Supreme Court assures Anurag Thakur
ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ପୂର୍ବତନ ବିସିସିଆଇ ସଭାପତି ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି। ଏଣିକି ସେ ପୁଣି ଥରେ ବିସିସିଆଇକୁ ଫେରିପାରିବେ ଓ କ୍ରିକେଟ୍ ପରିଚାଳନା ବ୍ୟାପାରର ସଂପୃକ୍ତ ହୋଇପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି। ୨୦୧୭ରେ ସୁପ୍ରିମକୋର୍ଟ ଏକ ରାୟ ଦେଇ ଅନୁରାଗଙ୍କୁ ବିସିସିଆଇର ବ୍ୟାପାରରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିଷେଧାଜ୍ଞା ହଟାଇବାକୁ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗୁରୁବାର ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲା ବାଗ୍ଚୀ ସୁପ୍ରିମ୍କୋର୍ଟଙ୍କ ପୂର୍ବ ରାୟକୁ ବଦଳାଇବା ସହ ଅନୁରାଗଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି।
୨୦୧୬ ଜୁଲାଇ ୧୮ରେ ସୁପ୍ରିମକୋର୍ଟ ଏକ ରାୟ ପ୍ରଦାନ କରି ଲୋଧା କମିଟି ସଂସ୍କାର ଲାଗୁ କରିବା ସହ ବିସିସିଆଇରେ ଜଣେ ସିଏଜି ନୋମିନିଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପରେ ସୁପ୍ରିମକୋର୍ଟ ଜାଣିବାକୁ ପାଇଥିଲେ ଯେ ଅନୁରାଗ ଆଇସିସିକୁ ପତ୍ର ଲେଖି ସଂସ୍କାର ପ୍ରକ୍ରିୟାକୁ ବିରୋଧ କରିବାକୁ ଚାପ ପକାଉଥିଲେ। ଏହି ସଂସ୍କାର କ୍ରୀଡା ବ୍ୟାପାରରେ ସରକାରଙ୍କ ହସ୍ତକ୍ଷେପ ବୋଲି ଦର୍ଶାଇ ଆଇସିସି ବିରୋଧ କରୁ ବୋଲି ସେ ତତକାଳୀନ ଆଇସିସି ମୁଖ୍ୟ ଶଶାଙ୍କ ମନୋହରଙ୍କୁ ପତ୍ର ଲେଖିଥିଲେ। ଏହା ଜଣାପଡ଼ିବା ପରେ ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ ଅନୁରାଗଙ୍କୁ ବିସିସିଆଇରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ତାଙ୍କ ବିରୋଧରେ ଅଦାଲତ ଅବମାନା ମାମଲା ରୁଜ୍ଜୁ ହୋଇଥିଲେ।
Follow Us