Image Courtesy of Patrika
ବାରାଣସୀ: ଆଜି ଜ୍ଞାନବାପି ମସ୍ଜିଦ୍ ପରିସରରେ ଥିବା ଶିବଲିଙ୍ଗ ପୂଜା କରିବା ପାଇଁ ବାହାରିଥିବା ସ୍ବାମୀ ଅବିମୁକ୍ତେଶ୍ବରାନନ୍ଦଙ୍କୁ ପୁଲିସ ବାରାଣସୀସ୍ଥିତ ଶ୍ରୀବିଦ୍ୟା ମଠରୁ ନ ଛାଡ଼ିବାରୁ ସେ କହିଛନ୍ତି କି, ସେଠାରେ ଥିବା ଶିବଲିଙ୍ଗ ପୂଜା କରିବାକୁ ଅନୁମତି ନ ମିଳିବା ପର୍ଯ୍ୟନ୍ତ କିଛି ଖାଇବି ନାହିଁ।
ସ୍ବାମୀ ଅବିମୁକ୍ତେଶ୍ବରାନନ୍ଦ ହେଉଛନ୍ତି ଗୁଜରାଟର ଦ୍ବାରକା ଶାରଦା ପୀଠମ୍ ଏବଂ ବଦ୍ରିନାଥର ଜ୍ୟୋତିର୍ ମଠର ଶଙ୍କରାଚାର୍ଯ୍ୟ ଥିବା ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଶିଷ୍ୟ।
ଆଜି ୭୦ଜଣ ଅନୁଚରମାନଙ୍କ ସହିତ ଯାଇ ଜ୍ଞାନବାପି ପରିସରରେ ଥିବା ଶିବଲିଙ୍ଗ ପୂଜା କରିବେ ବୋଲି ଶୁକ୍ରବାର ଦିନ ସ୍ବାମୀ ଅବିମୁକ୍ତେଶ୍ବରାନନ୍ଦ କହିଥିଲେ। ତେଣୁ, ବାରାଣସୀର କେଦାର ଘାଟ ଅଞ୍ଚଳରେ ନିରାପତ୍ତା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା।
Image Courtesy of GONEWSONକିନ୍ତୁ, ଆଜି ଜ୍ଞାନବାପି ଯିବା ପାଇଁ ବାରାଣସୀ ପୁଲିସ ତାଙ୍କୁ ଅନୁମତି ଦେଇ ନ ଥିଲା। ବିଦ୍ୟାମଠର ଫାଟକ ପାଖରେ ହିଁ ପୁଲିସ ସ୍ବାମୀ ଅବିମୁକ୍ତେଶ୍ବରାନନ୍ଦଙ୍କୁ ଅଟକାଇ ଥିଲା। ଏବେ ମଠ ଫାଟକ ନିକଟରେ ମଧ୍ୟ ବହୁସଂଖ୍ୟକ ପୁଲିସ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ, ଅଦାଲତଙ୍କ ଆଦେଶ ଅନୁସାରେ, ଜ୍ଞାନବାପି ପରିସରରେ ଭିଡିଓଗ୍ରାଫି ଓ ସର୍ଭେ ଚାଲିଥିବା ବେଳେ ସେଠାରେ ଥିବା ଏକ ଜଳାଶୟରୁ ଶିବଲିଙ୍ଗ ଭଳି ପଥର ବାହାରି ଥିଲା।
କାଶୀ ବିଶ୍ବନାଥ-ଜ୍ଞାନବାପି ପରିସରରେ ଥିବା ଶୃଙ୍ଗାର ଗୌରୀ ସ୍ଥଳରେ ପୂଜାର୍ଚ୍ଚନା କରିବା ପାଇଁ ଅନୁମତି ଲୋଡ଼ି ୫ଜଣ ହିନ୍ଦୁ ନାରୀ ଅଦାଲତରେ ଆବଦେନ କରିଥିଲେ। ଉକ୍ତ ଆବେଦନଗୁଡ଼ିକୁ ଫାଇଲ୍ କରିବା ପରେ ମସ୍ଜିଦ୍ ପରିସରେ ଭିଡିଓ ସର୍ଭେ କରିବା ଲାଗି ସହରର ଏକ ନିମ୍ନ ଅଦାଲତ ଆଦେଶ ଦେଇଥିଲେ।
ସର୍ଭେ ପରେ ହିନ୍ଦୁ ପକ୍ଷ କହିଥିଲେ କି, ଜ୍ଞାନବାପି ପରିସରରୁ ଶିବଲିଙ୍ଗଟିଏ ମିଳିଛି। କିନ୍ତୁ ସଂଖ୍ୟାଲଘୁମାନେ ଦାବି କରିଛନ୍ତି କି, ତାହା ଶିବଲିଙ୍ଗ ନୁହେଁ ‘ୱାଜୁଖାନା’ରେ ଥିବା ଜଳଫୁଆରା।
Follow Us