ତାମିଲନାଡ଼ୁ: ୩୬ରୁ ୧୦ ମନ୍ତ୍ରୀ କେନ୍ଦ୍ରୀୟ ଏଜେନ୍ସିଙ୍କ ରାଡାରରେ

Advertisment
ତାମିଲନାଡ଼ୁ: ୩୬ରୁ ୧୦ ମନ୍ତ୍ରୀ କେନ୍ଦ୍ରୀୟ ଏଜେନ୍ସିଙ୍କ ରାଡାରରେ

ଚେନ୍ନାଇ: ତାମିଲନାଡୁର ୩୬ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ଅତି କମ୍‌ରେ ୧୦ ଜଣ ବର୍ତ୍ତମାନ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ରାଡାରରେ ଅଛନ୍ତି ଏବଂ ଶାସକ ଡିଏମ୍‌କେ ଏହାକୁ ଐତିହାସିକ ଭାବରେ ପ୍ରଭାବ ନଗଣ୍ୟ ଥିବା ରାଜ୍ୟରେ ନିଜର ପ୍ରଭାବକୁ ସୁଦୃଢ଼ କରିବା ପାଇଁ ବିଜେପିର ପ୍ରୟାସ ସହିତ ଯୋଡିଛି। ନଭେମ୍ବର ୩ରେ ପିଡବ୍ଲ୍ୟୁଡି ଓ ରାଜପଥ ମନ୍ତ୍ରୀ ଇଭି ଭେଲୁଙ୍କୁ ଟାର୍ଗେଟ କରି ଚେନ୍ନାଇ ଓ କୋଏମ୍ବାଟୁର ଭଳି ଜିଲ୍ଲାର ୪୦ରୁ ଅଧିକ ସ୍ଥାନରେ ଚଢ଼ଉ କରାଯାଇଥିଲା। ଜବତ ହୋଇଥିବା କାଗଜପତ୍ରର ବିବରଣୀ ଆୟକର ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ। କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚର ସମ୍ମୁଖୀନ ହୋଇଥିବା ଡିଏମ୍‌କେର ଅନ୍ୟ ବରିଷ୍ଠ ନେତାମାନଙ୍କ ମଧ୍ୟରେ ଅଛନ୍ତି କୋଟି କୋଟି ଟଙ୍କାର ବାଲି ଖନନ ଦୁର୍ନୀତି ମାମଲାରେ ଜଳ ଓ ଜଳସେଚନ ମନ୍ତ୍ରୀ ଦୁରାଇମୁରୁଗାନ୍, ଆର୍ଥିକ ଅନିୟମିତତା ଓ ସମ୍ପତ୍ତି ଠୁଳ ମାମଲାରେ ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡ଼ି, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଇ ପେରିଆସାମୀ ଏବଂ ପୂର୍ବତନ ଅବକାରୀ ମନ୍ତ୍ରୀ କେ ସେନ୍ଥିଲ ବାଲାଜୀ। ଚାକିରି ଦୁର୍ନୀତି ଓ ମନି ଲଣ୍ଡରିଂ ଅଭିଯୋଗରେ ଗତ ଜୁନ୍ ମାସରେ ବାଲାଜୀଙ୍କ ଉପରେ ଚଢ଼ଉ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ତାଙ୍କୁ କ୍ୟାବିନେଟରେ ବଜାୟ ରଖିଛନ୍ତି, କିନ୍ତୁ ଏକାଧିକ ଜାମିନ ଆବେଦନ ଖାରଜ ହେବା ପରେ ସେ ଏବେ ଜେଲରେ ଅଛନ୍ତି। ଭାଇ ଅଶୋକ ଫେରାର ଥିବାରୁ ବାଲାଜୀଙ୍କ ଆଇନଗତ ସ୍ଥିତି ଅଧିକ ଜଟିଳ ହୋଇଛି।

ଅକ୍ଟୋବର ପ୍ରାରମ୍ଭରେ ଡିଏମ୍‌କେର ବରିଷ୍ଠ ନେତା ତଥା ସାଂସଦ ଏସ୍ ଜଗଦ୍ରକ୍ଷକନ ଆୟକର ଚଢ଼ଉର ସମ୍ମୁଖୀନ ହୋଇଥିଲେ। ପରବର୍ତ୍ତୀ ଟାର୍ଗେଟ ତ୍ରିଚିର ବରିଷ୍ଠ ନେତା ତଥା ମନ୍ତ୍ରୀ କେଏନ୍ ନେହେରୁ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଆର ସାକରପାଣି ଏବଂ ବାଣିଜ୍ୟିକ ଟିକସ ଓ ପଞ୍ଜୀକରଣ ମନ୍ତ୍ରୀ ପି ମୂର୍ତ୍ତି ହୋଇପାରନ୍ତି। ବିଭିନ୍ନ ଦୁର୍ନୀତି ଅଭିଯୋଗକୁ ନେଇ ଏହି ତିନି ଜଣଙ୍କ ଉପରେ ତୀକ୍ଷ୍ଣ ନଜର ରହିଛି। ଏଜେନ୍ସିମାନେ ଡିଏମ୍‌କେ ପ୍ରଥମ ପରିବାରକୁ ମଧ୍ୟ ସେମାନଙ୍କର ତଦନ୍ତ ବିସ୍ତାର କରିପାରନ୍ତି। ଡିଏମ୍‌କେର ସମ୍ବଳ ପରିଚାଳନାରେ ବାଲାଜୀ, ଜଗଦ୍ରକ୍ଷକନ ଏବଂ ଭେଲୁଙ୍କ ଭଳି ନେତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଦଳ ଏବେ ପ୍ରବଳ ଚାପର ସମ୍ମୁଖୀନ ହେଉଛି। ବିଶେଷ କରି ୨୦୨୪ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ଘଟଣା ଷ୍ଟାଲିନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି କୁହାଯାଉଛି। ଡିଏମ୍‌କେର ଜଣେ ବରିଷ୍ଠ ମନ୍ତ୍ରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଏକାଧିକ ନିର୍ବାଚନ ମଣ୍ଡଳୀରେ ପ୍ରଭାବଶାଳୀ ପ୍ରମୁଖ ନେତାମାନେ ସ୍କାନରରେ ଅଛନ୍ତି। ଏହି ଚଢ଼ଉ ଦଳର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ଉଦାହରଣ ସ୍ୱରୂପ, କାରୁର, ପୋଲାଚି ଏବଂ କୋଏମ୍ବାଟୁରରେ ବାଲାଜୀଙ୍କର ବହୁତ ବଡ଼ ଭୂମିକା ରହିଛି। ଏହି ଚଢ଼ଉ ଦଳର ଆଭ୍ୟନ୍ତରୀଣ ଢାଞ୍ଚା ଓ ରଣନୀତି ଉପରେ ପ୍ରଭାବ ପକାଇସାରିଛି। ଡିଏମ୍‌କେର ପ୍ରଭାବ ହ୍ରାସ କରିବା ଏହାର ଉଦ୍ଦେଶ୍ୟ, ଦୋଷୀ ସାବ୍ୟସ୍ତ ହେବା ଜରୁରୀ ନୁହେଁ ବୋଲି ସେ କହିଛନ୍ତି।

ଡିଏମ୍‌କେର ଶୀର୍ଷ ନେତୃତ୍ୱ ଦର୍ଶାଇଛନ୍ତି ଯେ କେତେକ ମାମଲା ଦଶନ୍ଧି ପୁରୁଣା। ଡିଏମ୍‌କେର ଜଣେ ବରିଷ୍ଠ ମନ୍ତ୍ରୀ କହିଛନ୍ତି ଯେ ୨୦୨୪ ନିର୍ବାଚନ ପୂର୍ବରୁ ସିଏମ୍‌ ଷ୍ଟାଲିନ ମଧ୍ୟ ସମନ ଦେଖିପାରନ୍ତି ବୋଲି ଦଳ ଭିତରେ ଆଲୋଚନା ହେଉଛି, ଯାହା ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ସ୍ଥିତିକୁ ପ୍ରତିଫଳିତ କରୁଛି। ନିର୍ବାଚନ ପୂର୍ବରୁ ଏହା ଡିଏମ୍‌କେର ଭାବମୂର୍ତ୍ତିକୁ ଖରାପ କରିପାରେ। ବରିଷ୍ଠ ଡିଏମ୍‌କେ ନେତା ତଥା ମୁଖପାତ୍ର ଟିକେଏସ ଏଲାନଗୋଭାନ ଅଭିଯୋଗ କରିଛନ୍ତି ଯେ, ଏନଡିଏ ସହଯୋଗୀ ଦଳମାନେ ବାଦ୍ ପଡ଼ିଥିଲେ ମଧ୍ୟ କେନ୍ଦ୍ର ସରକାର ଦେଶବ୍ୟାପୀ କେବଳ ବିରୋଧୀ ନେତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଭେଲୁ ଓ ଜଗଦ୍ରକ୍ଷକନଙ୍କ ଉପରେ ହୋଇଥିବା ଚଢ଼ଉରେ କୌଣସି ଆପତ୍ତିଜନକ ପ୍ରମାଣ ମିଳିନାହିଁ। ଏସବୁ ଆହ୍ୱାନ ସତ୍ତ୍ୱେ ନ୍ୟାୟପାଳିକା ଉପରେ ଆମର ବିଶ୍ୱାସ ରହିଛି ଏବଂ ଏହା କେବଳ ଡିଏମ୍‌କେର ସଂକଳ୍ପକୁ ସୁଦୃଢ଼ କରିବ ବୋଲି ଇଲାନଗୋଭାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe