Image Courtesy of India Today
ନୂଆଦିଲ୍ଲୀ : ୨୮ ବର୍ଷ ତଳର ବଲିଉଡ ଫିଲ୍ମ ଦାମିନୀରେ ‘ତାରିଖ୍ ପର୍ ତାରିଖ’ ଡାଏଲଗ୍ର ପ୍ରାସଙ୍ଗିକତା ଏବେ ବି କିଛି କମ୍ ନାହିଁ। ଗୁରୁବାର ସୁପ୍ରିମ୍ କୋର୍ଟ ତଳ କୋର୍ଟମାନଙ୍କରେ ଶୁଣାଣି ଟାଳିବା ପ୍ରସଙ୍ଗରେ ଦେଇଥିବା ଏକ ନିର୍ଦ୍ଦେଶ ଏହି ଡାଏଲଗକୁ ପୁଣିଥରେ ତାଜା କରିଦେଇଛି। ଶୁଣାଣି ଟାଳିବା ପାଇଁ ବିଭିନ୍ନ ବାହାନା ନ୍ୟାୟ ବ୍ୟବସ୍ଥାକୁ ଦିଗହରା କରିଦେଉଥିବା ଏବଂ ଏଭଳି କାର୍ଯ୍ୟ ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନରେ ବଡ଼ ପ୍ରତିବନ୍ଧକ ସାଜିଥିବା ସୁପ୍ରିମ୍ କୋର୍ଟ ଅନୁଭବ କରିଛନ୍ତି। ଟ୍ରାଏଲ କୋର୍ଟରେ ବାରମ୍ବାର ମାମଲା ସ୍ଥଗିତ ରଖିବା ଉପରେ ସୁପ୍ରିମ୍ କୋର୍ଟ ରୋକ୍ ଲଗାଇଛନ୍ତି। ସର୍ବୋଚ୍ଚ ଅଦାଲତ କୌଣସି ଶୁଣାଣି ଟାଳିବା ପାଇଁ ଓକିଲଙ୍କ ନିବେଦନକୁ ସ୍ବୀକାର ନ କରିବା ପାଇଁ ବିଚାରପତିମାନଙ୍କୁ କହିଛନ୍ତି। ମଧ୍ୟପ୍ରଦେଶର ଏକ ମାମଲାରେ ୪ ବର୍ଷ ବିଳମ୍ବ ଏବଂ ୧୦ ଥର ଶୁଣାଣି ଟଳିବା ମାମଲାରେ ଜଷ୍ଟିସ୍ ଏମ୍ଆର୍ ଶାହ ଏବଂ ଜଷ୍ଟିସ୍ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଏବେ ବିଚାର ବିଭାଗରେ କର୍ମ ସଂସ୍କୃତି ବଦଳାଇବା ସମୟ ଆସିଯାଇଛି। ବାରମ୍ବାର ଶୁଣାଣି ଟଳିବା ଦ୍ବାରା ଆଇନଗତ ପ୍ରକ୍ରିୟା ମନ୍ଥର ହୋଇଯାଉଛି ଏବଂ ହତାଶା ବଢ଼ୁଛି । ଏଭଳି ସ୍ଥିତି ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରତି ରହିଥିବା ବିଶ୍ବାସକୁ ଦୋହଲାଇ ଦେଉଛି। ଏବେ ଅଦାଲତମାନେ ଏଭଳି ପଦକ୍ଷେପ ଗ୍ରହଣ କରିବା ଉଚିତ ଯାହାଦ୍ବାରା ନ୍ୟାୟ ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ବାସ ଅତୁଟ ରହିବ।
ଅଦାଲତ ନିୟମିତ ଭାବେ ମାମଲାର ଶୁଣାଣି କଲେ ନ୍ୟାୟିକ ପ୍ରକ୍ରିୟା ଯଥାର୍ଥ ଭାବେ ଆଗକୁ ବଢ଼ିବ ଏବଂ ନ୍ୟାୟରେ ବିଳମ୍ବ ହେବ ନାହିଁ। ଏଥିପାଇଁ ଅନାବଶ୍ୟକ ଭାବେ ଏବଂ ନାନା ବାହାନା ଦ୍ବାରା ଶୁଣାଣି ଟାଳିବା ପାଇଁ ହେଉଥିବା ଉଦ୍ୟମକୁ ବିଫଳ କରିଦିଆଯିବା ଆବଶ୍ୟକ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ବିଚାରପତିମାନେ ଆବେଦନକାରୀଙ୍କ ପ୍ରତି ସେମୋନଙ୍କ କର୍ତ୍ତବ୍ୟ ପ୍ରତି ଧ୍ୟାନ ଦେଇ କାମ କରିବାକୁ ହେବ। ଯେଉଁମାନେ ନ୍ୟାୟ ପାଇଁ ଆସିଛନ୍ତି ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ ଦେବାପାଇଁ ପ୍ରୟାସ ହେବା ଜରୁରୀ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ତେବେ ଏଥିପାଇଁ ଦୀର୍ଘ ବର୍ଷ ଚାଲିଥିବା ପରମ୍ପରାକୁ ଭାଙ୍ଗିବା ଆବଶ୍ୟକ ବୋଲି ଖଣ୍ଡପୀଠ ଦୃଢ଼ ମତପୋଷଣ କରିଛନ୍ତି।
Follow Us