ABP News
ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ଚଳିତ ମାସ ୧୪ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ସୁପ୍ରିମ୍ କୋର୍ଟ ଆଜି ତାଙ୍କର ଦଣ୍ଡାଦେଶ ରାୟକୁ ସଂରକ୍ଷିତ ରଖିଛନ୍ତି। ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଆଜି ଏହି ମାମଲାରେ ଦଣ୍ଡାଦେଶ ଶୁଣାଇବାର ଥିବାବେଳେ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି।
ଆଜି ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଏପରି ଆଚରଣ ଗ୍ରହଣୀୟ ନୁହେଁ। କିମ୍ବା ତାଙ୍କ ଠାରୁ ଏପରି ଆଚରଣର ଆଶା ଆମେ ଆଶା କରୁନାହୁଁ। ଏବଂ ତାଙ୍କୁ ତାଙ୍କ ଆଚରଣ ଓ ନିଷ୍ପତ୍ତିର ସମୀକ୍ଷା କରିବା ପାଇଁ ଆଉ ଏକ ସୁଯୋଗ ପ୍ରଦାନ କରୁଛୁ।
ଉଲ୍ଲେଖଯୋଗ୍ୟ, ଆଜି ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି ଆରମ୍ଭ ହେବା ପରେ ସୁପ୍ରିମ କୋର୍ଟ ପୁଣିଥରେ ପ୍ରଶାନ୍ତ ଭୂଷଣଙ୍କୁ ନ୍ୟାୟପାଳିକା ବିରୋଧରେ ଉଠାଇଥିବା ଅଭିଯୋଗ ଉପରେ ଆଉଥରେ ଚିନ୍ତା କରିବାକୁ କହିଥିଲେ। ପ୍ରଶାନ୍ତ ଭୂଷଣ ତାଙ୍କ ଅଭିଯୋଗ ପ୍ରତ୍ୟାହାର କରିବା ନେଇ ଚିନ୍ତା କରନ୍ତୁ ବୋଲି ଅଦାଲତ କହିଥିବା ବେଳେ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ନିଜର ମତ ରଖି କହଥିଲେ ଯେ ଅଦାଲତ ପ୍ରଶାନ୍ତ ଭୂଷଣଙ୍କୁ କ୍ଷମା କରିଦେବା ଉଚିତ। ଏହା ପୂର୍ବରୁ କୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ତାଙ୍କର ନକାରାତ୍ମକ ମନ୍ତବ୍ୟର ପୁନର୍ବିଚାର କରିବାକୁ ତାଙ୍କୁ ସମୟ ଦେଇଥିଲେ।
ସୁପ୍ରିମ୍ କୋର୍ଟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମତ ରଖିଥିଲେ ଯେ ପ୍ରଶାନ୍ତ ଭୂଷଣ ନ୍ୟାୟପାଳିକା ଏବଂ ମୁଖ୍ୟ ବିଚାରପତି ଏସ ଏ ବୋବଡେଙ୍କ ବିରୋଧରେ କରିଥିବା ଅପମାନସୂଚକ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ଜଣେ ବରିଷ୍ଠ ଆଇନଜୀବୀଙ୍କ ଠାରୁ ଏପରି ଆଚରଣ ଆଶା କରାଯାଏ ନାହିଁ।
National Heraldଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ଭୂଷଣଙ୍କ ପାଇଁ ଅଦାଲତରେ ନିଜେ କ୍ଷମା ମାଗି କହଥିଲେ, ‘ମୁଁ ଜାଣେ ସେ ଭୁଲ୍ କରିଛନ୍ତି ଓ ଏଥିଲାଗି କ୍ଷମା ମାଗିବା ଉଚିତ। ତେବେ ସେ ଭୁଲ୍ କରିଛନ୍ତି ବୋଲି ମାନିବାକୁ ଅପ୍ରସ୍ତୁତ। ତଥାପି ତାଙ୍କୁ କ୍ଷମା କରିବା ଏକ ମହାନତା ହେବ ନିଶ୍ଚୟ’।
ଏହାର ଉତ୍ତରରେ ସୁପ୍ରିମ୍ କୋର୍ଟ କହିଥିଲେ, ‘ସେ ନିଜେ ଯେତେବେଳେ ନିଜ ଭୁଲ୍ ସ୍ୱୀକାର କରୁନାହାନ୍ତି ଏପରି ପରାମର୍ଶର କେଣସି ଅର୍ଥ ନାହିଁ’।
ଉଲ୍ଲେଖଯୋଗ୍ୟ, ଅଦାଲତ ଅବମାନନା ମାମଲାରେ ସୁପ୍ରିମ୍ କୋର୍ଟଙ୍କ ଏକ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କୁ ଗତ ୧୪ ତାରିଖରେ ଦୋଷୀ ସାବ୍ୟସ୍ତ କରିବା ସହ ଏହି ମାମଲାର ଦଣ୍ଡବିଧାନ ଶୁଣାଇବାକୁ ଅଗଷ୍ଟ ୨୦ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ। ହେଲେ, ଅଗଷ୍ଟ ୨୦ରେ ପ୍ରଶାନ୍ତ ଭୂଷଣ ସୁପ୍ରିମ୍ କୋର୍ଟରେ ଏକ ଯାଚିକା ଆଗତ କରି ସେ ଅଗଷ୍ଟ ୧୪ ଆଦେଶର ପୁନଃ ସମୀକ୍ଷା କରିବାକୁ ଚାହୁଁଥିବାରୁ ତାଙ୍କୁ ଏଥିପାଇଁ ୩୦ ଦିନ ସମୟ ଦେବାକୁ ଏବଂ ତାଙ୍କ ପ୍ରତି ହେବାକୁ ଥିବା ଦଣ୍ଡବିଧାନକୁ ଅନ୍ୟ ଏକ ଖଣ୍ଡପୀଠରେ କରାଇବାକୁ ଆବେଦନ କରିଥିଲେ। ହେଲେ, ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା ଆଗତ ଯାଚିକାକୁ ଖାରଜ କରି ଦେଇଥିଲେ ଏବଂ ନିଜ ବିବାଦୀୟ ବିବୃତିର ପୁନର୍ବିଚାର କରିବାକୁ ପ୍ରଶାନ୍ତ ଭୂଷଣଙ୍କୁ ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ। ଆଜି ତାଙ୍କ ମାମଲାର ଶୁଣାଣି ହୋଇଥିଲା।
Follow Us