ବିହାର: ହୋଲିରେ ବିଷାକ୍ତ ମଦ ନେଲା ୧୦ ଜୀବନ

Advertisment
ବିହାର: ହୋଲିରେ ବିଷାକ୍ତ ମଦ ନେଲା ୧୦ ଜୀବନ

Image Courtesy: The Hindu

ପାଟନା: ହୋଲି ଉତ୍ସବ ସମୟରେ ନକଲି ମଦ ପିଇ ମଦ ନିଷେଧ ଥିବା ବିହାରର ଦୁଇଟି ଜିଲ୍ଲାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ବିଷାକ୍ତ ମଦ ପିଇ ଭାଗଲପୁର ଜିଲ୍ଲାରେ ଆଠଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି, ଯେଉଁଥିରେ ଭାଗଲପୁର ସହର ସାହିବଗଞ୍ଜ ଅଞ୍ଚଳରେ ଚାରିଜଣ ଏବଂ ଅବଶିଷ୍ଟ ନାରାୟଣପୁର ଥାନା ଅଞ୍ଚଳର ବିଭିନ୍ନ ଗ୍ରାମର ବାସିନ୍ଦା ଜଣାପଡ଼ିଛି।

ନାରାୟଣପୁର ପୁଲିସ୍‌ ଅଧିକାରୀ ରମେଶ ସାହ କହିଛନ୍ତି ଯେ ଶବ ବ୍ୟବଚ୍ଛେଦ ପରୀକ୍ଷା ପରେ ହିଁ ସେ ନିଶ୍ଚିତ କରିପାରିବେ ଯେ ମୃତକମାନେ ବିଷାକ୍ତ ମଦ ପିଇଛନ୍ତି କି ନାହିଁ। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ମୃତକଙ୍କ ମଧ୍ୟରୁ ଜଣେ ହୃଦଘାତର ଶିକାର ହୋଇଥିଲେ ଏବଂ ଅନ୍ୟ ଜଣେ ସିଡ଼ି ଉପରକୁ ଚଢିବା ସମୟରେ ଖସି ପଡିଥିଲେ। ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ ପୁଲିସ ଷ୍ଟେସନର ଅଧିକାରୀ ରୀତା କୁମାରୀ, ଯାହାଙ୍କ ଅଧୀନରେ ସାହିବଗଞ୍ଜ ଅଛି, କହିଛନ୍ତି ଯେ ଶବ ବ୍ୟବଚ୍ଛେଦ ପରେ ହିଁ ବେଆଇନ ମଦ ସେବନ ନିଶ୍ଚିତ ହୋଇପାରିବ।

ବିଷାକ୍ତ ମଦ ପିଇଥିବା ଜଣେ ସାହିବଗଞ୍ଜ ବାସିନ୍ଦା ଏବେ ଦୃଷ୍ଟିଶକ୍ତି ହରାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାର ପ୍ରତିବାଦରେ ରବିବାର ସକାଳେ ସ୍ଥାନୀୟ ଲୋକମାନେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

ଏହା ବ୍ୟତୀତ ମଧେପୁରା ଜିଲ୍ଲାର ମୁର୍ଲିଗଞ୍ଜ ବ୍ଲକରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକମାନେ ବିଷାକ୍ତ ମଦ ପିଇ ଏମାନଙ୍କ ମୃତ୍ୟୁ ହୋଇଥିବା କହୁଥିବା ବେଳେ ମୁର୍ଲିଗଞ୍ଜ ପୁଲିସ୍‌ ଅଧିକାରୀ ରାଜକିଶୋର ମଣ୍ଡଳ କହିଛନ୍ତି ଯେ ମୃତକଙ୍କ ପରିବାର ସଦସ୍ୟ ଏହି ଘଟଣା ବିଷୟରେ ଜାଣିବା ପୂର୍ବରୁ ମୃତଦେହର ଅନ୍ତିମ ସଂସ୍କାର କରିଥିବାରୁ ମୃତ୍ୟୁର କାରଣ ଜଣା ପଡିନାହିଁ। ତେବେ ନକଲି ମଦ ପିଇ ପ୍ରାୟ ସାତ ଜଣ ଅସୁସ୍ଥ ହୋଇ ପଡିଛନ୍ତି ଏବଂ ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ପ୍ରାୟ ଛଅ ବର୍ଷ ଧରି ଏକ ମଦ ନିଷେଧ ରାଜ୍ୟ ଥିବା ବିହାରରେ ଗତ ବର୍ଷ ଦୀପାବଳି ପରଠାରୁ ବିଷାକ୍ତ ମଦ ମୃତ୍ୟୁ ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି; ଯାହାକି ନୀତୀଶ କୁମାର ସରକାରଙ୍କ ପାଇଁ ଏକ ଲଜ୍ଜାଜନକ ଘଟଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe