Image Courtesy of Arab News
ନୂଆଦିଲ୍ଲୀ: ଚୋରମାନଙ୍କର ହାତ ସବୁ କଟା ଯିବ ଏବଂ ଅନୈତିକ ଯୌନ ସମ୍ପର୍କରେ ଲିପ୍ତ ବ୍ୟକ୍ତିବିଶେଷଙ୍କ ଉପରେ ଟେକା ମାଡ଼ କରାଯିବ ବୋଲି ତାଲିବାନ୍ ସରକାରୀ କର୍ମଚାରୀମାନେ କହିଥିବା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି।
ଆଫଗାନିସ୍ତାନର ‘କେନ୍ଦ୍ରୀୟ ଅଞ୍ଚଳ’ର ଦାୟିତ୍ବରେ ଅଛନ୍ତି ବୋଲି ଦାବି କରୁଥିବା ମହମ୍ମଦ ୟୁସୁଫ୍ ‘ନ୍ୟୁୟର୍କ ପୋଷ୍ଟ୍’କୁ କହିଛନ୍ତି, ‘ଇସ୍ଲାମୀୟ ଆଇନ’ ଅନୁସାରେ ଉଲ୍ଲଂଘନକାରୀଙ୍କ ପ୍ରତି ଦଣ୍ଡ ବିଧାନ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରିଥିବା ଜଣେ ଆତତାୟୀଙ୍କୁ ହତ୍ୟା କରାଯିବ, କିନ୍ତୁ ‘ଯଦି ଉଦ୍ଦେଶ୍ୟମୂଳକ’ ନ ହୋଇ ଥାଏ ତେବେ ନିର୍ଦ୍ଦିଷ୍ଟ ପରିମାଣର ଜରିମାନା କରାଯିବ।
୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ଚଳାଇଥିବା ଶାସନରେ ତାଲିବାନ୍ ମନ୍ତ୍ରାଳୟ ଆଫଗାନିସ୍ତାନ ରାସ୍ତାଘାଟରେ ‘ମୋରାଲ୍ ପୋଲିସ୍’ ପ୍ରବର୍ତ୍ତନ କରିଥିଲା ଏବଂ ଅପରାଧ ଆଧାରରେ ଅପରାଧିମାନଙ୍କୁ ଚାବୁକ ପ୍ରହାର, ଟେକାମାଡ଼, ଗୋଡ଼ହାତ କାଟ ଏବଂ ଆବଶ୍ୟକ ସ୍ଥଳେ ସର୍ବସାଧାରଣଙ୍କ ସମ୍ମୁଖରେ ମୁଣ୍ଡକାଟ କରାଯାଉଥିଲା।
Image Courtesy of Radio Free Europeଜଣେ ତାଲିବାନ୍ ସରକାରୀ ଅଧିକାରୀ କହିଛନ୍ତି, ସେମାନଙ୍କର ମୂଳ ଉଦ୍ଦେଶ୍ୟ ହେଉଛି ‘ଇସ୍ଲାମ୍’ର ସେବା କରିବା। ଟେକାମାଡ଼, ବିଶେଷକରି ନାରୀମାନଙ୍କ ପ୍ରତି ଉଦ୍ଦିଷ୍ଟ ହୋଇଥିଲେ ମଧ୍ୟ ‘ଅନୈତିକ ଦୈହିକସମ୍ପର୍କ’ରେ ଲିପ୍ତ ଉଭୟ ପୁରୁଷ ଓ ନାରୀମାନଙ୍କୁ ସମାନ ଭାବେ କଠୋର ଦଣ୍ଡ ଦିଆଯିବ। କିନ୍ତୁ, ଏହି ମାମଲାରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ଲାଗି ୪ଜଣ ସାକ୍ଷୀ ଆବଶ୍ୟକ।
ସାକ୍ଷୀମାନଙ୍କ ବୟାନରେ ଯଦି ସାମାନ୍ୟ ପାର୍ଥକ୍ୟ ରହେ, କୌଣସି ଦଣ୍ଡ ଦିଆଯିବ ନାହିଁ। ଯଦି ସମସ୍ତ ସାକ୍ଷୀ ଏକା କଥା, ଏକା ପ୍ରକାରରେ ଏବଂ ଏକ ସମୟରେ କହିବେ, ତେବେ ଦଣ୍ଡ ଦିଆଯିବ। ସୁପ୍ରିମ୍ କୋର୍ଟ ଏହି ସବୁ ମାମଲାର ତଦାରଖ କରିବ। ଯଦି ସେମାନେ ଦୋଷୀ ବୋଲି ଜଣାପଡ଼ିବେ, ଦଣ୍ଡ ପାଇବେ । ଆମେ ଇସ୍ଲାମୀୟ ନୀତିନିୟମ ଥିବା ଶାନ୍ତିପୂର୍ଣ୍ଣ ଦେଶଟିଏ ଚାହୁଁ। ଶାନ୍ତି ଓ ଇସ୍ଲାମୀୟ ରାୟ ଆମର ଏକାନ୍ତ ଇଚ୍ଛା ବୋଲି ୟୁସୁଫ୍ କହିଛନ୍ତି।
Follow Us