ନୂଆଦିଲ୍ଲୀ: ତବ୍ଲିଗି ଜମାତ୍ କାର୍ଯ୍ୟକ୍ରମକୁ ନେଇ ବିବାଦ ବଢ଼ିବାପରେ ଏହାର ମୁଖ୍ୟ ମୌଲାନା ସାଦ୍ ଫେରାର ହୋଇଯାଇଛନ୍ତି। ପୁଲିସ ତାଙ୍କୁ ଖୋଜୁଥିଲେ ମଧ୍ୟ ଟେର୍ ପାଉନି। ଅନ୍ୟପକ୍ଷେ ମୌଲାନା ସାଦ୍ ଆଜି ଏକ ଅଡିଓ ଜାରି କରି ସେ କ୍ବାରାଣ୍ଟିନ୍ରେ ଥିବା କହିଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ସେଲ୍ଫ କ୍ବାରାଣ୍ଟିନ୍ରେ ଥିବା କହିଛନ୍ତି। ଅନ୍ୟମାନଙ୍କୁ ମଧ୍ୟ ସେ କ୍ବାରାଣ୍ଟିନ୍ରେ ରହିବାକୁ କହିଛନ୍ତି। ପୂର୍ବରୁ କରୋନା କଟକଣା ମୁସଲିମ୍ମାନଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି କହିଥିବା ମୌଲାନା ସାଦ୍ ଏବେ ତାଙ୍କ ସ୍ବର ବଦଳାଇଛନ୍ତି। କରୋନା ଭାଇରସ୍ ମୁକାବିଲା ଦିଗରେ ସରକାରଙ୍କୁ ସେ ପୂର୍ଣ୍ଣ ସମର୍ଥନ କରୁଥିବା କହିଛନ୍ତି। ମୌଲାନାଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ହୋଇଛି। ମୌଲାନା କହିଛନ୍ତି, ଆମେମାନେ ଏବେ ଗୋଟିଏ ସ୍ଥାନରେ ଏକଜୁଟ୍ ହେବା ଅନୁଚିତ୍ ଏବଂ ସରକାର ଯାହା କହୁଛନ୍ତି ତାହା ପାଳନ କରିବା ଉଚିତ୍। ଜମାତ୍ର ସମସ୍ତ ସଦସ୍ୟଙ୍କୁ ଏଦିଗରେ ସହଯୋଗ କରିବାପାଇଁ ସେ ଅଡିଓ ବାର୍ତ୍ତାରେ କହିଛନ୍ତି। ଯେଉଁ ସ୍ଥାନରେ ଯିଏ ଅଛନ୍ତି ସେ କ୍ବାରାଣ୍ଟିନ୍ରେ ରହିବା ଉଚିତ୍ ଏବଂ ଏହା ଆଦୌ ଇସଲାମ୍ କିମ୍ବା ସାରିୟତ୍ର ବିରୁଦ୍ଧାଚରଣ କରୁନି ବୋଲି ସେ କହିଛନ୍ତି। ଏହି ଅଡିଓଟି ମରକଜ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ପୋଷ୍ଟ୍ କରାଯାଇଛି। ମୌଲାନା ସାଦ୍ ଦିଲ୍ଳୀରେ ଥିବା କହିଛନ୍ତି କିନ୍ତୁ ଦିଲ୍ଲୀ ଓ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ କରିଥିଲେ ମଧ୍ୟ ମୌଲାନାଙ୍କର ଟେର୍ ପାଉନି। ମୌଲାନା ସାଦ୍ଙ୍କର ପ୍ରାୟ ୨୦୦ଟି ଦେଶରେ ୧୦୦ କୋଟି ସମର୍ଥକ ଅଛନ୍ତି ବୋଲି ସେ ଦାବି କରିଛନ୍ତି।
ଫେରାର୍ ଜମାତ୍ ମୁଖ୍ୟଙ୍କ ନୂଆ ଅଡିଓ: କ୍ବାରାଣ୍ଟିନ୍ରେ ଅଛନ୍ତି, ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ପରାମର୍ଶ
Advertisment
Follow Us