ମସୁଦ ପ୍ରସଙ୍ଗରେ ସମାଲୋଚକଙ୍କୁ ସୁଷମାଙ୍କ ଜବାବ, ୨୦୦୯ରେ ଏକାକୀ ଥିବା ଭାରତକୁ ଏବେ ବିଶ୍ବ ସମର୍ଥନ

Advertisment
ଫ୍ରାନ୍ସର ବଡ଼ ନିଷ୍ପତି : ଜବତ ହେବ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ସବୁ ସମ୍ପତି

indiatoday.in

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନର ସଦ୍ୟ ବିରୋଧ ପାଇଁ ସରକାରଙ୍କ କୂଟନୈତିକ ବିଫଳତା ଦାୟୀ ବୋଲି ସମାଲୋଚନା କରିଥିବା ବିରୋଧୀମାନଙ୍କୁ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଆଜି ମୁହଁତୋଡ଼ ଜବାବ ଦେଇଛନ୍ତି। ୟୁପିଏ ଶାସନ କାଳ ଅନ୍ତର୍ଗତ ୨୦୦୯ ମସିହାରେ ପ୍ରଥମ କରି ଜାତିସଂଘର ସୁରକ୍ଷା ପରିଷଦରେ ମସୁଦ ପ୍ରସଙ୍ଗ ଉଠିଲା ବେଳେ ଭାରତ ଏକଲା ଲଢୁଥିଲା। ମାତ୍ର ୨୦୧୯ ମସିହାରେ ଏବେ ଭାରତ ସପକ୍ଷରେ ସାରା ବିଶ୍ବ ଛିଡ଼ା ହୋଇଛନ୍ତି ବୋଲି ସୁଷମା କହିଛନ୍ତି। ସୂଚନା ଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ନୀତି ଧାରାବାହିକ ଭାବେ କୂଚନୈତିକ ବିପର୍ଯ୍ୟୟ ଆଣିଛି ଏବଂ ଦୁର୍ବଳ ମୋଦୀ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ଡରୁଛନ୍ତି ବୋଲି ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆକ୍ଷେପ କରିଥିଲେ। ଏ ପରିପ୍ରେକ୍ଷୀରେ ସୁଷମା କହିଛନ୍ତି ଯେ ୨୦୦୯ରେ ଜାତିସଂଘ ଦ୍ବାରା ମସୁଦକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପାଇଁ ଭାରତ ଏକା ପ୍ରସ୍ତାବକ ଥିଲା। ମାତ୍ର ୨୦୧୬ରେ ଭାରତର ଏହି ପ୍ରସ୍ତାବକୁ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ ସମର୍ଥନ କରିଥିଲେ। ସେହିପରି ୨୦୧୭ରେ ଭାରତ ପରିବର୍ତ୍ତେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ ମିଶି ଏହି ପ୍ରସ୍ତାବ ଆଣିଥିଲେ। ଏଥି ସହିତ ୨୦୧୯ରେ ଏହି ତିନି ରାଷ୍ଟ୍ର ପ୍ରସ୍ତାବ ଆଣିଥିବା ବେଳେ ସୁରକ୍ଷା ପରିଷଦର ୧୫ ସଦସ୍ୟ ମଧ୍ୟରୁ ୧୪ ଜଣ ସମର୍ଥନ କରିଥିଲେ। ଏପରିକି ସୁରକ୍ଷା ପରିଷଦର ସଦସ୍ୟ ନଥିବା ଅଷ୍ଟ୍ରେଲିଆ, ବାଂଲାଦେଶ, ଇଟାଲି ଏବଂ ଜାପାନ ଆଦି ରାଷ୍ଟ୍ର ମଧ୍ୟ ସହପ୍ରସ୍ତାବକ ଥିଲେ ବୋଲି ସୁଷମା ଟ୍ବିଟ୍ କରି କହିଛନ୍ତି।

ମସୁଦ୍‌ ସମ୍ପତ୍ତି ଜବତ ହେବ
ନୂଆଦିଲ୍ଲୀ: ମସୁଦ୍‌କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ଫ୍ରାନ୍ସ, ବ୍ରିଟେନ୍‌ ଏବଂ ଆମେରିକା ଦ୍ବାରା ଅଣାାଯାଇଥିବା ପ୍ରସ୍ତାବକୁ ଚୀନ୍‌ ପ୍ରତ୍ୟାଖ୍ୟାନ କରିବା ପରେ ଏବେ ଚୀନ୍ ଉପରେ ଜାତିସଂଘର ଅନ୍ୟ ସଦସ୍ୟ ରାଷ୍ଟ୍ର ପ୍ରବଳ ମାତ୍ର‌ାରେ କ୍ଷୁବ୍ଧ ଅଛନ୍ତି। ଅନ୍ୟପକ୍ଷେ, ଆଜି ଫ୍ରାନ୍ସ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଭାରତ ପ୍ରତି ଏହାର ଦୃଢ଼ ସମର୍ଥନ ଥିବା କହିଛି। ମସୁଦ୍‌ର ସବୁ ସମ୍ପତ୍ତି ଜବତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଫ୍ରାନ୍ସର ଆଭ୍ୟନ୍ତରୀଣ ମନ୍ତ୍ରାଳୟ, ଅର୍ଥ ମନ୍ତ୍ରାଳୟ ଏବଂ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ମିଳିତ ବିବୃତିରେ ଆଜି କୁହାଯାଇଛି । (ମନିଟାରି ଏବଂ ଫାଇନାନ୍ସିଆଲ୍‌ କୋଡ୍‌ ଆପ୍ଲିକେସନ୍‌)ରେ ମସୁଦ୍‌ର ସମ୍ପତ୍ତି ଜବତ କରି ଜାତୀୟ ସ୍ତରରେ ଏହା ଉପରେ କଟକଣା ଲଗାଇବା ପାଇଁ ଫ୍ରାନ୍ସ ନିଷ୍ପତ୍ତି ନେଇଛି। ଏଥି ସହିତ ୟୁରୋପୀୟ ସଂଘ ଆତଙ୍କବାଦୀ ତାଲିକାରେ ମସୁଦ୍‌କୁ ରଖିବା ପାଇଁ ଏବେ ଫ୍ରାନ୍ସ ଏହାର ୟୁରୋପୀୟ ଅଂଶୀଦାରଙ୍କ ସହ ଆଲୋଚନା କରିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୧୪ରେ ମସୁଦ୍‌ର ଜେଇଏମ୍‌ ଗୋଷ୍ଠୀ ଦ୍ବାରା ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ଜାତି ସଂଘ ସୁରକ୍ଷା ପରିଷଦ ମସୁଦ୍‌କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ପାଇଁ ଆମେରିକା, ବ୍ରିଟେନ୍‌ ଏବଂ ଫ୍ରାନ୍ସ ମିଳିତ ଭାବେ ପ୍ରସ୍ତାବ ଆ‌ଣିଥିଲେ। ମାତ୍ର ପୂର୍ବର ତିନି ଥର ପରି ଏଥର ମଧ୍ୟ ଚୀନ୍‌ ଭିଟୋ ପ୍ରୟୋଗ କରି ଏହି ପ୍ରୟାସକୁ ଭଣ୍ଡୁର କରିବା ସହ ମାମଲାର ଯାଞ୍ଚ ପାଇଁ ଅଧିକ ସମୟ ମାଗି ପରୋକ୍ଷରେ ମସୁଦକୁ ସୁରକ୍ଷା ଯୋଗାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe