ତାଇୱାନର ସାମରିକ ଅଭ୍ୟାସ:ଚୀନ୍ ନେଲା ବଡ଼ ପଦକ୍ଷେପ

ତାଇୱାନର ସାମରିକ ଅଭ୍ୟାସ ପରେ ଚୀନ୍‌ର ପ୍ରତିକ୍ରିୟା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ପରିସ୍ଥିତି ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇଛି। ଆଗାମୀ ସମୟରେ ଚୀନ୍ ଏବଂ ତାଇୱାନ ମଧ୍ୟରେ କୂଟନୈତିକ ଓ ସାମରିକ ସ୍ଥିତି ମୁହାଁମୁହିଁ ହୋଇପାରେ...

Taiwan's military exercises: China takes big step

Taiwan's military exercises: China takes big step Photograph: (sambad.in)

ତାଇପେଇ: ତାଇୱାନର ସେନା ବାର୍ଷିକ 'ହାନ କୁଆଙ୍ଗ' ସାମରିକ ଅଭ୍ୟାସ ଆରମ୍ଭ କରିଛି। ଯେଉଁଥିରେ ସୈନିକମାନେ ସେମାନଙ୍କର ସାମରିକ ଶକ୍ତି ଏବଂ ସାହସ ପ୍ରଦର୍ଶନ କରୁଛନ୍ତି। ଏହି ପଦକ୍ଷେପ ତାଇୱାନର ପଡ଼ୋଶୀ ଏବଂ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଚୀନ୍‌କୁ କ୍ରୋଧିତ କରିଛି। ତାଇୱାନର ଏହି କାର୍ଯ୍ୟକଳାପ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହା ପରେ ଚୀନ୍ ତାଇୱାନର ସେନା ସହିତ ଜଡିତ ଆଠଟି କମ୍ପାନିର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି।

ଏହି ସାମରିକ ଅଭ୍ୟାସ ନୂଆ ନୁହେଁ। ତାଇୱାନ ପ୍ରତିବର୍ଷ ଏହାକୁ ଆୟୋଜନ କରିଥାଏ। ଏଥର ମଧ୍ୟ ତାଇୱାନ ନିଜର ବାର୍ଷିକ 'ହାନ କୁଆଙ୍ଗ' ସାମରିକ ଅଭ୍ୟାସ ଆରମ୍ଭ କରିଛି, ଯାହାର ଉଦ୍ଦେଶ୍ୟ ହେଉଛି ଚୀନ୍‌ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତି।

କିନ୍ତୁ ଚୀନ୍ ତାଇୱାନର ଏହି ପ୍ରସ୍ତୁତିକୁ ପସନ୍ଦ କରିନାହିଁ। ପ୍ରତିବନ୍ଧକ ଘୋଷଣା କରି ଚୀନ୍‌ର ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ, ଜାତୀୟ ଏବଂ ଆଞ୍ଚଳିକ ସୁରକ୍ଷା ସହିତ ଜଡିତ ଚିନ୍ତା ଯୋଗୁ ଏହି ପଦକ୍ଷେପ ନିଆଯାଇଛି।

ଚୀନ୍ ତାଇୱାନର ଆଠଟି ପ୍ରମୁଖ କମ୍ପାନିକୁ ଏହାର ନିଷେଧ ତାଲିକାରେ ସାମିଲ କରିଛି। ଏହି କମ୍ପାନିଗୁଡ଼ିକ ମୁଖ୍ୟତଃ ମହାକାଶ ଏବଂ ଜାହାଜ ନିର୍ମାଣ କ୍ଷେତ୍ରରେ ନିୟୋଜିତ ଅଛନ୍ତି। ଚୀନ୍ ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଏବେ ଏହି କମ୍ପାନିଗୁଡ଼ିକୁ ଏପରି "ଦ୍ୱୈତ-ବ୍ୟବହାର ସାମଗ୍ରୀ" ଅର୍ଥାତ୍ ସେହି ସାମଗ୍ରୀ କିମ୍ବା ପ୍ରଯୁକ୍ତିବିଦ୍ୟା ରପ୍ତାନି କରିବାକୁ ଅନୁମତି ଦିଆଯିବ ନାହିଁ ଯାହା ନାଗରିକ ଏବଂ ସାମରିକ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଇପାରିବ। ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି।

ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ତାଇୱାନ ଏହାର ବାର୍ଷିକ ସାମରିକ ଅଭ୍ୟାସ ଆରମ୍ଭ କରିଛି, ଯାହାକୁ ଏପର୍ଯ୍ୟନ୍ତ ସବୁଠାରୁ ବ୍ୟାପକ ଏବଂ ଦୀର୍ଘକାଳୀନ ଅଭ୍ୟାସ ବୋଲି ବିବେଚନା କରାଯାଉଛି। ପ୍ରାୟ ୧୦ ଦିନ ଧରି ଚାଲିବାକୁଥିବା ଏହି ହାନ କୁଆଙ୍ଗ ଅଭ୍ୟାସରେ, ସମ୍ଭାବ୍ୟ ଚୀନ୍ ଆକ୍ରମଣକୁ ଦୃଷ୍ଟିରେ ରଖି ତାଇୱାନ ସେନା ବିଭିନ୍ନ ପରିସ୍ଥିତିରେ ଅଭ୍ୟାସ କରି ଏହାର ସାମରିକ ପ୍ରସ୍ତୁତି ସମୀକ୍ଷା କରୁଛି।

ଅଧିକ ପଢ଼ନ୍ତୁ: ଇରାନର ଫତୱା,ଇସ୍ରାଏଲର ଷଡଯନ୍ତ୍ର: ମଧ୍ୟପ୍ରାଚ୍ୟରେ ଜଣଙ୍କର ହତ୍ୟା ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ!

ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି ସାମରିକ ଅଭ୍ୟାସ ମୁଖ୍ୟତଃ ଚୀନ୍ ତଟରକ୍ଷୀ ବାହିନୀ ଏବଂ ସାମୁଦ୍ରିକ ମିଲିସିଆଙ୍କ କାର୍ଯ୍ୟକଳାପର ପ୍ରତିକ୍ରିୟାରେ ଆରମ୍ଭ ହୋଇଛି। ଯାହା ତାଇୱାନର ସାମୁଦ୍ରିକ କ୍ଷେତ୍ରରେ ଉତ୍ତେଜନା ଏବଂ ଅସ୍ଥିରତାକୁ ପ୍ରୋତ୍ସାହିତ କରୁଛି। ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଗତ କିଛି ଦିନ ମଧ୍ୟରେ ଚୀନ୍ ଜାହାଜଗୁଡ଼ିକ ତାଇୱାନର ସଂଲଗ୍ନ ଉପକୂଳବର୍ତ୍ତୀ ଦ୍ୱୀପପୁଞ୍ଜରେ ଅନଧିକୃତ ଭାବରେ ପ୍ରବେଶ କରିଛନ୍ତି, ଯାହା ସାମୁଦ୍ରିକ ପରିବହନ ମାର୍ଗର ସୁରକ୍ଷାକୁ ବିପଦରେ ପକାଇଛି।

ଯଦି ଏହି ଅଭ୍ୟାସ ଯୋଗୁ ବିମାନ ଯାତ୍ରା କିମ୍ବା ଟ୍ରାଫିକରେ କୌଣସି ଅସୁବିଧା ହୁଏ, ତେବେ ଧର୍ଯ୍ୟ ବଜାୟ ରଖିବା ଏବଂ ଧୈର୍ଯ୍ୟର ସହିତ ପରିସ୍ଥିତିର ସାମ୍ନା କରିବାକୁ ସରକାର ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ, ଲୋକମାନେ ଗୁଜବ ଏବଂ ଭ୍ରାମକ ସୂଚନା ଉପରେ ଧ୍ୟାନ ଦେବା ଉଚିତ୍ ନୁହେଁ ବୋଲି ତାଇୱାନ ସରକାର କହିଛନ୍ତି।

ସୂଚନାଯୋଗ୍ୟ,ଚୀନ୍ ଦୀର୍ଘ ସମୟ ଧରି ତାଇୱାନକୁ ନିଜର ଭୂଖଣ୍ଡର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ବିବେଚନା କରିଆସୁଛି ଏବଂ ବଳ ପ୍ରୟୋଗ କରି ଦମନ କରିବାକୁ ବାରମ୍ବାର ଚେତାବନୀ ଦେଇଆସୁଛି। ଅନ୍ୟପକ୍ଷରେ, ତାଇୱାନ ନିଜକୁ ଏକ ସ୍ୱାଧୀନ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି ଭାବୁଛି। ତାଇୱାନର ନିଜସ୍ୱ ନିର୍ବାଚିତ ସରକାର ଏବଂ ପ୍ରଶାସନିକ ଗଠନ ଅଛି। ବିଶ୍ଳେଷକମାନଙ୍କ ଅନୁସାରେ ଚୀନ୍‌ର ଏହି ପଦକ୍ଷେପ ତାଇୱାନ ଉପରେ ରାଜନୈତିକ ଚାପ ବୃଦ୍ଧି କରିବା ଏବଂ ଏହାର ସାମରିକ ପ୍ରସ୍ତୁତିକୁ ଦୁର୍ବଳ କରିବା ପାଇଁ ଏକ ରଣନୀତିର ଅଂଶ। ତାଇୱାନ ସରକାର ସ୍ପଷ୍ଟ ଭାବରେ କହିଛନ୍ତି, କୌଣସି ପ୍ରକାରର ଧମକ କିମ୍ବା ଚାପରେ ସେ ନିଜର ଜାତୀୟ ସୁରକ୍ଷା ସ୍ୱାର୍ଥରୁ ପଛକୁ ହଟିବ ନାହିଁ।

ଅଧିକ ପଢ଼ନ୍ତୁ:ଝାରପଡ଼ା ଜେଲ୍‌ରୁ ବାହାରିଲେ ବି‌ଜେପି ନେତା ଜଗା ପ୍ରଧାନ

China | Taiwan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe