Lawstreet Journal
ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ତାଙ୍କ ବିରୋଧରେ ଚାଲିଥିବା ଅପରାଧିକ ଅବମାନନା ମାମଲାର ବିଚାର ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ପୂର୍ବରୁ ଏହି ମାମଲାର ଶୁଣାଣି କରି ଅପରାଧିକ ଅଦାଲତ ଅବମାନନା ଏବଂ ନିର୍ଦ୍ଦିଷ୍ଟ ଭାବେ ଭାରତର ମୁଖ୍ୟ ବିଚାରପତିଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ରଖିଥିବା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି ସୁପ୍ରିମକୋର୍ଟ। ତେଣୁ ଆଜି ଏହି ମାମଲାରେ ସର୍ବୋଚ୍ଚ ଅଦାଲତ ଦଣ୍ଡ ଘୋଷଣା କରିବେ ବୋଲି ଆଶା କରାଯାଉଛି।
ଏହି ଅପରାଧିକ ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଗୁରୁବାରଦିନ ଦଣ୍ଡବିଧାନ ଘୋଷଣା କରିବାକୁ ଥିବା ବେଳେ ତାହାକୁ ଆଉ କିଛିଦିନ ଘୁଞ୍ଚାଇଦେବାକୁ ପ୍ରଶାନ୍ତ ଭୂଷଣ ଆବେଦନ କରିଥିଲେ। ଏହି ମାମଲାରେ ରିଭ୍ୟୁ ପିଟିସନ ବା ପୁନର୍ବିଚାର ଆବେଦନର ରାୟ ଆସିବା ପର୍ଯ୍ୟନ୍ତ ଦଣ୍ଡବିଧାନକୁ ସ୍ଥଗିତ ରଖାଯାଉ ବୋଲି ପ୍ରଶାନ୍ତ ଭୂଷଣ ନିଜର ଓକିଲଙ୍କ ମାଧ୍ୟମରେ ଆବେଦନ କରିଥିଲେ।
Image Source: Zee Newsପ୍ରଶାନ୍ତ ଭୂଷଣଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ବେଳେ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ କହିଛନ୍ତି ଯେ ଏହି ଆବେଦନ ଯୁକ୍ତିଯୁକ୍ତ ନୁହେଁ। କାରଣ ଦଣ୍ଡାଦେଶ ପରେ ହିଁ ବିଚାର ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। ପ୍ରଶାନ୍ତ ଭୂଷଣ କୋର୍ଟରେ ନିଜର ପକ୍ଷ ରଖି ଯୁକ୍ତି ବାଢ଼ିଥିଲେ କି ସୁପ୍ରିମକୋର୍ଟଙ୍କର ଅନ୍ୟ ଏକ ବେଞ୍ଚ ଏହି ମାମଲାରେ ଦଣ୍ଡବିଧାନର ପରିମାଣ ଉପରେ ଶୁଣାଣି କରିବା ଉଚିତ। ମାତ୍ର ଏହାକୁ ମଧ୍ୟ ସୁପ୍ରିମକୋର୍ଟ ଗ୍ରହଣ ନ କରି କହିଥିଲେ ଯେ ଆପଣ (ପ୍ରଶାନ୍ତ ଭୂଷଣ) ଆମକୁ ଏକ ଅନୁପଯୁକ୍ତ କାର୍ଯ୍ୟ କରିବାକୁ କହୁଛନ୍ତି, ଅନ୍ୟ ଏକ ଖଣ୍ଡପୀଠ ଦଣ୍ଡବିଧାନ ଉପରେ ଶୁଣାଣି କିପରି କରିବେ? "
ଏହାପରେ ସୁପ୍ରିମକୋର୍ଟ କହିଛନ୍ତି, “ଯାହା ବି ଆବେଦନ ଅଛି ତାହାକୁ ଆଧାର କରି ଆମକୁ ଏକ ଆଦେଶ ଜାରି କରିବାକୁ ପଡ଼ିବ। ଆମେ ଏ ମାମଲାରେ ଚୂଡ଼ାନ୍ତ ରାୟ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଉନାହୁଁ। ”
ସୁପ୍ରିମକୋର୍ଟ ଏବଂ ମୁଖ୍ୟ ବିଚାରପତି ଏସ.ଏ.ବୋବଡେଙ୍କ ଉପରେ ତାଙ୍କର ଦୁଇଟି ଟ୍ୱିଟ୍ ପାଇଁ ଜଣାଶୁଣା ସାମଜିକ କାର୍ଯ୍ୟକର୍ତ୍ତା ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ନ୍ୟାୟପାଳିକା ପ୍ରତି ଆକ୍ଷେପ କରାଯାଇଥିବାରୁ ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲା ରୁଜ୍ଜୁ କରାଇଥିଲେ।
ଅଗଷ୍ଟ ୧୪ରେ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ନ୍ୟାୟପାଳିକା ବିରୋଧରେ ତାଙ୍କ ଟ୍ୱିଟ୍ ପାଇଁ ଅପରାଧିକ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ଜନସାଧାରଣଙ୍କ ସ୍ୱାର୍ଥରେ କରାଯାଇଥିବା ନ୍ୟାୟପାଳିକାର କାର୍ଯ୍ୟକାରିତାକୁ ସମାଲୋଚନା କରାଯାଇପାରିବ ନାହିଁ ବୋଲି ମତ ରଖିଛନ୍ତି।
Follow Us