(Photo: India Today/Shalini Lobo)
ଚେନ୍ନାଇ: ତାମିଲ୍ନାଡୁର ଚେନ୍ନାଇଠାରେ ଜଣେ ବ୍ୟକ୍ତି ଭିଡ଼ ହିିଂସାର ଶିକାର ହେବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଭିଲୁପୁରମ୍ ସହରରେ ବ୍ୟକ୍ତି ଜଣକ ଏକ ସର୍ବସାଧାରଣ ସ୍ଥାନରେ ପରିଶ୍ରା କରୁଥିବା ହେତୁ ତାଙ୍କୁ କିଛି ଲୋକ ଘେରି ଯାଇ ମାରଧର କରିଥିଲେ ଓ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୀଡ଼ିତ ଜଣକ ହେଉଛନ୍ତି ଶକ୍ତିଭେଲ୍। ଭିଲୁପୁରମ୍ର ଏକ ପେଟ୍ରୋଲ୍ ପମ୍ପ୍ରେ ସେ କାମ କରନ୍ତି।
ବୁଧବାର ଶକ୍ତିଭେଲ୍ ତାଙ୍କ କାମ ସାରି ଘରକୁ ଯିବା ବାଟରେ ସେ ଏକ ଖୋଲା ପଡ଼ିଆ ଦେଖି ପରିଶ୍ରା କରିବାକୁ ଅଟକି ଯାଇଥିଲେ। ତାଙ୍କୁ କିଛି ମହିଳା ଦେଖିବା ପରେ ଚିଲାଇବାକୁ ଲାଗିଥିଲେ।
ମହିଳାମାନେ ଚିଲାଇ କରି ଅନ୍ୟ ଲୋକଙ୍କୁ ଡାକି ବ୍ୟକ୍ତିି ଜଣକ ପରିଶ୍ରା କରିବା ସହ ଅସଂଯତ ଇଙ୍ଗିତ କରୁଥିଲେ ବୋଲି କହିଥିଲେ। ସେଠାରେ ତତ୍କ୍ଷଣାତ କିଛି ଲୋକ ରୁଣ୍ଡ ହୋଇ ଶକ୍ତିଭେଲ୍ଙ୍କୁ ମାରଧର କରିଥିଲେ। ଭିଡ଼ ହିଂସାର ଶିକାର ହେବା ପରେ ସେ ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଲୋକମାନେ ତାଙ୍କୁ ଧରି ପକାଇବା ପରେ ମିଶି କରି ମାଡ଼ ମାରିଥିଲେ।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ଆହତ ଶକ୍ତିଭେଲ୍କୁ ହସ୍ପିଟାଲ୍ ନେଇ ନାହିଁ ବୋଲି ଅଭିଯୋଗ ହୋଇଛି। କିଛି ସମୟ ପରେ ଶକ୍ତିଭେଲ୍ଙ୍କ ଭଉଣୀ ଆସି ସେଠାରୁ ତାଙ୍କୁ ଉଦ୍ଧାର କରିଥିଲେ। ଶକ୍ତିଭେଲ୍ ଘରକୁ ଯିବାର କିଛି ସମୟ ପରେ ତାଙ୍କ ମୃତ୍ୟୁ ଘଟିଥିଲା।
ଏହି ଘଟଣାର ତଦନ୍ତ କରି ପୁଲିସ୍ ୭ ଜଣଙ୍କୁ ଗିରଫ କରିଛି। ଏହି ଘଟଣାର ତଦନ୍ତ ଏବେ ବି ଜାରି ରହିଛି।
Follow Us