜୁଲାଇ, ୨୦୦୬ରେ ମୁମ୍ବାଇ ଲୋକାଲ୍ ଟ୍ରେନ୍ରେ ହୋଇଥିବା ସିରିଜ୍ ବିସ୍ଫୋରଣ ମାମଲାରେ ବମ୍ବେ ହାଇକୋର୍ଟର ଏହି ନିଷ୍ପତ୍ତି ୧୯ ବର୍ଷ ପରେ ଆସିଥିଲା। ବିଚାରପତି ଅନିଲ କିଲୋର ଏବଂ ବିଚାରପତି ଏସ୍. ଚନ୍ଦକଙ୍କ ଖଣ୍ଡପୀଠ ଏହି ଐତିହାସିକ ରାୟରେ କହିଥିଲେ ଯେ, "ଯାହାବି ପ୍ରମାଣ ଉପସ୍ଥାପନ କରାଯାଇଥିଲା, ସେଥିରେ କୌଣସି ଦୃଢ଼ ତଥ୍ୟ ନଥିଲା। ପ୍ରମାଣ ବିଶ୍ବାସଯୋଗ୍ୟ ନଥିବାରୁ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।" ମାମଲାର ଶୁଣାଣି ଜାନୁଆରି ୨୦୨୫ରେ ସମାପ୍ତ ହୋଇଥିଲା। ସେବେଠାରୁ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ୟେରୱାଡା, ନାସିକ, ଅମରାବତୀ ଏବଂ ନାଗପୁର ଜେଲରେ ବନ୍ଦୀ ଥିବା ଅଭିଯୁକ୍ତମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। ହାଇକୋର୍ଟ କେବଳ ଦୋଷୀଙ୍କ ଆବେଦନକୁ ଗ୍ରହଣ କରିନଥିଲେ, ବରଂ ମୃତ୍ୟୁଦଣ୍ଡ ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ।
Follow Us