The Economic Times
ପାଟନା: ବିହାରରେ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ବେଳେ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ନିୟମ ଉଲ୍ଲଂଘନ କରିବା ଚର୍ଚ୍ଚାର ବିଷୟ ହୋଇଛି। ସୁଶୀଲ ମୋଦୀ ଆଜି ସକାଳେ ପାଟ୍ନା ସ୍ଥିତ ସେଣ୍ଟ୍ ଜୋସେଫ୍ ହାଇ ସ୍କୁଲ୍କୁ ଭୋଟ୍ ଦେବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଭିଆଇପି ସୁବିଧା ମିଳିଥିଲା। ତାଙ୍କ ପୂର୍ବରୁ ଅନେକ ଲୋକ ଭୋଟ୍ ଦେବାପାଇଁ ଲମ୍ବା ଲାଇନ୍ରେ ଦୀର୍ଘ ସମୟ ଧରି ଠିଆ ହୋଇଥିଲେ ସୁଦ୍ଧା ସୁଶୀଲ ଧାଡ଼ିରେ ଠିଆ ହୋଇନଥିଲେ। ସେ ସିଧା ଆସି ଭୋଟ୍ ଦେଇଥିଲେ। ଏଥିରେ ସାଧାରଣ ଭୋଟର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହି ସମୟରେ ଧାଡ଼ିରେ ଠିଆ ହୋଇଥିବା ଜଣେ ଡାକ୍ତର କହିଥିଲେ, ଆମେ ଅନେକ ସମୟ ଧରି ଧାଡ଼ିରେ ଠିଆ ହୋଇଛୁ। କିନ୍ତୁ ଏଠି କିଛି ଲୋକଙ୍କ ପାଇଁ ଭିଆଇପି ସୁବିଧା ରହିଛି। ଏହାପରେ ଅନ୍ୟ ଭୋଟରମାନେ ମଧ୍ୟ ସ୍ବର ଉତ୍ତୋଳନ କରି କହିଥିଲେ, ଆମେମାନେ ୬.୩୦ରୁ ଧାଡ଼ିରେ ଠିଆ ହୋଇଛୁ କିନ୍ତୁ ସୁଶୀଲ ମୋଦୀ ଜୀ ନିୟମ ନମାନି ଭୋଟ୍ ଦେଇଛନ୍ତି। ନେତାଙ୍କ ପାଇଁ ଭୋଟିଂ ନିୟମ କିଭଳି ବଦଳିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଭୋଟ୍ ଦେବାପରେ ସୁଶୀଲ ମୋଦୀ ଗଣମାଧ୍ୟମକୁ କହିଥିଲେ,ଲୋକେ କରୋନାକୁ ଭୟ ନ କରି ଭୋଟ୍ ଦେଇଛନ୍ତି ଏବଂ ଏହା ବିହାର ପାଇଁ ଶୁଭଙ୍କର ହେବ।
Follow Us