ଅନ୍ଧାରରେ ତାଳସାରୀ, ଉଦୟପୁର ବେଳାଭୂମି

ବାଲେଶ୍ବର ଜିଲ୍ଲା ତାଳସାରୀକୁ ବିଶ୍ବସ୍ତରୀୟ ବେଳାଭୂମି କରିବାର ପ୍ରତିଶ୍ରୁତି ବିଫଳ ହୋଇଛି। ସମ୍ପୂର୍ଣ୍ଣ ବେଳାଭୂମି ଆଲୋକୀକରଣ ପାଇଁ ବିଜେଡି ସରକାର ସମୟରେ ପର୍ଯ୍ୟଟନ ବିଭାଗ....

Untitled-19

ଫୁଲବଣୀ: ବାଲେଶ୍ବର ଜିଲ୍ଲା ତାଳସାରୀକୁ ବିଶ୍ବସ୍ତରୀୟ ବେଳାଭୂମି କରିବାର ପ୍ରତିଶ୍ରୁତି ବିଫଳ ହୋଇଛି। ସମ୍ପୂର୍ଣ୍ଣ ବେଳାଭୂମି ଆଲୋକୀକରଣ ପାଇଁ ବିଜେଡି ସରକାର ସମୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୭ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟରେ ୩୮୪ଟି ଖୁଣ୍ଟରେ ଲାଇଟ୍‌ ଲଗାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ମାତ୍ର ୨ ବର୍ଷରେ ସବୁ ଲାଇଟ୍‌ ବନ୍ଦ ହୋଇଗଲାଣି। ଫଳରେ ଏହି ଦୁଇ ବେଳାଭୂମିରେ ଏବେ ଘନ ଅନ୍ଧକାର ରାଜୁତି କରୁଛି।

ସୂଚନାଯୋଗ୍ୟ;ତାଳସାରୀ-ଚନ୍ଦନେଶ୍ୱର-ଉଦୟପୁର ଆଲୋକୀକରଣ ଯୋଜନାରେ ଦିଲ୍ଲୀର ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେଇଥିଲେ ତତ୍କାଳୀନ ବିଜେଡି ସରକାର। ଏଥିପାଇଁ ୭ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ୨୦୨୧ରୁ କାମ ଆରମ୍ଭ ହୋଇ ୨୦୨୨ରେ ସରିଥିଲା। ଚନ୍ଦନେଶ୍ୱରରୁ ସାହାବାଜିପୁର ମଧ୍ୟରେ ୧୬୩ଟି ଖୁଣ୍ଟ, ସାହାବାଜିପୁରରୁ ଉଦୟପୁର ଯାଏଁ ୬୩ଟି ଖୁଣ୍ଟ, ତାଳସାରୀରୁ ଚନ୍ଦନେଶ୍ୱର ରାସ୍ତାରେ ୧୫୮ଟି ଖୁଣ୍ଟ ପୋତା ଯାଇଥିଲା। ମାତ୍ର ଉଦୟପୁରରୁ ତାଳସାରୀ ବେଳାଭୂମି ଯାଏଁ ଗୋଟାଏ ବି ଖୁଣ୍ଟ ନାହିଁ। ଯେଉଁ ବିଦ୍ୟୁତ୍‌ ଖୁଣ୍ଟ ସବୁ ପୋତା ଯାଇଛି, ସେଥିରୁ ୭୦ ଭାଗ ଖୁଣ୍ଟରେ ଲାଇଟ୍ ଜଳୁନାହିଁ। ୧୪ଟି ଖୁଣ୍ଟରୁ ଲାଇଟ୍‌ ଚୋରି ହୋଇଯାଇଛି। 

ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସାହାବାଜିପୁର, ବାଜିତପୁର ଓ ହୁଗୁଳି ପଞ୍ଚାୟତକୁ ଦେଇଥିଲା ପ୍ରଶାସନ। ହେଲେ ତରବରିଆ ଭାବେ ଦାୟିତ୍ୱ ମିଳିଥିବା ବେଳେ ପଞ୍ଚାୟତସ୍ତରରେ ଏହାକୁ ସମ୍ଭାଳିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଏହି ସମସ୍ତ ପଞ୍ଚାୟତର ଲୋକପ୍ରତିନିଧି। ସେହିପରି ତତ୍କାଳୀନ ଜିଲ୍ଲାପାଳ ଲାଇଟ୍‌ ପୋଷ୍ଟ ରକ୍ଷଣାବେକ୍ଷଣ ବାବଦକୁ ବର୍ଷକୁ ୫ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ, ତାହା ଏପର୍ଯ୍ୟନ୍ତ ମିଳିନଥିବା ହୁଗୁଳିର ସରପଞ୍ଚ ବିଭୂତି ପ୍ରଧାନ ପ୍ରକାଶ କରିଛନ୍ତି। ସାହାବାଜିପୁର ପଞ୍ଚାୟତ ପକ୍ଷରୁ ଲାଇଟ୍‌ ମରାମତି ବାବଦରେ ଖର୍ଚ୍ଚ ହୋଇଥିବା ୫୨ ହଜାର ଟଙ୍କା ବି ମିଳିନଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚ ଅରୁଣ ଗିରି। ସେପଟେ ଲାଇଟ୍‌ ଲଗାଇଥିବା ସଂସ୍ଥା ନିମ୍ନମାନର କାମ କରିଥିବାରୁ ପର୍ଯ୍ୟଟନସ୍ଥଳୀ ରାସ୍ତା ଏବେ ଅନ୍ଧାର ହୋଇଯାଇଥିବା କହିଛନ୍ତି ସ୍ଥାନୀୟ ବ୍ୟବସାୟୀ। ଉଦୟପୁର ସୀମାକୁ ଲାଗି ରହିଥିବା ପଶ୍ଚିମବଙ୍ଗ ଦୀଘା ବେଳାଭୂମି ଆଲୋକିତ ହେଉଥିବା ବେଳେ ଉଦୟପୁର ଓ ତାଳସାରୀ ବେଳାଭୂମିର ଅନ୍ଧକାରମୟ ସ୍ଥିତି ପର୍ଯ୍ୟଟକଙ୍କୁ ନିରାଶ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe