ହୁଆଲିଏନ୍: ଦ୍ବୀପଦେଶ ତାଇୱାନ୍ ଚତୁଃପାର୍ଶ୍ବରେ ଚୀନ୍ ଅଭୂତପୂର୍ବ ସାମରିକ ଅଭ୍ୟାସ ଆରମ୍ଭ କରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରବାରୁ ବୁଧବାର ରାତିରେ ତାଇୱାନ୍ ତାହାର ସର୍ବାଧୁନିକ ତଥା ସବୁଠୁ ଉନ୍ନତ କ୍ଷେପଣାସ୍ତ୍ରବାହୀ ‘ଏଫ୍-୧୬ଭି’ ଲଢୁଆ ବିମାନର ଉଡ଼ାଣ ପ୍ରଦର୍ଶନ କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ଚୀନ୍ ଆକ୍ରମଣର ମୁକାବିଲା କରିବା ପାଇଁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ରୁତତର କରିବା ଲାଗି ତାଇପେଇ ମଧ୍ୟ ନିଜସ୍ବ ସମରାଭ୍ୟାସ ଚଳାଇଛି। ଏହି କ୍ରମରେ ବୁଧବାର ରାତିରେ ତାଇୱାନ୍ ବାୟୁସେନା କର୍ମଚାରୀମାନେ ପୂର୍ବାଞ୍ଚଳ ହୁଆଲିଏନ୍ କାଉଣ୍ଟିସ୍ଥିତ ବିମାନଘାଟିରେ ଗୋଟାଏ ‘ଏଫ୍-୧୬ଭି’ ଲଢୁଆ ବିମାନରେ ଆମେରିକା ନିର୍ମିତ ‘ଆଣ୍ଟି-ସିପ୍ ମିସାଇଲ୍’ ଖଞ୍ଜି ଯୁଦ୍ଧ ପ୍ରସ୍ତୁତି ଅଭ୍ୟାସ ଆରମ୍ଭ କରିଥିଲେ।
Image Courtesy of Nokia Newsପରେ ପରେ ଏହି ସମରାଭ୍ୟାସରେ ୬ଟି ‘ଏଫ୍-୧୬ଭି’ ଲଢୁଆ ବିମାନ ରାତ୍ର ଆକାଶରେ ପଇନ୍ତରା ମାରିଥିଲେ। ସେଥିରୁ ୨ଟି ଲଢୁଆ ବିମାନରେ କ୍ଷେପଣାସ୍ତ୍ର ଥିଲା ବୋଲି ତାଇୱାନ୍ ବାୟୁସେନା କହିଛି।
ଏ ସଂକ୍ରାନ୍ତରେ ଜାରି ବିବୃତିରେ ତାଇୱାନ୍ ବାୟୁସେନା କହିଛି, ସମ୍ପ୍ରତି ଚାଲିଥିବା ସାମରିକ ଅଭ୍ୟାସ ବେଳେ ଚୀନା କମ୍ୟୁନିଷ୍ଟ୍ ସେନାର ଆକ୍ରମଣ ଆଶଙ୍କାରେ ଆମେ ଜାଗ୍ରତ ରହିଛୁ। ତେଣୁ, ଦେଶର ସୁରକ୍ଷା ନିମନ୍ତେ ଆମେ ‘ଯେକୌଣସି ସ୍ଥାନ ଯୁଦ୍ଧକ୍ଷେତ୍ର ଏବଂ ଯେକୌଣସି ସମୟରେ ତାଲିମ୍ ଗ୍ରହଣ’ ଧାରାକୁ ଆଦରି ନେଇଛୁ।
ଗଣତାନ୍ତ୍ରିକ ପଦ୍ଧତ୍ତିରେ ଶାସିତ ତାଇୱାନ୍ ଦ୍ବୀପକୁ ଚୀନ୍ ନିଜ ଦେଶର ଅଞ୍ଚଳ ବୋଲି ଦାବି କରୁଥିବାରୁ ପ୍ରୟୋଜନ ହେଲେ ଆକ୍ରମଣ କରି ଦିନେ ନା ଦିନେ ଅକ୍ତିଆର କରି ନେବାର ଆଶଙ୍କା ରହିଛି। କିନ୍ତୁ, ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନେନ୍ସି ପିଲୋସିଙ୍କ ଗସ୍ତ ଯୋଗୁଁ ଚୀନ୍ ଉତ୍କ୍ଷିପ୍ତ ହୋଇଛି କହି ସମରାଭ୍ୟାସ କରୁଛି ବୋଲି ବାହାନା କରୁଛି। ଏହି ଭୟରେ ତାଇୱାନ୍ ସବୁବେଳେ ଭୀତତ୍ରସ୍ତ ହୋଇ ରହିଛି।
Follow Us