ଜୁବୈରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ଅନ୍ତରୀଣ ସୁରକ୍ଷା: ୟୁପି ସରକାର ଉପରେ ବର୍ଷିଲେ

ଜୁବୈରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ଅନ୍ତରୀଣ ସୁରକ୍ଷା: ୟୁପି ସରକାର ଉପରେ ବର୍ଷିଲେ

National Herald

ନୂଆଦିଲ୍ଲୀ: ସୋମବାର ସୁପ୍ରିମ୍‌କୋର୍ଟ ଅଲ୍‌ଟ ନ୍ୟୁଜ୍ ସହପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ତାଙ୍କ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ବୁଧବାର ହେବା ପୂର୍ବରୁ କୌଣସି କୋର୍ଟ ବା ଉତ୍ତରପ୍ରଦେଶ ପୁଲିସ ତାଙ୍କ ବିରୋଧରେ କୌଣସି ତରବରିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ତାଙ୍କ ବିରୋଧରେ କରାଯାଇଥିବା ଛଅଟି ଏଫ୍‌ଆଇଆର୍‌କୁ ରଦ୍ଦ କରିବା ପାଇଁ ଜୁବୈର ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ଧାର୍ମିକ ଭାବନାକୁ ଉତ୍ତେଜିତ କରିବା, ନ୍ୟୁଜ୍ ଆଙ୍କରମାନଙ୍କ ବିରୋଧରେ ପରିହାସମୂଳକ ମନ୍ତବ୍ୟ ଦେବା, ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରିବା ଏବଂ ଉତ୍ତେଜନାମୂଳକ ପୋଷ୍ଟ ସେୟାର କରିବା ଆଦି ଅଭିଯୋଗ ନେଇ ତାଙ୍କ ବିରୋଧରେ ମାମଲାମାନ ରୁଜୁ ହୋଇଛି। ଜୁବୈର ତାଙ୍କ ବିରୋଧରେ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନର ସାମ୍ବିଧାନିକ ବୈଧତାକୁ ମଧ୍ୟ ଚ୍ୟାଲେଞ୍ଜ କରିବା ସହ ସମସ୍ତ ଛଅଟି ଏତଲାକୁ ରଦ୍ଦ କରିବା ଏବଂ ଅନ୍ତରୀଣ ଜାମିନ ପ୍ରଦାନ କରିବା ପାଇଁ ଆବେଦନ କରିଥିଲେ। ଏହା ଉପରେ ଉତ୍ତର ଦେବା ପାଇଁ ସର୍ବୋଚ୍ଚ ଅଦାଲତ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜୁବୈରଙ୍କ ମାମଲାରେ ସୁପ୍ରିମ କୋର୍ଟ ଆଜି ୟୁପି ସରକାରଙ୍କ ଉପରେ ବର୍ଷିଛନ୍ତି। ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି, ଯାହା ଜଣାପଡ଼ୁଛି ଜୁବୈରଙ୍କ ବିରୋଧରେ ଆଗତ ସବୁଯାକ ମାମଲା ଏକା ପ୍ରକାରର। କିନ୍ତୁ ତାଙ୍କୁ ଗୋଟିଏ ମାମଲାରେ ଜାମିନ ମିଳିଲା ବେଳେ ଆଉ ଗୋଟିଏ ମାମଲାରେ ରିମାଣ୍ଡରେ ନିଆଯାଉଛି। ଜୁବୈରଙ୍କ ବିରୋଧରେ ହାଥରସରେ ଦୁଇଟି ମାମଲା ରୁଜୁ କରାଯାଇଥିବା ବେଳେ ଗାଜିଆବାଦ, ମୁଜାଫରପୁର, ଲଖିମପୁର ଖେରୀ ଓ ସୀତାପୁରରେ ଗୋଟିଏ ଲେଖାଏ ମାମଲା ରୁଜୁ ହୋଇଛି। ସୀତାପୁର ମାମଲାରେ ସୁପ୍ରିମ୍‌କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ତା’ପରେ ଦିଲ୍ଲୀ ପୁଲିସ ଦ୍ବାରା ପଞ୍ଜୀକୃତ ମାମଲାରେ ପଟିଆଲା ହାଉସ୍ କୋର୍ଟ ତାଙ୍କୁ ନିୟମିତ ଜାମିନ ଦେଇଥିଲେ। ଆଜି ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍‌ଭି ରମଣାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଜୁବୈରଙ୍କ ଓକିଲ ବ୍ରିନ୍ଦା ଗ୍ରୋଭରଙ୍କ ଯୁକ୍ତି ଶୁଣିଥିଲେ। ଅନେକ ମାମଲାରେ ଜର୍ଜରିତ ସାମ୍ବାଦିକ ଜୁବୈରଙ୍କ ଆବେଦନର ଜରୁରୀ ଶୁଣାଣି ପାଇଁ ଗ୍ରୋଭର ଅନୁରୋଧ କରିଥିଲେ। ସୁପ୍ରିମ୍‌କୋର୍ଟ ଜୁବୈରଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ସହ ଏହି ଆବେଦନର ଶୁଣାଣି ବୁଧବାର କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe