ସୁଶୀଳା କାର୍କି, ବଲେନ ଶାହ ଓହରିଲେ: କୁଲମାନ୍‌ଙ୍କୁ ନେତା ବାଛିଲା ଜେନ୍-ଜେଡ୍

ଉଭୟ କାଠମାଣ୍ଡୁ ମେୟର ବଲେନ ଶାହ ଓ ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି ନେପାଳର ମଧ୍ୟବର୍ତ୍ତିକାଳୀନ ସରକାରର ନେତୃତ୍ୱ ନେବା ପାଇଁ ମନା କରିବାରୁ ବିକ୍ଷୋଭକାରୀ ଜେନ୍....

Untitled-25

କାଠମାଣ୍ଡୁ: ଉଭୟ କାଠମାଣ୍ଡୁ ମେୟର ବଲେନ ଶାହ ଓ ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି ନେପାଳର ମଧ୍ୟବର୍ତ୍ତିକାଳୀନ ସରକାରର ନେତୃତ୍ୱ ନେବା ପାଇଁ ମନା କରିବାରୁ ବିକ୍ଷୋଭକାରୀ ଜେନ୍-ଜେଡ୍‌ ନେପାଳ ବିଦ୍ୟୁତ୍ ପ୍ରାଧିକରଣର ଖ୍ୟାତନାମା ମୁଖ୍ୟ ଇଞ୍ଜିନିୟର କୁଲମାନ୍‌ ଘିସିଂଙ୍କୁ ମନୋନୀତ କରିଛି। ଦେଶବ୍ୟାପୀ ଲୋଡ୍ ସେଡିଂକୁ ସମାପ୍ତ କରିବାର ଶ୍ରେୟ ପାଇଥିବା ଘିସିଂଙ୍କୁ ଜଣେ ସ୍ୱଚ୍ଛ ଭାବମୂର୍ତ୍ତି ଓ ପ୍ରମାଣିତ ଜାତୀୟ ବ୍ୟକ୍ତିତ୍ୱ ଭାବରେ ବିବେଚନା କରାଯାଏ, ଯିଏ ବର୍ତ୍ତମାନ ନୂତନ ନିର୍ବାଚନ ନ ହେବା ପର୍ଯ୍ୟନ୍ତ ଦେଶକୁ ପରିଚାଳନା କରିବେ। ନେପାଳର ଦୁର୍ନୀତି-ବିରୋଧୀ ଆନ୍ଦୋଳନର ସଫଳତାକୁ ପ୍ରଶଂସା କରି ଏହାର ନେତୃତ୍ବ ନେଇଥିବା ଜେନ୍-ଜେଡ୍ ଏହି ଘୋଷଣା କରିଛି। 
ମେଟ୍ରୋପଲିଟାନ୍ ସିଟି ମେୟର ବଲେନ୍ଦ୍ର ଶାହ ‘ବଲେନ୍’ ପ୍ରଥମେ ଅସ୍ଥାୟୀ ସରକାରର ମୁଖ୍ୟ ହେବା ପାଇଁ ସବୁଠାରୁ ଗ୍ରହଣୀୟ ପ୍ରାର୍ଥୀ ଭାବରେ ଦେଖାଯାଉଥିଲେ, କିନ୍ତୁ ସେ ସର୍ବସାଧାରଣରେ ଏହି ଦାୟିତ୍ବ ନେବାକୁ ମନା କରିଦେଇଥିଲେ। ତା’ପରେ ଜେନ୍‌-ଜେଡ୍ ବିକ୍ଷୋଭର ନେତାମାନେ ନେପାଳର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ ମଧ୍ୟବର୍ତ୍ତିକାଳୀନ ପ୍ରଧାନମନ୍ତ୍ରୀ ପଦ ପାଇଁ ଚୟନ କରିଥିଲେ। କିନ୍ତୁ ତାଙ୍କ ନାମକୁ ନେଇ ଜେନ୍‌-ଜେଡ୍‌ରେ ସହମତି ହୋଇପାରି ନଥିଲା ଏବଂ ଗୋଟିଏ ଗୋଷ୍ଠୀ ଏହାର ବିରୋଧ କରିଥିଲେ।  ଏହାପରେ ସାମ୍ବିଧାନିକ ଓ ଆଇନଗତ ପ୍ରତିବନ୍ଧକ ତଥା ନିଜର ଅନିଚ୍ଛା ଦର୍ଶାଇ ସୁଶୀଳା  ମଧ୍ୟ ତାଙ୍କର ପ୍ରାର୍ଥିତ୍ୱକୁ ପ୍ରତ୍ୟାହାର କରିନେଇଥିଲେ। ୭୦ ବର୍ଷରୁ ଅଧିକ ବୟସରେ ସେ ନେତୃତ୍ୱ ନେବାରେ ଅସମର୍ଥ ବୋଲି ମଧ୍ୟ ପ୍ରକାଶ କରିଥିଲେ।

ନେପାଳୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜେନ-ଜେଡ୍ ଯୁବକମାନଙ୍କର ଏକ ଦଳ ସେନା ମୁଖ୍ୟାଳୟରେ ପହଞ୍ଚି ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ଚାଲିଥିବା ଆଲୋଚନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରିଛନ୍ତି। ତେବେ ଜେନ୍-ଜେଡ୍ ନେତା ଦିବାକର ଦଙ୍ଗଲ ସ୍ୱୀକାର କରିଛନ୍ତି ଯେ ଆନ୍ଦୋଳନର ନେତୃତ୍ବ ନେଇଥିବା ଯୁବକମାନେ ଏପର୍ଯ୍ୟନ୍ତ ଦେଶର ନେତୃତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ସେମାନଙ୍କୁ ଯଥେଷ୍ଟ ପରିପକ୍ୱ ହେବାକୁ ସମୟ ଲାଗିବ। ବର୍ତ୍ତମାନ ପାଇଁ ସେନା ୩୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ଦେଶର ଦାୟିତ୍ୱ ଗ୍ରହଣ କରିଛି।

ମୃତକଙ୍କ ସଂଖ୍ୟା ୩୪କୁ ବୃଦ୍ଧି

 କାଠମାଣ୍ଡୁ ଉପତ୍ୟକାରେ ଚାଲିଥିବା ଜେନ୍-ଜେଡ୍ ବିକ୍ଷୋଭରେ ମୃତକଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି ବୋଲି ତ୍ରିଭୁବନ ୟୁନିଭର୍ସିଟି ଟିଚିଂ ହସ୍ପିଟାଲର ଫୋରେନସିକ୍ ମେଡିସିନ୍ ବିଭାଗର ଅଧିକାରୀଙ୍କ ଉଦ୍ଧୃତି ଦେଇ କାଠମାଣ୍ଡୁ ପୋଷ୍ଟ ରିପୋର୍ଟ କରିଛି। ଏପର୍ଯ୍ୟନ୍ତ ୨୫ ଜଣ ପୀଡିତଙ୍କ ପରିଚୟ ପ୍ରାଥମିକ ଭାବରେ ନିଶ୍ଚିତ ହୋଇଛି। ଅବଶିଷ୍ଟଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ବିଭାଗୀୟ ମୁଖ୍ୟ ଡାକ୍ତର ଗୋପାଳ କୁମାର ଚୌଧୁରୀ କହିଛନ୍ତି, ଆମେ ଅନ୍ତର୍ଜାତୀୟ ପ୍ରୋଟୋକଲ ଅନୁସରଣ କରି ପୋଷ୍ଟମର୍ଟମ୍ କରିଛୁ। ଆମକୁ ମୃତଦେହ ସଂରକ୍ଷଣ କରିବାକୁ କୁହାଯାଇଛି; ଆମେ ମୃତକଙ୍କ ସବିଶେଷ ତଥ୍ୟ ପ୍ରକାଶ କରିପାରିବୁ ନାହିଁ। କର୍ତ୍ତୃପକ୍ଷ କହିଛନ୍ତି ଯେ ଅଧିକାଂଶ ପରିଚୟ ବିକ୍ଷୋଭ ସ୍ଥଳରୁ ମିଳିଥିବା ଦସ୍ତାବିଜ ମାଧ୍ୟମରେ କିମ୍ବା ପରିବାର ସଦସ୍ୟଙ୍କ ଚିହ୍ନିବା ଦ୍ୱାରା ନିଶ୍ଚିତ କରାଯାଇଥିଲା। ଏହି ବିକ୍ଷୋଭରେ ୧୦୦୦ରୁ ଅଧିକ ଲୋକ ମଧ୍ୟ ଆହତ ହୋଇଛନ୍ତି। 

Untitled-26

ଅନ୍ୟପକ୍ଷରେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଝାଲାନାଥ ଖାନାଲଙ୍କ ପତ୍ନୀ ରବି ଲକ୍ଷ୍ମୀ ଚିତ୍ରକରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି କାଠମାଣ୍ଡୁ ପୋଷ୍ଟ ରିପୋର୍ଟ କରିଛି। ପୂର୍ବରୁ ଅଗ୍ନିକାଣ୍ଡରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା। କାଠମାଣ୍ଡୁ ପୋଷ୍ଟ ଅନୁଯାୟୀ, ମଙ୍ଗଳବାର କାଠମାଣ୍ଡୁର ଡାଲ୍ଲୁ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେବା ପରେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ କୀର୍ତ୍ତିପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହିମାଳୟ ପୋଷ୍ଟ୍‌ର ରିପୋର୍ଟ ଅନୁସାରେ, ଚାଲିଥିବା ଅଶାନ୍ତି ମଧ୍ୟରେ ଏକ ମଧ୍ୟବର୍ତ୍ତିକାଳୀନ ସରକାରର ନେତୃତ୍ୱ ସ୍ଥିର କରିବା ପାଇଁ ନେପାଳ ସେନା, ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲ ଓ ଜେନ୍-ଜେଡ୍‌ର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଜେନ୍‌-ଜେଡ୍ ବିକ୍ଷୋଭର ନେତାମାନେ ନେପାଳର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା  କାର୍କିଙ୍କୁ ମଧ୍ୟବର୍ତ୍ତିକାଳୀନ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଥମେ ଚୟନ କରିଥିବାରୁ ଆଜି ସେ ସେନାମୁଖ୍ୟଙ୍କୁ ଭେଟିଥିଲେ। ତେବେ ପରବର୍ତ୍ତୀ ସମୟରେ ସ୍ଥିତି ବଦଳି ଯାଇଥିଲା ଏବଂ ସହମତି ଅଭାବରୁ ସୁଶୀଳା ଏହି ପ୍ରକ୍ରିୟାରୁ ଓହରି ଯିବାକୁ ଘୋଷଣା କରିଥିଲେ।  ଏହାପରେ ପ୍ରସ୍ତାବିତ ଅନ୍ୟ ନେତାମାନେ ମଧ୍ୟ ସେନାମୁଖ୍ୟଙ୍କୁ ଭେଟିଥିବା ଜଣାପଡ଼ିଛି। ତେବେ ଏ ନେଇ  ଆଧିକାରୀକ ଭାବେ କୌଣସି ସୂଚନା ଜାରି ହୋଇନାହିଁ।   ଖ୍ୟାତନାମା ଇଂଜିନିୟର କୁଲମାନ୍‌ ଘିସିଂଙ୍କ ନାମକୁ ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସହମତି ପ୍ରକାଶ ପାଇବା ପରେ ନାଗରିକ ସମାଜର ବିଭିନ୍ନ କାର୍ଯ୍ୟକର୍ତ୍ତା ତାଙ୍କୁ ଭେଟୁଛନ୍ତି।  ବିକ୍ଷୋଭକାରୀମାନେ ଶାସନରେ ‘ଦୁର୍ନୀତି ଓ ପକ୍ଷପାତିତା’ ସମାପ୍ତ କରିବାକୁ ଦାବି କରିଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe