ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ତଦନ୍ତ କରିବ ସିବିଆଇ

ସମସ୍ତ ତଥ୍ୟ ପ୍ରମାଣ ସିବିଆଇକୁ ହସ୍ତାନ୍ତର କରିବାକୁ ମୁମ୍ବାଇ ପୁଲିସକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ତଦନ୍ତ କରିବ ସିବିଆଇ

Logical Daily

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ଆଜି ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସିବିଆଇକୁ ତଦନ୍ତରେ ସମସ୍ତ ପ୍ରକାର ସହାୟତା କରିବାକୁ ସୁପ୍ରିମ୍‌ କୋର୍ଟ ମୁମ୍ବାଇ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ମାମଲାର ତଦନ୍ତବେଳେ ମୁମ୍ବାଇ ପୁଲିସ ସଂଗ୍ରହ କରିଥିବା ସମସ୍ତ ତଥ୍ୟ ପ୍ରମାଣ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌ କୋର୍ଟ କହିଛନ୍ତି, ମାମଲାର ସିବିଆଇ ତଦନ୍ତ ପାଇଁ ସୁଶାନ୍ତ ସିଂହ ରାଜପୁତଙ୍କ ପିତା କେ.କେ. ସିଂହ କରିଥିବା ଏଫ୍‌ଆଇଆର୍‌ ଏବଂ ବିହାର ସରକାରଙ୍କ ସୁପାରିଶ ସମ୍ପୂର୍ଣ୍ଣ ଠିକ୍‌ ଓ ଯୁକ୍ତିଯୁକ୍ତ। ସୁଶାନ୍ତଙ୍କ ବାପାଙ୍କ ଏଫ୍‌ଆଇଆର୍‌ ଆଧାରରେ ସିବିଆଇ ଏହି ମାମଲାର ତଦନ୍ତ କରିବ ବୋଲି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ‘ନିରପେକ୍ଷ ତଦନ୍ତ ହେଉଛି ସମୟର ଆବଶ୍ୟକତା’ ଏବଂ ସତ୍ୟର ଜୟ ହେଉ ବୋଲି ସୁପ୍ରିମ୍‌ କୋର୍ଟ ଗୁରୁତ୍ବାରୋପ କରିଛନ୍ତି। ସୁପ୍ରିମ୍‌ କୋର୍ଟର ବିଚାରପତି ହୃଷିକେଶ ରାୟଙ୍କ ନେତୃତ୍ବରେ ଗଠିତ ଜଣିକିଆ ଖଣ୍ଡପୀଠ ଆ‌ଜି ଏହି ରାୟ ପ୍ରକାଶ କରିଛନ୍ତି। ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ସିବିଆ‌ଇ ତଦନ୍ତ ହେଉଛି ସମୟର ଆହ୍ବାନ ବୋଲି କୋର୍ଟ କହିଛନ୍ତି।

ଅପରପକ୍ଷେ, ସୁଶାନ୍ତଙ୍କ ପିତା କେ.କେ. ସିଂହ ପାଟ୍‌ନା ପୁଲିସରେ ଦେଇଥିବା ଏଫ୍‌ଆଇଆର୍‌ ପରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ମାମଲାର ତଦନ୍ତ ପାଟନା ପରିବର୍ତ୍ତେ ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ। ମାତ୍ର ମୁମ୍ବାଇ ପୁଲିସ ଏଭଳି ଏକ ସମ୍ବେଦନଶୀଳ ମାମଲାରେ କେବଳ ଏକ ୟୁଡି (ଅସ୍ବାଭାବିକ ମୃତ୍ୟୁ) ମାମଲା ରୁଜୁ କରି ବସିଯାଇଛି। ମୁମ୍ବାଇ ପୁଲିସର ତଦନ୍ତ ପ୍ରକ୍ରିୟା ସୀମିତ ବୋଲି ଅନୁଭବ କରି ଏହାର ବ୍ୟାପକ ଓ ନିରପେକ୍ଷ ତଦନ୍ତ କରିବା ପାଇଁ ସିବିଆଇକୁ ଅନୁମତି ଦିଆଯାଇଛି ବୋଲି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଛନ୍ତି। ମୁମ୍ବା‌ଇ ଚଳଚ୍ଚିତ୍ର ଜଗତରେ ସୁଶାନ୍ତ ସିଂହ ରାଜପୁତ ଜଣେ ପ୍ରତିଭାଶାଳୀ ଅଭିନେତା। ତାଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚନ ହେଉ ବୋଲି ସମସ୍ତେ ଆଗ୍ରହର ସହ ଅପେକ୍ଷା କରିଛନ୍ତି ବୋଲି କୋର୍ଟ କହିଛନ୍ତି। ଏହାଦ୍ବାରା ଉଭୟ ସୁଶାନ୍ତଙ୍କ ପିତା ଏବଂ ରିୟାଙ୍କୁ ନ୍ୟାୟ ମିଳିବ ବୋଲି ‌କୋର୍ଟ କହିଛନ୍ତି।

କୋର୍ଟ ଆହୁରି କହିଛନ୍ତି ଯେ ଦୁଇ ରାଜ୍ୟର ପୁଲିସ ମଧ୍ୟରେ ବିବାଦ ଚାଲିଥିବା ବେଳେ ତୃତୀୟ ଓ ନିରପେକ୍ଷ ସଂସ୍ଥା ଦ୍ବାରା ମାମଲାର ତଦନ୍ତ ହେଉଛି ଉପଯୁକ୍ତ ପଦକ୍ଷେପ। ଏହି କାରଣରୁ ସିବିଆଇକୁ ଏହାର ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଛି। ଘଟଣା(ସୁଶାନ୍ତ ମୃତ୍ୟୁ) ମୁମ୍ବାଇରେ ହୋଇଥିବାରୁ ବିହାରରେ ଏଫଆଇଆର ଦାଖଲ କରାଯାଇ ପାରିବ ନାହିଁ ବୋଲି ରିୟା ଚକ୍ରବର୍ତିଙ୍କ ଯୁକ୍ତିକୁ କୋର୍ଟ ଅଗ୍ରାହ୍ୟ କରି ଦେଇ କହିଛନ୍ତି ‌ଯେ ପୋଲିସ ଅଭିଯୋଗ ପାଇବା ପରେ ଏଫଆଇଆର ରୁଜ୍ଜୁ କରିବାକୁ ବାଧ୍ୟ। ଏହାବ୍ୟତୀତ ସୁଶାନ୍ତଙ୍କ ପିତା ଯେଉଁ ଅଭିଯୋଗ ଆଣିଛନ୍ତି ତାହାର ତଦନ୍ତ ହେଲେ ପାଟନାରେ ମଧ୍ୟ ପ୍ରଭାବ ପଡ଼ିବ। ତେଣୁ ବିହାର ପୁଲିସର ଏଫ୍‌ଆଇଆରକୁ ଯୁକ୍ତିଯୁକ୍ତ ଦର୍ଶାଇ କୋର୍ଟ କହିଛନ୍ତି ଯେ ସିବିଆଇ ତଦନ୍ତ ଲାଗି ବିହାର ପୁଲିସ ମଧ୍ୟ ଅନୁରୋଧ କରିଥିଲା। ସମ୍ବିଧାନର ଧାରା ୧୪୨ର ପ୍ରୟୋଗ କରି ସର୍ବୋଚ୍ଚ ଅଦାଲତ ଏହି ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ଜୁନ୍‌ ୧୪ରେ ମୁମ୍ବାଇର ନିଜ ଆପାର୍ଟମେଣ୍ଟରେ ସୁଶାନ୍ତ ସିଂହ (୩୪)ଙ୍କ ମୃତ ଶରୀର ମୁମ୍ବାଇ ପୁଲିସ ଉଦ୍ଧାର କରିଥିଲା। ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ବୋଲି ମୁମ୍ବାଇ ପୁଲିସ ମଧ୍ୟ ତଦନ୍ତ ରିପୋର୍ଟ ପ୍ରକାଶ କରିଥିଲା। କିନ୍ତୁ ମୁମ୍ବାଇ ପୁଲିସର ଏ ତଦନ୍ତ ରିପୋର୍ଟକୁ ସୁଶାନ୍ତଙ୍କ ପରିବାର ଗ୍ରହଣ କରିପାରି ନଥିଲା। ସୁଶାନ୍ତଙ୍କ ମୃତ୍ୟୁର ମାସେ ପରେ ତାଙ୍କ ବାପା କେ.କେ. ସିଂହ ପାଟନା ପୁଲିସ ନିକଟରେ ଏକ ଏଫ୍‌ଆଇଆର ଦାଖଲ କରିଥିଲେ। ସମ୍ପତ୍ତି ଓ ଅର୍ଥ ଲୋଭରେ ତାଙ୍କ ପୁଅ ସୁଶାନ୍ତକୁ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସଦସ୍ୟ ଷଡ଼ଯନ୍ତ୍ର କରି ହତ୍ୟା କରିଛନ୍ତି ବୋଲି କେ.କେ. ସିଂହ ଅଭିଯୋଗ କରିଥିଲେ। ସୁଶାନ୍ତଙ୍କ ପିତାଙ୍କ ଏଫ୍‌ଆଇଆର୍‌ ପରେ ଏହି ମାମଲାର ସିବିଆଇ ଏବଂ ଇଡି ତଦନ୍ତ ପାଇଁ ବିହାର ପୁଲିସ ଇଛା ପ୍ରକାଶ କରିଥିଲା। ସେତେବେଳେ ସୁଶାନ୍ତଙ୍କ ବାପା କେ.କେ. ସିଂହଙ୍କ ଏଭଳି ଅଭିଯୋଗକୁ ରିୟା ଭିତ୍ତିହୀନ ବୋଲି କହି ମୁମ୍ବାଇ ପୁଲିସ ଦ୍ବାରା ତଦନ୍ତ କରିବାକୁ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe