Image Courtesy of India Today
ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ତାଙ୍କ ମୃତ୍ୟୁକୁ ୨ ମାସ ବିତିବାକୁ ବସିଥିଲେ ହେଁ ମୁମ୍ବାଇ ପୁଲିସ୍ ଏ ପର୍ଯ୍ୟନ୍ତ ରହସ୍ୟ ଭେଦ କରିପାରିନାହିଁ। ଏପରି ସ୍ଥିତିରେ ସୁଶାନ୍ତଙ୍କ ପୂର୍ବତନ ବାନ୍ଧବୀ ଅଙ୍କିତା ଲୋଖଣ୍ଡେ ଓ ଭଉଣୀ ଶ୍ବେତା ସିଂହ କୀର୍ତ୍ତି ଆଜି ସାମାଜିକ ଗଣମାଧ୍ୟମରେ ଦୁଇଟି ପୃଥକ୍ ପୃଥକ୍ ଭିଡିଓ ଜାରି କରି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଭିଡିଓରେ ଅଙ୍କିତା ଏକ (ଜଷ୍ଟିସ୍ ଫର୍ ସୁଶାନ୍ତ ଏବଂ ସିବିଆଇ ଫର୍ ଏସଏସଆର୍ ଲେଖାଥିବା) ପ୍ଲାକାର୍ଡ ଧରି କହିଛନ୍ତି, ପୂରା ଦେଶ ଜାଣିବାକୁ ଚାହି ବସିଛି ଯେ ସୁଶାନ୍ତଙ୍କ ସହ କ’ଣ ଘଟିଛି? ସେହିପରି ଅନ୍ୟ ଏକ ଭିଡିଓରେ ଶ୍ବେତା କହିଛନ୍ତି, ସତ ପଦାକୁ ଆଣିବାରେ ଦୟାକରି ଆମ ପରିବାରକୁ ସାହାଯ୍ୟ କର। ପୂରା ବିଶ୍ବ ଜାଣୁ ସତ କ’ଣ। ନଚେତ୍ କେବେ ବି ଆମେ ଏକ ସ୍ବାଭାବିକ ଜୀବନ ଜିଇଁ ପାରିବୁ ନାହିଁ। ଶ୍ବେତାଙ୍କ ଏହି ଭିଡିଓ ପୋଷ୍ଟକୁ ଟ୍ୟାଗ୍ କରି ଅଙ୍କିତା ଲେଖିଛନ୍ତି ଯେ ‘ଦିଦି ଆମେ ସତ୍ୟ ପଦାକୁ ଆଣିବା ଓ ସୁଶାନ୍ତଙ୍କୁ ଉଚିତ ନ୍ୟାୟ ଦେବା’।
ଅପରପକ୍ଷେ ଏହି ମାମଲାରେ ବିବାଦଘେରକୁ ଆସିଥିବା ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ କହିଛନ୍ତି ଯେ ଯଦି ସୁପ୍ରିମକୋର୍ଟ୍ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତି, ତେବେ ମୋର କିଛି ଆପତ୍ତି ନାହିଁ। ସୁପ୍ରିମକୋର୍ଟରେ ଏକ ଲିଖିତ ବିବରଣୀ ଦାଖଲ କରି ରିୟା କହିଛନ୍ତି, ବିହାର ପୁଲିସର ଏତଲା ସମ୍ପୂର୍ଣ୍ଣ ବେଆଇନ ଏବଂ ରାଜ୍ୟ ସରକାର ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିପାରିବେନି। କିନ୍ତୁ ଯଦି ସୁପ୍ରିମକୋର୍ଟ୍ ଉକ୍ତ ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବେ, ତେବେ ମୋର କିଛି ଆପତ୍ତି ନାହିଁ । ସେ ଦାଖଲ କରିଥିବା ଆବେଦନକୁ ବିଫଳ କରିବା ଉଦ୍ଦେଶ୍ୟରେ ବିହାର ସରକାର ମାମଲା ସିବିଆଇକୁ ସ୍ଥାନାନ୍ତର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହାଦ୍ବାରା ତାଙ୍କ ବିରୋଧରେ ଥିବା ଏତଲା ପାଟନାରୁ ମୁମ୍ବାଇ ସ୍ଥାନାନ୍ତର କରିବା ନେଇ ସେ ଯେଉଁ ଆବେଦନ କରିଥିଲେ, ତାହା ରଦ୍ଦ ହୋଇଯିବ ବୋଲି ସେ କହିଛନ୍ତି। ଅପରପକ୍ଷେ ବିହାର ସରକାର ରିୟାଙ୍କ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁର ଅନେକ ସପ୍ତାହ ପରେ ମଧ୍ୟ ମୁମ୍ବାଇ ପୁଲିସ ଏତଲା ରୁଜୁ କରିନଥିଲା। ତେଣୁ ବିହାର ସରକାର ମାମଲାର ତଦନ୍ତ ଆରମ୍ଭ କରିବା ପାଇଁ ପ୍ରଥମେ ନିଜ ଆଡ଼ୁ ଏତଲା ଦେଇଛନ୍ତି। ମୁମ୍ବାଇ ପୁଲିସର ତଦନ୍ତ ଆଦୌ ସଠିକ୍ ନାହିଁ ବୋଲି ବିହାର ସରକାର ସୁପ୍ରିମକୋର୍ଟ୍ଙ୍କୁ ଅବଗତ କରିଛନ୍ତି।
Follow Us