ଚେନ୍ନାଇ: ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ରାତି ଡିୟୁଟି କରୁଥିବା ଜଣେ ଡାକ୍ତରାଣୀଙ୍କ ‘ହିଜାବ୍’ ପିନ୍ଧିବା ଉପରେ ଆପତ୍ତି କରି ତାମିଲନାଡୁର ନାଗାପଟ୍ଟିନମ୍ରେ ଜଣେ ‘ବିଜେପି’ ସଦସ୍ୟଙ୍କ ନାଁରେ ମାମଲା ରୁଜୁ କରାଯାଇଛି।
ବ୍ୟକ୍ତିଜଣକ ଡାକ୍ତରାଣୀଙ୍କ ପୋଷାକପତ୍ର ପ୍ରସଙ୍ଗକୁ ନେଇ ତାଙ୍କ ସହିତ ଯୁକ୍ତି କରିଥିଲେ।
ଭାଇରାଲ୍ ହୋଇଥିବା ଏହି ଘଟଣାର ଭିଡିଓରେ ଦେଖାଯାଉଛି, ‘ବିଜେପି’ ସଦସ୍ୟ ଭୁବନେଶ୍ବର ରାମ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପାଟିତୁଣ୍ଡ କରିବା ସହିତ ହିଜାବ୍ ପିନ୍ଧିଥିବା ଡାକ୍ତରାଣୀ ଜନ୍ନତ୍ ଫିର୍ଦୌସ୍ଙ୍କ ସହିତ ଯୁକ୍ତି କରୁଛନ୍ତି।
Image Courtesy of The News Minuteରାତି ଡିୟୁଟିରେ ଥିବା ଡାକ୍ତରାଣୀ ଜନ୍ନତ୍ଙ୍କୁ ଭୁବନେଶ୍ବର ରାମ କହୁଛନ୍ତି, ଆପଣ ଯଦି ସତରେ ଜଣେ ଡାକ୍ତର ତେବେ ୟୁନିଫର୍ମ ପରିବର୍ତ୍ତେ ହିଜାବ୍ ଓ ବୁର୍ଖା ପିନ୍ଧିଛନ୍ତି କାହିଁକି?
ସଂଗୃହୀତ ସୂଚନା ଅନୁସାରେ, ନାଗାପଟ୍ଟିନମ୍ ଜିଲ୍ଲାରେ ଥିବା ତିରୁପୁଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଘଟଣାଟି ଘଟିଥିଲା। ଛାତିରେ ଯନ୍ତ୍ରଣା ଭୋଗୁଥିବା ଜଣେ ପଡ଼ୋଶୀଙ୍କୁ ‘ବିଜେପି’ ସଦସ୍ୟ ଭୁବନେଶ୍ବର ରାମ ମେ ୨୪ ତାରିଖ ରାତିରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେତେବେଳେ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ଥିବା ଅନ୍ୟ ବ୍ୟକ୍ତିମାନେ ଏହି ଗୋଳମାଳ ସମୟର ଦୃଶ୍ୟ ଉତ୍ତୋଳନ କରିଥିଲେ।
ଘଟଣା ସଂକ୍ରାନ୍ତରେ ସୂଚନା ପାଇବା ପରେ କିଲେୟୁର୍ ପୁଲିସ ଫେରାର୍ ହୋଇଯାଇଥିବା ‘ବିଜେପି’ ସଦସ୍ୟ ଭୁବନେଶ୍ବର ରାମ୍ଙ୍କ ନାଁରେ ମାମଲା ରୁଜୁ କରି ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।
Follow Us