Image Courtesy of NDTV
ନୂଆଦିଲ୍ଲୀ: ଅତିମାତ୍ରାରେ ପ୍ରତିକ୍ରିୟାଶୀଳ ହୋଇ ତାଇୱାନ୍ ଚାରିପଟେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ଚୀନ୍ ଚଳାଇଥିବା ବ୍ୟାପକ ସମରାଭ୍ୟାସକୁ ଆମେରିକା ନିନ୍ଦା କଲେ ବି ଆଜି ଏକାଧିକ ଚୀନା ଯୁଦ୍ଧପୋତ ଓ ଲଢୁଆ ବିମାନ ଦୁଇ ଦେଶ ମଧ୍ୟରେ ଥିବା ମଧ୍ୟବର୍ତ୍ତୀ ରେଖା ଅତିକ୍ରମ କରିଛି।
ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନେନ୍ସି ପିଲୋସିଙ୍କ ତାଇୱାନ୍ ଗସ୍ତ ପ୍ରତିବାଦରେ ଚୀନ୍ର ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ (ପିଏଲ୍ଏ) ଗୁରୁବାର ଦିନ ଆକ୍ରମଣାତ୍ମକ ସାମରିକ ପ୍ରଦର୍ଶନ ଆରମ୍ଭ କରିଥିଲା। ଏହା ଫଳରେ ସମଗ୍ର ପୂର୍ବ ଏସିଆରେ ଉତ୍ତେଜନା ପରିଲକ୍ଷିତ ହୋଇଛି।
ଆଜି ତାଇୱାନ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଘୋଷଣା କରିଛି ଯେ, ଆଜି ସକାଳେ ‘ପିଏଲ୍ଏ’ର ଏକାଧିକ ଯୁଦ୍ଧପୋତ ଏବଂ ଲଢୁଆ ବିମାନ ମଧ୍ୟବର୍ତ୍ତୀ ରେଖା ଅତିକ୍ରମ କରିଛି। ପରିସ୍ଥିତି ଉପରେ ଦୃଷ୍ଟି ରଖିବା ଲାଗି ତାଇୱାନ୍ ଲଢୁଆ ବିମାନ ଓ ଯୁଦ୍ଧପୋତ ପଠାଇବା ସହ ଭୂମି ଉପରୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ବ୍ୟବସ୍ଥା ମୁତୟନ କରିଛି।
Image Courtesy of The Guardianଯୁଦ୍ଧ କରିବା ନୁହେଁ, ଯୁଦ୍ଧ ନିମନ୍ତେ ପ୍ରସ୍ତୁତି କରିବା ନୀତି ହିସାବରେ ସାର୍ବଭୌମତ୍ବ ଏବଂ ଜାତୀୟ ନିରାପତ୍ତା ବଜାୟ ରଖିବା ଲାଗି ଜାତୀୟ ସେନା ସମ୍ମିଳିତ ହୋଇ କାର୍ଯ୍ୟ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।
ଆଜି ତାଇୱାନ୍ର ପ୍ରଧାନମନ୍ତ୍ରୀ ସୁ ସେଙ୍ଗ୍-ଚାଙ୍ଗ୍ ମଧ୍ୟ କହିଛନ୍ତି, ସମରାଭ୍ୟାସ ଚଳାଇ ଚୀନ୍ ଅକାରଣରେ ବିଶ୍ବର ସବୁଠୁ ଅଧିକ ଯାତାୟାତ ଚାଲିଥିବା ଜଳପଥରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଚୀନ୍ ହେଉଛି ଖୁବ୍ ନିକଟକୁ ଆସି ଭୟଭୀତ କରିବାକୁ ବଳ ପ୍ରଦର୍ଶନ କରୁଥିବା ଗୋଟାଏ ଦୁଷ୍ଟ ପଡ଼ୋଶୀ ରାଷ୍ଟ୍ର।
ଏଭଳ ଅବାନ୍ତର କାର୍ଯ୍ୟାକଳାପ ଆଞ୍ଚଳିକ ଶାନ୍ତି ନଷ୍ଟ କରୁଛି କହି ତାଇୱାନ୍ ଚୀନ୍ର ସମରାଭ୍ୟାସକୁ ନିନ୍ଦା କରିଛି।
ତେଣେ, ଆଜି ଜାପାନ ଗସ୍ତରେ ଥିବା ନେନ୍ସି ପିଲୋସି ସାମ୍ବାଦିକମାନଙ୍କୁ କହିଛନ୍ତି, ଚୀନ୍ ତାଇୱାନ୍କୁ ଅନ୍ୟ ରାଷ୍ଟ୍ରକୁ ଗସ୍ତ କରି କୌଣସି କାର୍ଯ୍ୟକ୍ରମରେ ଭାଗ ନେବାରୁ ନିବୃତ୍ତ କରିପାରନ୍ତି। କିନ୍ତୁ, ତାଇୱାନ୍ ଗସ୍ତ କରିବାରେ ଚୀନ୍ ଆମକୁ ବାଧା ଦେଇ ପାରିବ ନାହିଁ।
Follow Us